ନୂଆଦିଲ୍ଲୀ, ୨୪।୨: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲେ ଆଉ ଖସିପାରିବେନି । ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ 'କୁଣ୍ଡଳୀ ମେଳ ଖାଉନାହିଁ' କହି ବିବାହରୁ ଓହରିଯିବା ମାମଲାରେ ଦିଲ୍ଲୀ ହାଇକୋର୍ଟ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏଭଳି କ୍ଷେତ୍ରରେ ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୬୯ ଲାଗୁ ହୋଇପାରେ ବୋଲି କୋର୍ଟ କହିଛନ୍ତି । ଏହି ଆଧାରରେ ଜଣେ ଅଭିଯୁକ୍ତର ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଅଭିଯୁକ୍ତ ଏବଂ ପୀଡ଼ିତା ପରସ୍ପରକୁ ପ୍ରାୟ ୮ ବର୍ଷ ହେବ ଜାଣିଥିଲେ । ଅଭିଯୁକ୍ତ ଜଣକ ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ପୂର୍ବରୁ ୨୦୨୫ ନଭେମ୍ବର ମାସରେ ଏନେଇ ଏକ ଅଭିଯୋଗ ହୋଇଥିଲା, କିନ୍ତୁ ବିବାହର ପ୍ରତିଶ୍ରୁତି ପାଇବା ପରେ ମହିଳା ଜଣକ ଅଭିଯୋଗ ପ୍ରତ୍ୟାହାର କରିନେଇଥିଲେ । ମାତ୍ର, ପରେ ଅଭିଯୁକ୍ତ ଜଣକ 'କୁଣ୍ଡଳୀ ମେଳ ହେଉନାହିଁ' ବୋଲି ବାହାନା ଦେଖାଇ ବିବାହ କରିବାକୁ ମନା କରିଦେଇଥିଲେ ।
ଏହା ବି ପଢ଼ନ୍ତୁ... ଘର ଭିତରେ ବାପାଙ୍କୁ କାଟୁଥିଲା ଭାଇ, ୪ ଦିନ ଯାଏଁ କାହିଁକି ଚୁପ୍ ଥିଲା ଭଉଣୀ ?
ମାମଲାର ଶୁଣାଣି କରି ଜଷ୍ଟିସ ସ୍ୱର୍ଣ୍ଣ କାନ୍ତ ଶର୍ମା କହିଛନ୍ତି ଯେ, ଅଭିଯୁକ୍ତ ଜଣକ ବାରମ୍ବାର ବିବାହ ପାଇଁ ଆଶ୍ୱାସନା ଦେଇଥିଲେ ଏବଂ କୁଣ୍ଡଳୀ ମେଳ ସହ ଜଡ଼ିତ କୌଣସି ବାଧା ନାହିଁ ବୋଲି କହିଥିଲେ । ଯେତେବେଳେ ସେ ଜାଣିଥିଲେ ଯେ ତାଙ୍କ ପରିବାର କୁଣ୍ଡଳୀ ଉପରେ ବିଶ୍ୱାସ କରନ୍ତି, ତଥାପି ସେ ମିଥ୍ୟା ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିବା ଏକ ଗମ୍ଭୀର ବିଷୟ । କେବଳ ସମ୍ପର୍କ ଭାଙ୍ଗିଯିବା ଅପରାଧ ନୁହେଁ, କିନ୍ତୁ ପ୍ରତାରଣା କରି ସମ୍ପର୍କ ରଖିବା BNS ଧାରା ୬୯ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ ।
BNS ଧାରା ୬୯ କ’ଣ ?
ନୂତନ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ, ଯଦି କେହି ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ କିମ୍ବା ନିଜର ପରିଚୟ ଲୁଚାଇ କୌଣସି ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି, ତେବେ ତାହାକୁ ଏକ ସ୍ୱତନ୍ତ୍ର ଅପରାଧ ଭାବେ ଗଣାଯିବ । ଏଥିପାଇଁ କଠୋର ଦଣ୍ଡର ବ୍ୟବସ୍ଥା ରହିଛି ।