ନୂଆଦିଲ୍ଲୀ ୦୧/୦୬: ଚୀନ୍‌ର ଏକ ବିଶ୍ୱବିଦ୍ୟାଳୟ କ୍ୟାଣ୍ଟିନ୍‌ ମ୍ୟାନେଜର ପଦବୀ ଲାଗି ପିଏଚ୍‌ଡି ଡିଗ୍ରୀ ଜରୁରୀ ଥିବା ଦର୍ଶାଇ ବିଜ୍ଞାପନ ଦେବା ପରେ ବିବାଦୀୟ ହୋଇପଡି଼ଛି । ନାନଜିଙ୍ଗରେ ଥିବା ସାଉଥ୍‌ଇଷ୍ଟ ବିଶ୍ୱବିଦ୍ୟାଳୟ ମେ ୨୨ରେ ନିଜର ୱେବସାଇଟ୍‌ରେ ଏହି ନିଯୁକ୍ତି ବିଜ୍ଞାପନଟି ଦେଇଛି । ବିଜ୍ଞାପନ ମୁତାବକ, ସେହି ପଦବୀରେ ନିଯୁକ୍ତ ହେବାକୁ ଥିବା ବ୍ୟକ୍ତିଙ୍କୁ ବିଶ୍ୱବିଦ୍ୟାଳୟ କ୍ୟାଣ୍ଟିନ୍‌ର ପରିଚାଳନା ଦାୟିତ୍ୱ ନେବାକୁ ହେବ । ସେଠାରେ ବ୍ୟଞ୍ଜନ ପ୍ରସ୍ତୁତି, ଖାଦ୍ୟ ନିରାପତ୍ତା ପ୍ରତି ଦୃଷ୍ଟି ଦେବାକୁ ପଡି଼ବ । ସେହିପରି କ୍ୟାଣ୍ଟିନ୍‌କୁ ଖାଦ୍ୟ ସାମଗ୍ରୀ ଯୋଗାଉଥିବା କଣ୍ଟ୍ରାକ୍ଟରମାନଙ୍କ କଥା ବୁଝିବା, ପ୍ରଶାସନିକ ଦାୟିତ୍ୱ ବି ସମ୍ଭାଳିବାକୁ ହେବ । 

ଆବେଦନକାରୀ ଇଂରାଜୀ ଓ ଅଫିସ୍‌ ସଫ୍ଟୱେରରେ ଜ୍ଞାନ ରଖୁଥିବା ଆବଶ୍ୟକ । ସେ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିବା ଜରୁରୀ । ଯଦିଓ ତାଙ୍କୁ ରୋଷେଇ କରିବାକୁ ହେବ ନାହିଁ ତେବେ ଖାଦ୍ୟ, ପୋଷଣ ଓ ରନ୍ଧନ କଳା ସଂପର୍କରେ ସେ ସାର୍ଟିଫିକେଟ୍‌ ହାସଲ କରିଥିବା ଆବଶ୍ୟକ । ଏ ସଂପର୍କିତ କାର୍ଯ୍ୟରେ ଅଭିଜ୍ଞତା ରଖୁଥିବା ବ୍ୟକ୍ତି ଓ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟମାନଙ୍କୁ ପ୍ରାଥମିକତା ମିଳିବ । ଆବେଦନକାରୀ ବାର୍ଷିକ ୨୫ ହଜାର ଡଲାର ଦରମା ଆକାରରେ ପାଇବେ ବୋଲି କୁହାଯାଇଛି । 

ତେବେ ବିଜ୍ଞାପନଟି ଭାଇରାଲ୍‌ ହେବା ପରେ ତାକୁ ସୋସିଆଲ୍‌ ମିଡିଆରେ ଅନେକ ସମାଲୋଚନା କରୁଛନ୍ତି । କ୍ୟାଣ୍ଟିନ୍‌ ମ୍ୟାନେଜର ଭଳି ପଦ ଲାଗି ପିଏଚ୍‌ଡି ଡିଗ୍ରୀର ଆବଶ୍ୟକତା କ’ଣ ବୋଲି ଜଣେ ୟୁଜର ପଚାରିଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି, ସେହି ପଦଟି କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ଲାଗି ସୃଷ୍ଟି କରାଯାଇଛି । କାରଣ ଜଣେ ପିଏଚ୍‌ଡି ଡିଗ୍ରୀପ୍ରାପ୍ତ ବ୍ୟକ୍ତିଙ୍କ ନିକଟରେ ରୋଷେଇର ସାର୍ଟିଫିକେଟ୍‌ ରହିବା ଆଶ୍ଚର୍ଯ୍ୟଜନକ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଭର୍ତ୍ତି ପ୍ରକ୍ରିୟାରେ ଅତ୍ୟଧିକ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଏହି ପଦକ୍ଷେପ ନେଇଥାଇପାରେ ।