ଖଜୁରୀପଡା, ୨୪/୫ : ଖଜୁରୀପଡା ବ୍ଲକ ଦଳପଡା ଗ୍ରାମପଞ୍ଚାୟତର ମାନଚିତ୍ରରୁ ଅପହଞ୍ଚ ଇଲାକା ଭାବେ ପରିଚୟ ପାଇଥିବା ସାକାଡି ଗ୍ରାମକୁ ଫୁଲବାଣୀ ବିଧାୟକ ଉମା ଚରଣ ମଲିକ ଶନିବାର ଗ୍ରସ୍ତ କରିଛନ୍ତି। ସେଠାରେ ବସବାସ କରୁଥିବା ପ୍ରାୟ ୧୬ ପରିବାରଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l ଗ୍ରାମବାସୀ ମଧ୍ୟ ସ୍ୱାଧୀନତା ପରଠାରୁ ପ୍ରଥମଥର ଜଣେ ବିଧାୟକଙ୍କୁ ସାକାଡି ଗ୍ରାମରେ ପାଇ ଆନନ୍ଦ ପ୍ରକାଶ କରିବା ସହ ବିଭିନ୍ନ ଅଭିଯୋଗ ଜଣାଇଛନ୍ତି l
ଚକାପାଦ ବ୍ଲକ ଏବଂ ଖଜୁରୀପଡା ବ୍ଲକର ସୀମାରେଖା ତଥା ଘଞ୍ଚ ଜଙ୍ଗଲ ଭିତରେ ଅନାଦିକାଳରୁ ବସବାସ କରୁଥିବା ଆଦିବାସୀଙ୍କ ଏହି ଗ୍ରାମକୁ ବିଧାୟକ ଶ୍ରୀ ମଲିକ କିଛି ରାସ୍ତା ନିଜ ଗାଡ଼ିରେ ଯାଇଥିଲେ। ପୁଣି ମୋଟରସାଇକେଲ ଏବଂ ଶେଷରେ ଚାଲି ଚାଲି ଯାଇ ସାକାଡିରେ ପହଞ୍ଚି ଥିଲେ। ଗମନାଗମନ ପାଇଁ ସ୍ଥାୟୀ ରାସ୍ତା ନଥିବା କାରଣରୁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅଞ୍ଚଳର ବିକାଶ କିଭଳି ଦୟନୀୟ ହୋଇ ପଡିଛି ସେ ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ l ସେହିଭଳି ବିଦ୍ୟାଳୟ, ଧାର୍ମିକ ଅନୁଷ୍ଠାନ, ପାନୀୟଜଳ ଏବଂ ବିଜୁଳି ଆଲୁଅ, ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ ଭଳି ଅନେକ ସମସ୍ୟା ରହିଥିବା କହିଥିଲେ l
ସାକାଡି ଗ୍ରାମରୁ ସରକାରୀ ଭତ୍ତା, ଚାଉଳ ପାଇଁ ଗ୍ରାମପଞ୍ଚାୟତ ଯିବାକୁ ହେଲେ ଗୁରାଣ୍ଡି ଏବଂ ଅରାପାଜୁ ଛଡ଼ାପାଜୁ ଜଙ୍ଗଲ ଭିତରେ ଦୀର୍ଘ ଆଠ କିଲୋମିଟର ଚାଲି ଚାଲି ଯିବାକୁ ପଡୁଛି।ଏପରିକି ବନ୍ୟଜନ୍ତୁଙ୍କ ସହ ମୁହାଁମୁହିଁ ହେବାକୁ ପଡୁଛି ବୋଲି ମହିଳାମାନେ ପ୍ରକାଶ କରିଥିଲେ l ସେହିଭଳି ଖଜୁରୀବ୍ଲକରୁ ଚକାପାଦ ହୋଇ ସାକାଡି ଗ୍ରାମକୁ ଯିବାବେଳେ ୩୦ କିଲୋମିଟର ବୁଲିକି ଗଲେ ମଧ୍ୟ ତିନୋଟି ବିରାଟ ଜଳସ୍ରୋତ ଅତିକ୍ରମ କରିବାକୁ ପଡୁଛି । ଯାହା ନିଜେ ବିଧାୟକ ମଧ୍ୟ ତିନୋଟି ଜଳସ୍ରୋତରେ ଚାଲି ଚାଲି ସାକାଡି ଗ୍ରାମକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି l ଉକ୍ତ ଗ୍ରାମବାସୀଙ୍କ ବହୁବିଧ ସମସ୍ୟାକୁ ଉପଲବ୍ଧି କରି ବିଧାୟକ ଦୁଃଖ ପ୍ରକାଶ କରିଥିଲେ। ସାକାଡି ଗ୍ରାମର ବିକାଶ ପାଇଁ ବିଭିନ୍ନ ବିଭାଗ ସହ ଆଲୋଚନା କରି କିଛି ପରିବର୍ତ୍ତନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି l ବିଧାୟକ ଶ୍ରୀ ମଲିକଙ୍କ ସହ ଖଜୁରୀପଡା ଜିଲ୍ଲା ପରିଷଦ ସଦସ୍ୟା ଉର୍ବଶୀ ଦିଗାଲ, ସାଂସଦ ପ୍ରତିନିଧି ମନୋଜ କୁମାର ପଣ୍ଡା, ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ଖଜୁରୀପଡା ମଣ୍ଡଳ ସଭାପତି ରଞ୍ଜନ କୁମାର କହଁର, ରୋହିତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l