ନୂଆଦିଲ୍ଲୀ : ରିଟାୟରମେଣ୍ଟ ଫଣ୍ଡ ଅର୍ଗାନାଇଜେସନ ଇପିଏଫଓର ବଡ଼ ଉପହାର। ଇପିଏଫଓ ଗୁରୁବାର କହିଛି ଯେ, ଏବେ ପିଏଫ୍‌ରୁ ଅନଲାଇନ୍‌ ଟଙ୍କା ଉଠାଣ ହେବ ସହଜ। ଇଚ୍ଛୁକ ଆବେଦକଙ୍କୁ ରଦ୍ଦ କରାଯାଇ ଥିବା ଚେକ୍‌ର ଫଟୋ ଅପଲୋଡ୍‌ କରିବାର ଆବଶ୍ୟକତା ନାହିଁ ଏବଂ ତାଙ୍କର ବ୍ୟାଙ୍କ୍‌ ଆକାଉଣ୍ଟକୁ ଆଉ ନିଯୁକ୍ତିଦାତାଙ୍କ ଦ୍ୱାରା ଭେରିଫିକେସନ କରିବାକୁ ମଧ୍ୟ ଆବଶ୍ୟକ ନାହିଁ। ଇପିଏଫଓ  ଅନଲାଇନ୍‌ କ୍ଲେମ୍‌ ଦାଖଲ କରିବା ସମୟରେ ଚେକ୍‌ ଲିଫ୍‌ ବା ଭେରିଫିକେସନ ବ୍ୟାଙ୍କ୍‌ ପାସବୁକ୍‌ର ଫଟୋ ଅପଲୋଡ୍‌ କରିବାର ଆବଶ୍ୟକତାକୁ ସଂପୂର୍ଣ୍ଣ ବନ୍ଦ କରିଛି। ଏହି ପଦକ୍ଷେପରେ ପାଖାପାଖି ୮ କୋଟି ଇପିଏଫ୍‌ଓ ସଦସ୍ୟଙ୍କୁ ଫାଇଦା ମିଳିବ। 

ବର୍ତ୍ତମାନ କଣ ରହିଛି ନିୟମ – ବର୍ତ୍ତମାନ ସମୟରେ କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫଓ)ର ସଦସ୍ୟଙ୍କୁ ପିଏଫ୍‌ ଆକାଉଣ୍ଟରୁ ଅନଲାଇନ୍‌ ପଇସା ଉଠାଇବା ପାଇଁ ଆବଦେନ କରିବା ସମୟରେ , ୟୁଏଏନ୍‌ (ୟୁନିଭର୍ସଲ ଆକାଉଣ୍ଟ ନମ୍ୱର) ବା ପିଏଫ୍‌ ସଂଖ୍ୟା ସହ ଜଡ଼ିତ ବ୍ୟାଙ୍କ ଆକାଉଣ୍ଟର ଚେକ୍‌ ବା ପାସବୁକ୍‌ର ଆଟେଷ୍ଟେଡ୍ ଫଟୋ କପି ଅପଲୋଡ୍‌ କରିବାକୁ ହୋଇଥାଏ। ନିଯୁକ୍ତିଦାତାଙ୍କୁ ମଧ୍ୟ ଆବେଦକଙ୍କ ବ୍ୟାଙ୍କ ଆକାଉଣ୍ଟର ବିବରଣୀକୁ ସ୍ୱୀକୃତି ଦେବା ଆବଶ୍ୟକ ହେଉଛି। 

ଶ୍ରମ ମନ୍ତ୍ରଣାଳୟ କଣ କହିଛି ? 

ଶ୍ରମ ମନ୍ତ୍ରଣାଳୟ କହିଛି ଯେ, ଇପିଏଫ୍‌ଓ ଅନଲାଇନ୍‌ ଦାବି ଦାଖଲ କରିବା ସମୟରେ ଚେକ୍‌ ବା ଆଟେଷ୍ଟେଡ୍‌ ବ୍ୟାଙ୍କ୍‌ ପାସ୍‌ବୁକ୍‌ର ଫଟୋ ଅପଲୋଡ୍‌ କରିବାର ଆବଶ୍ୟକକୁ ସଂପୂର୍ଣ୍ଣ ରୂପେ ବନ୍ଦ କରି ଦେଇଛି। ଇପିଏଫ୍‌ ସଦସ୍ୟଙ୍କ ପାଇଁ ‘ ଜୀବନର ସୁଗମତା’ ଓ ନିଯୁକ୍ତିଦାତାଙ୍କ ପାଇଁ ‘ବ୍ୟବସାୟିକ ସୁଗମତା’ ସୁନିଶ୍ଚିତ କରିବା ପାଇଁ ଏହି ଦୁଇ ଆବଶ୍ୟକତାକୁ ବନ୍ଦ କରି ଦେଇଛି। ଏହି ପଦକ୍ଷେପ ଗୁଡ଼ିକ ଦାବି ସମାଧାନ ପ୍ରକ୍ରିୟାରେ ଉଲ୍ଲେଖନୀୟ ଉନ୍ନତି ଆଣିବ ଏବଂ ଦାବି ପ୍ରତ୍ୟାଖାନ ସମ୍ୱନ୍ଧୀୟ ଅଭିଯୋଗ ଗୁଡ଼ିକୁ ହ୍ରାସ କରିବ ବୋଲି ଏଥିରେ କୁହାଯାଇଛି। 

କିଛି ନିର୍ଦ୍ଦିଷ୍ଟ କେୱାଇସି – ଅପଡେଟ୍‌ ହୋଇଥିବା ସଦସ୍ୟଙ୍କ ପାଇଁ ପରୀକ୍ଷାମୂଳକ ଭାବେ ଏହି ଆବଶ୍ୟକତା ଗୁଡ଼ିକୁ ପ୍ରାରମ୍ଭିକ ଭାବେ କୋହଳ କରାଯାଇ ଥିଲା। ୨୮ ମଇ , ୨୦୨୪ରେ ପରୀକ୍ଷଣ ଭାବେ ଆରମ୍ଭ ହେବା ପରଠାରୁ ,ଏହି ପଦକ୍ଷେପର ପୂର୍ବରୁ ୧.୭ କୋଟି ଇପିଏଫ୍‌ ସଦସ୍ୟଙ୍କୁ ଲାଭ ମିଳି ସାରିଛି। ମନ୍ତ୍ରଣାଳୟ କହିଛି ଯେ, ସଫଳ ପରୀକ୍ଷଣ ପରେ, ଏପିଏଫଓ ଏବେ ସବୁ ସଦସ୍ୟଙ୍କ ପାଇଁ ଏହି ଛାଡ଼ ପ୍ରଦାନ କରିଛି।