ଲକ୍ଷ୍ନୌ, ୨୪।୨: ଲକ୍ଷ୍ନୌର ଆଶିୟାନା ଅଞ୍ଚଳରୁ ଏକ ବିଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଜଣେ ପୁଅ ନିଜ ଜନ୍ମକଲା ବାପାଙ୍କୁ ଗୁଳି କରି ହତ୍ୟା କରିବା ପରେ ଶବକୁ ଆରିରେ କାଟି ଖଣ୍ଡ ଖଣ୍ଡ କରି ଦେଇଛି । ଏହି ସମ୍ପୂର୍ଣ୍ଣ ଘଟଣା ଭଉଣୀ ଆଖି ଆଗରେ ଘଟିଥିଲେ ବି ଭାଇର ଭୟରେ ସେ ୪ ଦିନ ଧରି ମୁହଁ ଖୋଲି ନଥିଲା । ମୃତକ ହେଉଛନ୍ତି ୪୯ ବର୍ଷୀୟ ମାନବେନ୍ଦ୍ର ସିଂ । ପୁଲିସ ସୂଚନା ଅନୁଯାୟୀ, ଗତ ୨୦ ଫେବୃଆରୀ ରାତି ପ୍ରାୟ ୨ଟା ସମୟରେ ପାଠପଢ଼ାକୁ ନେଇ ମାନବେନ୍ଦ୍ର ଓ ତାଙ୍କ ପୁଅ ଅକ୍ଷତଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ରାଗ ଜର୍ଜରିତ ହୋଇ ଅକ୍ଷତ ନିଜ ବାପାଙ୍କୁ ଗୁଳି କରିଥିଲା । ସେହି ସମୟରେ ଘରେ ତାଙ୍କର ୧୭ ବର୍ଷୀୟା ନାବାଳିକା ଝିଅ ମଧ୍ୟ ଉପସ୍ଥିତ ଥିଲେ । ହତ୍ୟା କରିବା ପରେ ପୁଅ ଅକ୍ଷତ ନିଜ ଭଉଣୀକୁ ଧମକ ଦେଇ କହିଥିଲା, "ଯଦି ଏକଥା କାହାକୁ କହିବୁ, ତେବେ ତୋର ବି ବାପାଙ୍କ ଭଳି ଅବସ୍ଥା କରିବି ।" ଏହାପରେ ସେ ଅତି ଅମାନୁଷିକ ଭାବେ ଏକ ଆରି ସାହାଯ୍ୟରେ ବାପାଙ୍କ ଶବକୁ ଖଣ୍ଡ ଖଣ୍ଡ କରି କାଟିଥିଲା । ରକ୍ତ ଜୁଡ଼ୁବୁଡ଼ୁ ଶରୀରକୁ ଏକ ନୀଳ ରଙ୍ଗର ପ୍ଲାଷ୍ଟିକ୍ ଡ୍ରମରେ ଭର୍ତ୍ତି କରିଥିଲା । ପ୍ରମାଣ ନଷ୍ଟ କରିବାକୁ ସେଥିରେ ୪-୫ ବୋତଲ ଏସିଡ୍ ମଧ୍ୟ ଢାଳିଥିଲା ।

ଏହା ବି ପଢ଼ନ୍ତୁ... ​​​​​​​ପାଠପଢ଼ା ଝଗଡ଼ା, ବାପାକୁ ଗୁଳି ମାରି ହତ୍ୟା କଲା ପୁଅ; ପଢନ୍ତୁ ନୀଳ 'ଡ୍ରମ୍ କାଣ୍ଡ'ର ପୂରା କାହାଣୀ

ଘରେ ବାପାଙ୍କ ମୃତଦେହ, ପୁଅ ଖେଳୁଥିଲା କ୍ରିକେଟ୍:

ଏହି ଘଟଣାର ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଅଭିଯୁକ୍ତର ମାନସିକତା । ବାପାଙ୍କୁ ହତ୍ୟା କରିବା ପରଦିନ ସେ ପଡ଼ୋଶୀଙ୍କ ସହ କ୍ରିକେଟ୍ ଖେଳୁଥିଲା । ତା’ ମନରେ ନା କୌଣସି ଭୟ ଥିଲା ନା ଅବଶୋଷ । ଅନ୍ୟପଟେ ନାବାଳିକା ଭଉଣୀ ମଧ୍ୟ ଭୟଭୀତ ଅବସ୍ଥାରେ ପରୀକ୍ଷା ଦେବାକୁ ଯାଇଥିଲେ । ୨୧ ତାରିଖ ଦିନ ପୁଅ ନିଜେ ଥାନାକୁ ଯାଇ ବାପା ନିଖୋଜ ଥିବା ନେଇ ରିପୋର୍ଟ ମଧ୍ୟ ଦେଇଥିଲା । ୪ ଦିନ ଧରି ଶବ ଘର ଭିତରେ ରହିବାରୁ ସେଥିରୁ ଦୁର୍ଗନ୍ଧ ବାହାରିଥିଲା । ପଡ଼ୋଶୀମାନେ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘର ଭିତରେ ପହଞ୍ଚି ନୀଳ ଡ୍ରମ୍ ଭିତରୁ ମାନବେନ୍ଦ୍ରଙ୍କ କଟା ଶବ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଗିରଫ କରିଛି । ପଡ଼ୋଶୀଙ୍କ କହିବାନୁସାରେ, "ଆମେ ଦେଖିଲୁ ଅକ୍ଷତ କ୍ରିକେଟ୍ ଖେଳୁଛି । ସେ କହିଥିଲା ବାପା ନିଖୋଜ ଅଛନ୍ତି । କିନ୍ତୁ, ଘର ଭିତରେ ସେ ଯେ ଏତେ ବଡ଼ କାଣ୍ଡ ଭିଆଇଛି, ତାହା ଆମେ କଳ୍ପନା କରିପାରିନଥିଲୁ ।" ପୁଲିସ ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛି ଏବଂ ନାବାଳିକା ଝିଅର ବୟାନ ରେକର୍ଡ କରାଯାଇଛି ।