ନୂଆଦିଲ୍ଲୀ,୨୧/୦୩: ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ର ବିସ୍ତାରବାଦୀ ନୀତିର  ମୁକାବିଲା ଲାଗି ଭାରତ ଓ ଦକ୍ଷିଣ କୋରିଆକୁ ‘ସ୍କ୍ୱାଡ ଗ୍ରୁପ’ରେ ସାମିଲ ହେବା  ପାଇଁ ଫିଲିପାଇନ୍ସ ପକ୍ଷରୁ ଆମନ୍ତ୍ରଣ କରାଯାଇଛି । ଫିଲିପାଇନ୍ସ ସେନାର ଚିଫ୍‌  ଅଫ୍‌ ଷ୍ଟାଫ ଜେନେରାଲ ରୋମିୟୋ ବ୍ରାନର ରାୟସିନା ବକ୍ତୃତାରେ ସାମିଲ ହେବା  ପାଇଁ ବୁଧବାର ନୂଆଦିଲ୍ଲୀରେ ପହଞ୍ଚିଥିଲେ । ଏଠାରେ ନିଜ ବକ୍ତବ୍ୟ ରଖି ସେ  ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ର ରଣନୀତିକୁ ଘୋର ବିରୋଧ କରିଥିଲେ । 

ସେ  କହିଥିଲେ କି ଚୀନ୍‌ ଦକ୍ଷିଣ ଚୀନ୍‌ ସାଗରରେ ୩ଟି କୃତ୍ରିମ ଦ୍ୱୀପ ନିର୍ମାଣ କରୁଛି ।  ଏଥିସହ ମିସ୍‌ଚିପ୍‌ ରିଫରେ ବାୟୁ ପ୍ରତିରକ୍ଷା ଏବଂ ମିସାଇଲ ବ୍ୟବସ୍ଥା ଲାଗି ୨.୭  କିଲୋମିଟର ବ୍ୟାପୀ ରନ୍‌ୱେ ବି ପ୍ରସ୍ତୁତ କରୁଛି। ଏହାଦ୍ୱାରା ଭାରତ ସମେତ ଅନ୍ୟ  ଦେଶଗୁଡ଼ିକ ପାଇଁ ବିପଦ ସୃଷ୍ଟି ହେବ । ସେମାନଙ୍କ ଉପରେ ଚୀନ୍‌ ସବୁବେଳେ  ନଜର ରଖିବ । ଯଦି ଚୀନ୍‌କୁ ରୋକା ନ ଯାଏ, ତେବେ ସମଗ୍ର ଦକ୍ଷିଣ ଚୀନ୍‌ ସାଗର  ଚୀନ୍‌ ନିୟନ୍ତ୍ରଣକୁ ଚାଲିଯିବ । ଚୀନ୍‌ ତାଇୱାନ୍‌ ଷ୍ଟ୍ରେଚ୍‌ରେ ବି ନିଜ ହକ୍‌ ଜାହିର କରୁଛି । ଯାହା ଅନ୍ତର୍ଜାତୀୟ ମାନଦଣ୍ଡର ଉଲ୍ଲଂଘନ କରୁଛି । ତେବେ ଏହା ଉପରେ  ଭାରତ, ଦକ୍ଷିଣ କୋରିଆ ଓ ଚୀନ୍‌ ପକ୍ଷରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ ।