ଗ୍ରେଗେରୀୟ କ୍ୟାଲେଣ୍ଡର ଅନୁସାରେ ନୂଆବର୍ଷ (୨୦୨୬) ଆସିଯାଇଛି । ପୃଥିବୀ ସହିତ ପୃଥିବୀବାସୀ ଆମେମାନେ ଆଉ ଥରେ ସୂର୍ଯ୍ୟକୁ ପ୍ରଦକ୍ଷିଣ କରି ଆସିଛେ । ବିତିଯାଇଥିବା ବର୍ଷଟିରେ କେତେ ମହାଜାଗତିକ ଘଟଣା ସହିତ ପାର୍ଥିବ ଘଟଣାମାନ ଘଟିଯାଇଛି । ମାନବ ଜ୍ଞାନର ବିବିଧ ବିଭାବରେ କେତେ ନୂଆ ଗବେଷଣା କାର୍ଯ୍ୟ ଜାରି ରହିଛି । ପଦାର୍ଥବିଜ୍ଞାନ ଗବେଷଣାରେ ମଧ୍ୟ ଗତବର୍ଷ (୨୦୨୫) ଥିଲା ଘଟଣାବହୁଳ । ପ୍ରଯୁକ୍ତିର ବିକାଶ ସହିତ ଏବେ ବିଜ୍ଞାନୀମାନେ ପୂର୍ବବର୍ତ୍ତୀ ସମୟଠାରୁ ଆହୁରି ଅଧିକ ଭଲଭାବେ ଗବେଷଣା କରିପାରୁଛନ୍ତି, ସୂକ୍ଷ୍ମ ଓ ନିଖୁଣ ପରୀକ୍ଷଣ ହୋଇପାରୁଛି । ବର୍ଷଶେଷରେ "ଫିଜିକ୍ସ ୱାର୍ଲଡ, କ୍ୱାଣ୍ଟା' ପ୍ରଭୃତି ପତ୍ରିକା ସହିତ ବିଭିନ୍ନ ୱେବସାଇଟରେ ପ୍ରକାଶିତ ହୋଇଛି ବର୍ଷସାରା ଚର୍ଚ୍ଚା କରାଯାଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଗବେଷଣାର ତାଲିକା । ସେଥିମଧ୍ୟରୁ କେତେକକୁ ନେଇ ଆଜିର ଏହି ଆଲୋଚନା ।

ଏକ ଏକାକୀ କୃଷ୍ଣଗହ୍ୱର: ବିଜ୍ଞାନର ଇତିହାସରେ ନିର୍ମିତ ସର୍ବାପେକ୍ଷା ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର "ଜେମ୍ସ ୱେବ ସ୍ପେଶ ଟେଲିସ୍କୋପ' ଚମକପ୍ରଦ ଏକ ଆବିଷ୍କାର କରିଛି । ଏଥିରେ ଉତ୍ତୋଳିତ ହୋଇଥିବା ବ୍ରହ୍ମାଣ୍ଡ ବା ମହାବିଶ୍ୱର ପ୍ରାରମ୍ଭିକ ପର୍ଯ୍ୟାୟର ଏକ ଚିତ୍ରକୁ ନେଇ ବିଜ୍ଞାନଜଗତରେ ଆଲୋଡ଼ନ ସୃଷ୍ଟି ହୋଇଛି । ପୂର୍ବରୁ ମହାବିଶ୍ୱର ପ୍ରାରମ୍ଭିକ ୧୦୦କୋଟି ବର୍ଷରେ ଘଟିଥିବା କୌଣସି ଘଟଣା ବା ତଥ୍ୟ ପ୍ରତ୍ୟକ୍ଷ ଭାବେ ଜାଣିବା ବା ଦେଖିବାର ସୁଯୋଗ ବୈଜ୍ଞାନିକମାନଙ୍କର ନଥିଲା । "ଜେମ୍ସ ୱେବ ଟେଲିସ୍କୋପ' କାର୍ଯ୍ୟକାରୀ ହେବାପରେ ଏପରି ପର୍ଯ୍ୟବେକ୍ଷଣରେ ପରିବର୍ତ୍ତନ ଆସିଛି । ଏହି ଟେଲିସ୍କୋପ ସାହାଯ୍ୟରେ ମହାବିଶ୍ୱର ଶୈଶବ କାଳରେ ଛିଟିକି ପଡ଼ିଥିବା ଅତି କ୍ଷୁଦ୍ର ଆଲୋକବିନ୍ଦୁ ସବୁର ସନ୍ଧାନ ମିଳୁଛି । ବୈଜ୍ଞାନିକମାନେ ଏଗୁଡ଼ିକର ନାମ ଦେଇଛନ୍ତି "ଲିଟଲ ରେଡ୍ ଡଟ୍ସ' । ପୂର୍ବରୁ ଏଗୁଡ଼ିକ ବିଷୟରେ ବିଜ୍ଞାନୀମାନଙ୍କର ବିଶେଷ କିଛି ଧାରଣା ନଥିଲା । ତେବେ ଗତବର୍ଷ ସେଗୁଡ଼ିକ ମଧ୍ୟରୁ ଗୋଟିଏର ରହସ୍ୟ ବିଜ୍ଞାନୀମାନେ ଉନ୍ମୋଚନ କରିଛନ୍ତି ।

ଜେମ୍ସ ୱେବ ଟେଲିସ୍କୋପ ସହିତ ଯୁକ୍ତ ବିଜ୍ଞାନୀମାନେ ଜାଣିପାରିଛନ୍ତି ଯେ, ସେହି ଲାଲବିନ୍ଦୁଗୁଡ଼ିକ ଭିତରୁ ଗୋଟିଏ ହେଉଛି ଏକ କୃଷ୍ଣଗହ୍ୱର³ ଯାହା ବିଜ୍ଞାନରେ "ବ୍ଲାକ୍ହୋଲ' ନାମରେ ପରିଚିତ । ପୁଣି ଏହା ଏକ "ଏକକ କୃଷ୍ଣଗହ୍ୱର' । ଏହାର ବସ୍ତୁତ୍ୱ ପ୍ରାୟ ପାଞ୍ଚକୋଟି ସୂର୍ଯ୍ୟ- ବସ୍ତୁତ୍ୱ ସହ ସମାନ । ଏଯାଏଁ ବିଜ୍ଞାନୀମାନେ ଭାବୁଥିଲେ ଆଗ ଗାଲାକ୍ସି ସୃଷ୍ଟି ହୁଏ, ତା’ପରେ ଗାଲାକ୍ସି ଭିତରର ବଡ଼ ନକ୍ଷତ୍ର ସମୟକ୍ରମେ "ବ୍ଲାକହୋଲ'ରେ ପରିଣତ ହୁଏ । ମାତ୍ର ପ୍ରଶ୍ନ ଆସୁଛି, ମହାବିଶ୍ୱର ଶୈଶବରେ ଏପରି ଏକ "ବ୍ଲାକହୋଲ' କେମିତି ତିଆରି ହେଲା? ଏହା କ'ଣ ଏକ "ଆଦିମ ବ୍ଲାକହୋଲ'? ଯାହା ବୃହତ ବିସ୍ଫୋରଣ ସମୟରେ ହିଁ ସୃଷ୍ଟି ହୋଇଥିଲା । ଏସବୁ ପ୍ରଶ୍ନର ଉତ୍ତର ଏବେ ଜଣାନାହିଁ ।

ଡାର୍କ ଏନର୍ଜିର ଦୁର୍ବଳତା: ୨୦୨୫ରେ ଜ୍ୟୋତିର୍ପଦାର୍ଥବିଜ୍ଞାନରେ ଅନ୍ୟତମ ବଡ଼ ଖବର ଥିଲା "ଡାର୍କ ଏନର୍ଜିର ଦୁର୍ବଳତା' । ଆମେରିକାର ଆରିଜୋନାରେ ସ୍ଥାପିତ ଦୂରବୀକ୍ଷଣ ସହିତ ସଂଶ୍ଳିଷ୍ଟ "ଡାର୍କ ଏନର୍ଜି ସ୍ପେକଟ୍ରୋସ୍କୋପିକ ଇନଷ୍ଟ୍ରୁମେଣ୍ଟ' ସଂକ୍ଷେପରେ "ଡେସି'ରେ "ଡାର୍କ ଏନର୍ଜି'ର ପ୍ରଭାବ ଉପରେ ଗବେଷଣା କରାଯାଇଥାଏ । "ଡେସି ଟିମ୍' ୨୦୨୪ ଏପ୍ରିଲରେ ବ୍ରହ୍ମାଣ୍ଡର ଏକ ମାନଚିତ୍ର ପ୍ରକାଶ କରିଥିଲେ ।

"ଡାର୍କ ଏନର୍ଜିର ଦୁର୍ବଳତା' ବିଷୟଟି ସେଥିରୁ ଜଣାପଡ଼ିଥିଲା । ୨୦୨୪ରେ ପ୍ରକାଶିତ ମାନଚିତ୍ରରେ ୬୦ଲକ୍ଷ ଗାଲାକ୍ସିର ତଥ୍ୟ ଥିଲାବେଳେ ୨୦୨୫ରେ ସେଥିରେ ପ୍ରାୟ ଦେଢ଼କୋଟି ଗାଲାକ୍ସିର ତଥ୍ୟ ସଂଯୁକ୍ତ ହୋଇଛି । ଏହି ବିସ୍ତାରିତ ମାନଚିତ୍ରରୁ ଜଣାପଡ଼ିଛି ଯେ, ଡାର୍କ ଏନର୍ଜି ଧୀରେ ଧୀରେ ଦୁର୍ବଳ ହେଉଛି । "ମହାବିଶ୍ୱର ପ୍ରସାରଣ' ବିଜ୍ଞାନରେ ଏକ ପ୍ରତିଷ୍ଠିତ ତତ୍ତ୍ୱ ପ୍ରସାରିତ ହେଉଥିବାର ପ୍ରମାଣ ବିଜ୍ଞାନୀମାନେ ପୂର୍ବରୁ ପାଇଛନ୍ତି । ଡାର୍କ ଏନର୍ଜି ଯୋଗୁଁ ଏହି ପ୍ରସାରଣ ହେଉଛି ବୋଲି କୁହାଯାଏ । ଡାର୍କ ଏନର୍ଜି ମହାଶୂନ୍ୟରେ ଖୁବ୍ ହାଲୁକା ଭାବରେ ବିଚ୍ଛୁରିତ ହୋଇ ରହିଛି । ଏକ ଘନମିଟର ସ୍ଥାନରେ ଏହାର ପରିମାଣ କେତେଗୁଡ଼ିଏ ପରମାଣୁର ବସ୍ତୁତ୍ୱ ଭଳି ଖୁବ୍ କମ୍ । ଏହି ଡାର୍କ ଏନାର୍ଜି ହେଉଛି ମହାଶୂନ୍ୟର ନିଜସ୍ୱ ଶକ୍ତି । ମାତ୍ର ଏହି ଶକ୍ତିର ଉତ୍ସ କ'ଣ? ଏହା କାହିଁକି ଏଭଳି ବିସ୍ତାରିତ ହୋଇଥାଏ? ଏସବୁ ପ୍ରଶ୍ନର ଉତ୍ତର ଏବେ ମଧ୍ୟ ବିଜ୍ଞାନୀଙ୍କ ନିକଟରେ ସ୍ପଷ୍ଟ ନୁହେଁ । ଏବେ ଯଦି ସତରେ ଜଣାପଡ଼େ ଯେ, ପ୍ରତି ଶହେକୋଟି ବର୍ଷରେ ଏହାର ଘନତ୍ୱ କମୁଛି, ତେବେ ମହାବିଶ୍ୱ ସମ୍ପର୍କରେ ଯେଉଁ ଧାରଣା ଥିଲା ତାହା ପୂରା ବଦଳି ଯାଇପାରେ ।

ଦ୍ୱିମାତ୍ରିକ ଧାତବ ପାତିଆ: ଦ୍ୱିମାତ୍ରିକ ପାତିଆ ତିଆରି ଘଟଣା ନୂଆ ନୁହେଁ । ୨୦୦୪ରେ ଗ୍ରାଫିନ ତିଆରି ହୋଇଥିଲା । ଏହା ପ୍ରକୃତରେ ଏକ ଦ୍ୱିମାତ୍ରିକ ବସ୍ତୁ । ଏହାପରେ ଅନେକ ଦ୍ୱିମାତ୍ରିକ ବସ୍ତୁ ବିଜ୍ଞାନୀମାନେ ତିଆରି କରିଛନ୍ତି । ଗବେଷକମାନେ ବିଶୁଦ୍ଧ ଧାତୁଗୁଣ୍ଡକୁ "ମଲିବଡେନାମ ଡାଇ-ସାଲଫାଇଡ'ର "ୟାନଭିଲ' ଓ "ସାଫାୟାର' (ନୀଳା ବା ଆଲୁମିନିୟମ ଅକ୍ସାଇଡ ସ୍ଫଟିକ) ମଝିରେ ରଖି ଉତ୍ତପ୍ତ କରି ତାହାକୁ ତରଳ କରିଛନ୍ତି । ଉଚ୍ଚଚାପ ପ୍ରୟାଗ କରିବା ପରେ ଏଥିରୁ ଅତ୍ୟନ୍ତ ପତଳା ମୋଟେଇର ଧାତବ ପାତିଆ ତିଆରି ହୋଇଛି । ଏହି ପଦ୍ଧତି ପ୍ରୟୋଗ କରି ବିସମୁଥ, ଟିନ୍, ସିସା, ଇଣ୍ଡିୟମ ଓ ଗାଲିୟମ ଭଳି ଧାତୁର ଅତ୍ୟନ୍ତ ପତଳା (୦.୬-୦.୯ ନାନୋ ମିଟର) ଦ୍ୱିମାତ୍ରିକ ପାତିଆ (ସିଟ୍) ତିଆରି କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ଦ୍ୱିମାତ୍ରିକ ବସ୍ତୁର କେବଳ ଦୈର୍ଘ୍ୟ ଓ ପ୍ରସ୍ଥ ଥାଏ, ତେଣୁ ଏହା ସବୁବେଳେ ପାତିଆ ପରି ହେବ ।

ଏକକ ପରମାଣୁର ସର୍ବାଧିକ ରିଜୋଲ୍ୟୁସନର ଛବି: ପୂର୍ବରୁ ଅଲଗା କରି ଏକକ ପରମାଣୁର ଛବି ଉତ୍ତୋଳନ ସମ୍ଭବ ନଥିଲା । ୨୦୨୫ରେ ଆମେରିକାର ମେରିଲାଣ୍ଡ ଓ ଇଲିନୟ ବିଶ୍ୱବିଦ୍ୟାଳୟର ଦୁଇ ଗବେଷକଙ୍କ ନେତୃତ୍ୱରେ ଦଳେ ବିଜ୍ଞାନୀ ଏକକ ପରମାଣୁର ନୂଆ ଏକ ଚିତ୍ର ଉତ୍ତୋଳନ କରିଛନ୍ତି । ଏଯାଏଁ ଯେତେ ଛବି ଉଠାଯାଇଛି ସେଥିମଧ୍ୟରୁ ଏହାର ରିଜୋଲ୍ୟୁସନ ବା ବିଭେଦନ ସବୁଠୁ ବେଶି ।

"ଇଲେକଟ୍ରନ ଟାଇକୋଗ୍ରାଫି' ନାମରେ ଏକ ଉନ୍ନତ "ଇଲେକଟ୍ରନ ଆଣୁବୀକ୍ଷଣିକ କୌଶଳ' ବ୍ୟବହାର କରି ଏହି ଛବି ଉଠାଯାଇଛି । ଏହାଦ୍ୱାରା ବୈଜ୍ଞାନିକମାନେ "୧୫ ପିକୋମିଟର' ବିଭେଦନର ଛବି ଉଠେଇବାରେ ସକ୍ଷମ ହୋଇଛନ୍ତି । "୧୫ ପିକୋମିଟର' ହେଉଛି ପରମାଣୁ ଆକାରର ପ୍ରାୟ ଦଶ ଭାଗରୁ ଭାଗେ । ଅର୍ଥାତ୍ ପରମାଣୁର ଅଭ୍ୟନ୍ତରର ଗଠନ ମଧ୍ୟ ପ୍ରାୟ ସ୍ପଷ୍ଟଭାବେ ଦେଖିବା ସମ୍ଭବ ହୋଇଛି ଏହି ଚିତ୍ରରେ ।

ଚିତ୍ର ଉତ୍ତୋଳନ ପାଇଁ ଗବେଷକମାନେ "ଟାଙ୍ଗଷ୍ଟେନ ଡାଇସେଲେନାଇଡ' ଯୌଗ ବ୍ୟବହାର କରିଛନ୍ତି । ଏହି ଯୌଗର ହୁଇଟି ଅତି ପତଳା ସ୍ତରକୁ ପୃଥକ କରାଯାଇ ଦୁଇଟି ସ୍ତରକୁ ପରସ୍ପର ସପକ୍ଷରେ ଟିକିଏ ବୁଲେଇ ରଖାଯାଏ, ଏଥିଯୋଗୁଁ ଏକ ବିଶେଷ ଢାଞ୍ଚା ତିଆରି ହୁଏ । ଏହାକୁ "ମୋଏରେ ସୁପରଲାଟିସ' କୁହାଯାଏ । ଏହି "ସୁପରଲାଟିସ'ର ଘୂର୍ଣ୍ଣନ କୋଣ ଟିକିଏ ପରିବର୍ତ୍ତିତ ହେଲେ ଏହାର ବୈଦ୍ୟୁତିକ ବୈଶିଷ୍ଟ୍ୟରେ ବଡ଼ ପରିବର୍ତ୍ତନ ଦେଖାଯାଏ, ତେଣୁ ଚିତ୍ର ଉତ୍ତୋଳନ ସହଜ ହୋଇଥାଏ । ସୂକ୍ଷ୍ମ ବିଭେଦନ ବ୍ୟବହାର କରି ଗବେଷକମାନେ ଏହି "ସୁପରଲାଟିସ' ଭିତରେ ଏକପ୍ରକାର ସମ୍ମିଳିତ କମ୍ପନ ଦେଖିବାକୁ ପାଇଛନ୍ତି । ଏହାର ନାମ "ମୋଏରେ ଫେଜ ' । ଏହା "ଫୋନନ' ପରି । "ଫୋନନ' ହେଉଛି ଶବ୍ଦତରଙ୍ଗ ପାଇଁ ପ୍ରସ୍ତାବିତ କ୍ୱାଣ୍ଟମ କଣିକା । ଏହି ନୂଆ ଚିତ୍ର ସାହାଯ୍ୟରେ ପ୍ରଥମ କରି ଗବେଷକମାନେ ତାହାର ଚାକ୍ଷୁସ ପ୍ରମାଣ ପାଇଲେ ।

ପ୍ରତିପ୍ରୋଟନରେ କ୍ୱାଣ୍ଟମ ନିୟନ୍ତ୍ରଣ: ବିଶ୍ୱର ସବୁଠୁ ବଡ଼ କଣିକାପଦାର୍ଥବିଜ୍ଞାନ ଗବେଷଣା କେନ୍ଦ୍ର ସାର୍ନର ବେସ ଗବେଷଣା ଦଳର ବୈଜ୍ଞାନିକମାନେ ଏକ ବଡ଼ ସଫଳତା ପାଇଛନ୍ତି । ସେମାନେ ପ୍ରଥମକରି ଗୋଟିଏମାତ୍ର "ପ୍ରତିପ୍ରୋଟନ (ଆଣ୍ଟିପ୍ରୋଟନ)' ଉପରେ "ସମନ୍ୱିତ ସ୍ପିନ ସ୍ପେକଟ୍ରୋସ୍କୋପି' କରିଛନ୍ତି । ପ୍ରତିପ୍ରୋଟନ ହେଲା ପ୍ରୋଟନର ବିପରୀତ କଣିକା, ଅର୍ଥାତ୍ ପ୍ରତିକଣିକା । ଏହି ଗବେଷଣାରେ ପ୍ରତିପ୍ରୋଟନର ଚୌମ୍ବକ ବୈଶିଷ୍ଟ୍ୟ ଏଯାଏଁ ସର୍ବାଧିକ ନିଖୁଣଭାବେ ମାପିବା ସମ୍ଭବ ହୋଇଛି । ଏହି ପରୀକ୍ଷଣରେ ପ୍ରଥମେ ଏକ "ତ୍ୱରକ ଯନ୍ତ୍ର'ରେ ଖୁବ୍ ଉଚ୍ଚଶକ୍ତିସମ୍ପନ୍ନ ପ୍ରତିପ୍ରୋଟନ ସୃଷ୍ଟି କରାଯାଏ । ତା’ପରେ ଏଗୁଡ଼ିକୁ ଅତି ଶୀତଳ କରି ଏହାର ବେଗ ହ୍ରାସ କରି ଏହାକୁ "କ୍ରାୟୋଜେନିକ' ତାପମାତ୍ରାକୁ ଅଣାଯାଏ । ଏ ଏହି ପରୀକ୍ଷଣରେ କମ୍ପନର ଯେଉଁ ସର୍ବାଧିକ ବିସ୍ତାର ମିଳିଛି ତାହା ପୂର୍ବବର୍ତ୍ତୀ ମାନ ତୁଳନାରେ ୧୬ଗୁଣା ଅଧିକ ସରୁ । ଏଥିପାଇଁ ପରିମାପର ନିର୍ଭୁଲତା ଅନେକ ବଢ଼ିଛି ।

ଏହି ମାତ୍ରାରେ କ୍ୱାଣ୍ଟମ ନିୟନ୍ତ୍ରଣ କରିଥିବାରୁ ଇଲେକଟ୍ରନ, ପ୍ରୋଟନ ଓ ପ୍ରତିକଣିକାଗୁଡ଼ିକର ବୈଶିଷ୍ଟ୍ୟ ଖୁବ୍ ସୂକ୍ଷ୍ମଭାବେ ତୁଳନା କରିବା ସମ୍ଭବ ହେବ । ଏହି ତୁଳନାରେ ଯଦି ଅପ୍ରତ୍ୟାଶିତ କୌଣସି ପାର୍ଥକ୍ୟ ମିଳେ, ତେବେ ବଦଳି ଯାଇପାରେ ଗଣନା । ସେତେବେଳେ ହୁଏତ କଣିକା ପଦାର୍ଥବିଜ୍ଞାନର "ଷ୍ଟାଣ୍ଡାର୍ଡ ମଡେଲ' ବାହାରେ ଆଉ କୌଣସି ତତ୍ତ୍ୱର ଆଭାସ ମିଳିପାରେ । ଦୃଶ୍ୟମାନ ମହାବିଶ୍ୱରେ ପ୍ରତିପଦାର୍ଥ ତୁଳନାରେ ପଦାର୍ଥର ପରିମାଣ କାହିଁକି ଏତେ ବେଶି- ଏ ପ୍ରଶ୍ନର ଉତ୍ତର ମିଳିପାରେ ।

ପ୍ରଥମ ସୁପରଫ୍ଲୁଇଡ ଅଣୁ: ସୁପରଫ୍ଲୁଇଡକୁ ଓଡ଼ିଆରେ କୁହାଯାଇପାରେ ଅତିପ୍ରବାହୀ । ଏହି ପ୍ରକାରର ପଦାର୍ଥ ସବୁଠୁ ଦ୍ରୁତଗତିରେ ପ୍ରବାହିତ ହୁଏ । ମାତ୍ର କଠିନ ପଦାର୍ଥର ପ୍ରବାହୀ କ୍ଷମତା ନାହିଁ । କେବଳ ତରଳ ଓ ଗ୍ୟାସୀୟ ପଦାର୍ଥରେ ଏହି ବୈଶିଷ୍ଟ୍ୟ ଦେଖିବାକୁ ମିଳେ । ପ୍ରବାହୀ ଓ ଅତିପ୍ରବାହୀ ମଧ୍ୟରେ ଆକାଶ-ପାତାଳର ପ୍ରଭେଦ । ପ୍ରବାହୀ ସାଧାରଣ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ବେଳେ ଅତିପ୍ରବାହୀ ବ୍ୟବହୃତ ହୁଏ କ୍ୱାଣ୍ଟମ ଜଗତରେ । ସୁପାରଫ୍ଲୁଇଡ ପଦାର୍ଥ ନିର୍ମାଣ ସହଜ ନୁହେଁ । କଣିକାସବୁକୁ ଆଣବିକ ପର୍ଯାୟରେ ନେଇ ଏହା ତିଆରି କରିବା ମଧ୍ୟ କଷ୍ଟକର । ଏହି କଷ୍ଟକର କାର୍ଯ୍ୟଟି କରିଛନ୍ତି କାନାଡ଼ାର "ବ୍ରିଟିଶ କଲମ୍ବିଆ ବିଶ୍ୱବିଦ୍ୟାଳୟ' ଓ ଜାପାନର "ରିକେନ ଆଟମିକ ମଲିକ୍ୟୁଲାର ଆଣ୍ଡ ଅପଟିକାଲ ଫିଜିକ୍ସ ଲାବରେଟରି'ର ବୈଜ୍ଞାନିକମାନେ । ସେମାନେ ହାଇଡ୍ରୋଜେନ ଅଣୁରେ ଏହି ଘଟଣା କରି ଦେଖେଇଛନ୍ତି । ୨୦ବର୍ଷର ଗବେଷଣା ପରେ ସେମାନେ ଏଥିରେ ସଫଳ ହୋଇଛନ୍ତି । ଏହା ପଦାର୍ଥବିଜ୍ଞାନରେ ଏକ ବଡ଼ ଘଟଣା । କ୍ଲାସିକାଲ ମେକାନିକ୍ସର ନିୟମକୁ ମାନୁଥିବା କଣିକାର ଆଚରଣ ଠିକ୍ କେତେବେଳେ କ୍ୱାଣ୍ଟମ ମେକାନିକ୍ସକୁ ବଦଳିଯାଏ, ସେହି ସୀମାରେଖା ଏହି ଗବେଷଣାରୁ ଜାଣିହୁଏ । ବୈଜ୍ଞାନିକମାନେ ବିପୁଳ, ବୈଚିତ୍ର୍ୟପୂର୍ଣ୍ଣ ଏହି ପୃଥିବୀ ତଥା ବ୍ରହ୍ମାଣ୍ଡର ରହସ୍ୟ ଉନ୍ମୋଚନ ଅଭିପ୍ରାୟରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସତତଃ ଗବେଷଣାରେ ବ୍ରତୀ । ବର୍ଷ ଶେଷରେ ଅଥବା ନୂଆବର୍ଷର ଆରମ୍ଭରେ ଅର୍ଥନୈତିକ ବା ସାମାଜିକ କ୍ଷେତ୍ର ପରି ବିଜ୍ଞାନ ଜଗତର ସଫଳ ଗବେଷଣାକୁ ମଧ୍ୟ ଲୋକଲୋଚନକୁ ଆଣିବାର ଆବଶ୍ୟକତା ଅଛି