ନୂଆଦିଲ୍ଲୀ,୧୧।୫: ମଧ୍ୟ ପ୍ରାଚ୍ୟରେ ଜାରି ବିବାଦ ଓ ଇରାନ-ହର୍ମୁଜ ସଙ୍କଟର ପ୍ରଭାବ ଏବେ ଭାରତର ଅର୍ଥବ୍ୟବସ୍ଥା ଓ ସାଧାରଣ ଲୋକଙ୍କ ପକେଟ୍ରେ ପଡିଛି। ଗୋଟିଏ ପଟେ ସରକାର ଲଗାତାର ଏହି ଭରସା ଦେଉଛନ୍ତି ଯେ, ଦେଶରେ ଅଶୋଧିତ ତୈଳ, ଗ୍ୟାସ୍ ଓ ଏଲପିଜି ପର୍ଯ୍ୟାପ୍ତ ମାତ୍ରାରେ ମହଜୁଦ ରହିଛି, ସେଭଳି ଅନ୍ୟପକ୍ଷେ ସରକାରୀ ତୈଳ କମ୍ପାନୀ ପ୍ରବଳ କ୍ଷତି ସହୁଛି। ଏଭଳି ସ୍ଥିତିରେ ଦେଶରେ ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲର ଦାମ୍‌ରେ ମଧ୍ୟ ଅଳ୍ପ ବୃଦ୍ଧି ହେବାର ସମ୍ଭାବନା ରହିଛି। ତାଜା ରିପୋର୍ଟ ଅନୁସାରେ, ଆଗକୁ ପେଟ୍ରୋଲ ଓ ଡିଜେଲ୍‌ର ଦାମ୍‌ରେ ପ୍ରାୟ ୫ ଟଙ୍କା ପ୍ରତି ଲିଟର ବୃଦ୍ଧି ହୋଇପାରେ।

ଉଲ୍ଲେଖନୀୟ ଯେ, ଭାରତ ନିଜର ଆବଶ୍ୟକତାର ବଡ ଅଂଶ ବିଦେଶରୁ ଆମଦାନୀ କରେ। ଦେଶ ଦୁନିଆର ତୃତୀୟ ସବୁଠାରୁ ବଡ ତୈଳ ଉପଭୋକ୍ତା ରହିଛି ଓ ଅଶୋଧିତ ତୈଳର ସପ୍ଲାଇର ଏକ ବଡ ଅଂଶ ହର୍ମୁଜ ବାଟ ଦେଇ ଆସିଥାଏ। କିନ୍ତୁ ଇରାନ ଓ ପଶ୍ଚିମ ଏସିଆରେ ବଢୁଥିବା ସଂଘର୍ଷ କାରଣରୁ ସମୁଦ୍ର ପଥରେ ଚାପ ବଢି ଯାଇଛି। ଏହି କାରଣରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ୍ ଖୁବ୍ ଉପରକୁ ଉଠିଯାଇଛି।

ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଭଳି ସରକାରୀ କମ୍ପାନୀ ବର୍ତ୍ତମାନ ପ୍ରତି ଦିନ ପ୍ରାୟ ୧୦୦୦ କୋଟି ଟଙ୍କାର କ୍ଷତି ସହୁଛି। ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ଏହି କ୍ଷତିକୁ କମ୍ କରିବା ପାଇଁ ପେଟ୍ରୋଲ ଡିଜେଲ୍ର ଦାମ୍ରେ ପ୍ରାୟ ୫ଟଙ୍କା ପ୍ରତି ଲିଟର ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ତେବେ ଏକ୍ସପର୍ଟଙ୍କ କହିବା ଅନୁସାରେ, କମ୍ପାନୀର ପୁରା କ୍ଷତି କଭର କରିବା ପାଇଁ ୧୫ ରୁ ୨୦ ଟଙ୍କା ପ୍ରତି ଲିଟର ପର୍ଯ୍ୟନ୍ତ ବୃଦ୍ଧି ହେବା ଜରୁରୀ, କିନ୍ତୁ ଏତେ ବଡ଼ ନିଷ୍ପତ୍ତି ସାଧାରଣ ଜନତା ଓ ଅର୍ଥବ୍ୟବସ୍ଥା ଉପରେ ଭାରି ପଡିପାରେ।

ଏହା ଭିତରେ ସରକାର ଲୋକଙ୍କୁ ଭୟଭୀତ ନହୋଇ ପେଟ୍ରୋଲ କିମ୍ବା ଏଲପିଜି ଜମା ନକରିବାକୁ ଅପିଲ କରିଛନ୍ତି। ବିଜନେସ୍ ଟୁଡେର ରିପୋର୍ଟ ଅନୁସାରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ କୁହାଯାଇଛି ଯେ, ଭାରତ ପାଖରେ ବର୍ତ୍ତମାନ ବର୍ତ୍ତମାନ ୬୦ ଦିନ ପର୍ଯ୍ୟନ୍ତ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ୍ର ଭଣ୍ଡାର ରହିଛି। ସେଭଳି ଏଲପିଜିର ପ୍ରାୟ ୪୫ ଦିନର ଷ୍ଟକ୍ ଉପଲବ୍ଧ ରହିଛି। ଏହାଛଡା ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ମଧ୍ୟ ୭୦୩ ଡଲାରର ମଜବୁତ ସ୍ତରରେ ରହିଛି। ତଥାପି ମଧ୍ୟ ସରକାର ଇନ୍ଧନ ବଞ୍ଚାଇବା ଉପରେ ଜୋର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲୋକଙ୍କୁ ପେଟ୍ରୋଲ ଡିଜେଲ୍ର ସୀମିତ ଉପଯୋଗ କରିବା, ଅଯଥା ଯାତ୍ରା ନକରିବା ଓ ସାର୍ବଜନିକ ପରିବହନକୁ ଅଧିକ ବ୍ୟବହାର କରିବାକୁ ଅପିଲ କରିଛନ୍ତି। ପିଏମ୍ ମୋଦି କହିଛନ୍ତି, ଇନ୍ଧନର ସଞ୍ଚୟ କେବଳ ଟଙ୍କା ବଞ୍ଚାଇବାର ପଦ୍ଧତି ନୁହେଁ, ବଂର ଦେଶର ବିଦେଶୀ ମୁଦ୍ରା ଭଣ୍ଡା ଓ ଶକ୍ତି ସୁରକ୍ଷାକୁ ମଜବୁତ କରିବାର ମଧ୍ୟ ମାଧ୍ୟମ ରହିଛି।