ନୂଆଦିଲ୍ଲୀ : ବାଣିଜ୍ୟିକ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପରେ, ଏବେ ସାଧାରଣ ଲୋକଙ୍କ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲକୁ ନେଇ ଭୟ ବଢିବାରେ ଲାଗିଛି। ଏହି ଡ଼ର ଯେ,ସରକାର ପେଟ୍ରୋଲ ଓ ଡିଜେଲର ମୂଲ୍ୟରେ ବଡ଼ ବୃଦ୍ଧି କରି ପାରନ୍ତି। ପ୍ରକୃତ କଥା ହେଲା , ବିଶ୍ୱ ସ୍ତରରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ଏବଂ ଚାରି ବର୍ଷରେ ଖୁଚୁରା ମୂଲ୍ୟ ସ୍ଥିର ରହିବା ଯୋଗୁଁ ତୈଳ କମ୍ପାନୀଗୁଡ଼ିକ ବହୁ ପରିମାଣର କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏହି କ୍ଷତି ପୂରଣ ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ହୋଇପାରେ ବୋଲି ବିଶ୍ଵାସ କରାଯାଉଛି।
ନ୍ୟୁଜ୍ ଏଜେନ୍ସି ପିଟିଆଇର ଏକ ଖବର ଅନୁସାରେ , ସରକାରୀ ସୂତ୍ର ଗୁଡ଼ିକ ନିକଟ ଭବିଷ୍ୟତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନାକୁ ଅସ୍ୱୀକାର କରି ନାହାଁନ୍ତି। ଶୁକ୍ରବାର ସରକାରୀ ସୂତ୍ର କହିଛନ୍ତି ଯେ, ପରିବର୍ତ୍ତିତ ପରିସ୍ଥିତିରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବରେ ଅସ୍ୱୀକାର କରାଯାଇ ପାରିବ ନାହିଁ। କହି ରଖୁଛୁ କି, ଏହି ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପ୍ରତି ୧୨୬ ଡଲାରରେ ଚାରି ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ହେଲେ ଏଥିରେ ସାମାନ୍ୟ ହ୍ରାସ ଘଟିଛି , ତଥାପି ମୂଲ୍ୟ ବ୍ୟାରେଲ ପ୍ରତି ୧୧୦ ଡଲାର ଉପରେ ରହିଛି। ହର୍ମୁଜ୍ ପ୍ରଣାଳୀ ଦେଇ ତେଲ ଟ୍ୟାଙ୍କର ଗୁଡ଼ିକର ଗତିବିଧ ଉପରେ ପ୍ରଭାବ ଏବଂ ଇରାନ ଏବଂ ଆମେରିକା ମଧ୍ୟରେ ଜାରି ଉତ୍ତେଜନା ଯୋଗୁଁ ପରିସ୍ଥିତି ଅନିଶ୍ଚିତ ହୋଇ ରହିଛି।
କହି ରଖୁଛୁ କି ,ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ୨୮ ଫେବ୍ରୁଆରୀରେ ଇରାନ ଉପରେ ଆକ୍ରମଣ ଏବଂ ଏହାର ଜବାବରେ ଇରାନର କାର୍ଯ୍ୟାନୁଷ୍ଠାନ ପରେ ଅନ୍ତର୍ଜାତୀୟ ତୈଳ ବଜାରରେ ଅସ୍ଥିରତାର ସମୟ ଚାଲୁଛି। ଏହି ଘଟଣାକ୍ରମର କାରଣରୁ ବିଶ୍ୱ ତୈଳ ବାଣିଜ୍ୟର ପ୍ରାୟ ପଞ୍ଚମାଂଶ ପରିଚାଳନା କରୁଥିବା ହର୍ମୁଜ ପ୍ରଣାଳୀ ରାସ୍ତାରେ ସପ୍ଲାଇ ବାଧାପ୍ରାପ୍ତ ହୋଇଛି। ଗତ ସପ୍ତାହରେ, ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ, ପ୍ରାୟ ଚାରି ବର୍ଷ ଧରି ଖୁଚୁରା ମୂଲ୍ୟ ସ୍ଥିର ରହିବା ଯୋଗୁଁ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଉପରେ ପ୍ରତି ଲିଟର ପ୍ରାୟ ୨୦ଟଙ୍କା ଏବଂ ଡିଜେଲ ଉପରେ ପ୍ରତି ଲିଟର ପ୍ରାୟ ୧୦୦ ଟଙ୍କା କ୍ଷତି ହେଉଛି। ହେଲେ ଏହି ସମୟରେ ମୂଲ୍ୟ ବୃଦ୍ଧି କରାଇବାକୁ କୌଣସି ଯୋଜନା ହୋଇ ନଥିଲା। ଗତ ବର୍ଷ, ଅଶୋଧିତ ତୈଳର ହାରାହାରି ମୂଲ୍ୟ ବ୍ୟାରେଲ ପ୍ରତି ବ୍ୟାରେଲ ପିଛା ୭୦ ଡଲାର ଥିଲା, ଯାହା ଚଳିତ ମାସରେ ବ୍ୟାରେଲ ପ୍ରତି ୧୧୪ ଡଲାର ଉପରେ ରହିଛି।
ଏହା ପୂର୍ବରୁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ (IOC) ପେଟ୍ରୋଲିୟମ୍ ଶିଳ୍ପ ପକ୍ଷରୁ ଜାରି ଏକ ବିବୃତ୍ତିରେ କହିଥିଲା ଯେ, ଅନ୍ତର୍ଜାତୀୟ ଶକ୍ତି ମୂଲ୍ୟରେ ବୃଦ୍ଧି ସତ୍ତ୍ୱେ, ପେଟ୍ରୋଲ, ଡିଜେଲ ଏବଂ ଘରୋଇ ରନ୍ଧନ ଗ୍ୟାସ୍ (LPG)ର ମୂଲ୍ୟ ବୃଦ୍ଧି କରାଯାଉ ନାହିଁ। ହେଲେ, ସାର୍ବଜନିକ କ୍ଷେତ୍ରର ତୈଳ କମ୍ପାନୀଗୁଡ଼ିକ କମର୍ସିଆଲ ଏଲପିଜି, ଶିଳ୍ପ ଡିଜେଲ, ୫ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଏବଂ ଅନ୍ତର୍ଜାତୀୟ ଏୟାରଲାଇନ୍ସକୁ ବିକ୍ରି କରାଯାଉ ଥିବା ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି।
ବିଶ୍ଳେଷକମାନେ ପୂର୍ବରୁ ଏହି ଆଶଙ୍କା କରୁଥିଲେ ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଏପ୍ରିଲ ୨୯ ତାରିଖରେ ଶେଷ ହେବା ପରେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୨୫ଟଙ୍କାରୁ ୨୮ ଟଙ୍କା ପ୍ରତି ଲିଟର ଯାଏ ବୃଦ୍ଧି ହୋଇ ପାରେ। ଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୪.୭୭ ଟଙ୍କା ଓ ଡିଜେଲର ମୂଲ୍ୟ ୮୭.୬୭ ଟଙ୍କା ପ୍ରତି ଲିଟର ପିଛା ରହିଛି।