ନୂଆଦିଲ୍ଲୀ,୧୫/୦୫; ରାଜଧାନୀ ଦିଲ୍ଲୀରେ ନିର୍ଭୟା ଘଟଣା ଭଳି ଏକ ମାମଲା ସାମ୍ନାକୁ ଆସିଛି । ମଙ୍ଗୋଲପୁରି ଅଞ୍ଚଳରେ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଚଳନ୍ତା ବସ୍ ଭିତରେ ୨ ଘଣ୍ଟା ଧରି ଗଣଦୁଷ୍କର୍ମ କରାଯିବା ପରେ ବସ୍ରୁ ଠେଲିଦିଆଯାଇଥିଲା । ପୁଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ତେବେ ପୀଡ଼ିତା ସେ ଘଟଣା ବାବଦରେ କହିଛନ୍ତି । କିପରି ସେ ତାଙ୍କୁ ଛାଡ଼ିଦେବାକୁ ଅଭିଯୁକ୍ତଙ୍କୁ ଗୁହାରି କରିଥିଲେ ତାହା ବି କହିଛନ୍ତି । ନିଜ ୩ଟି ପିଲାଙ୍କ ପାଖକୁ ଯିବାକୁ ଅପେକ୍ଷା କରିଥିବା ଜଣେ ମା' ଗୁହାରି କରିଥିଲେ ହେଲେ ତାଙ୍କୁ ସେମାନେ ଛାଡିନଥିଲେ ।

ପୁଲିସ ସୂଚନା ଅନୁସାରେ, ପୀଡିତା ଏକ କାରଖାନାରେ କାମ କରନ୍ତି । ୧୧ ତାରିଖ ରାତିରେ ସେ କାମ ସାରି ଘରକୁ ଫେରୁଥିଲେ । ସରସ୍ୱତୀ ବିହାରର ବି-ବ୍ଳକ ବସଷ୍ଟାଣ୍ଡ ପାଖରେ ସେ ଯାଉଥିବା ବେଳେ ଏକ ଘରୋଇ ସ୍ଲିପର ବସ୍ ତାଙ୍କ ପାଖରେ ଅଟକିଥିଲା । ବସ୍‌ ଡୋର ପାଖରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ମହିଳା ସମୟ ପଚାରିଥିଲେ । ଏହି ସମୟରେ ସମ୍ପୃକ୍ତ ବ୍ୟକ୍ତି ମହିଳାଙ୍କୁ ବସ୍ ଭିତରକୁ ଟାଣି ନେଇଥିଲା । ପରେ ବସ୍ଟି ନାଙ୍ଗଲୋଇ ଅଭିମୁଖେ ଚାଲିଥିଲା । ବସ୍ଟି ପ୍ରାୟ ୨ ଘଣ୍ଟା ଧରି ବିଭିନ୍ନ ରୁଟ୍ରେ ୭ କି.ମି ବୁଲିଥିଲା । ଏହି ସମୟରେ ଉଭୟ ଡ୍ରାଇଭର ଓ ହେଲ୍ପର ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ । ବସ୍ ଭିତରେ ପରଦା ଲାଗିଥିବାରୁ ଭିତରେ କଥା ବାହାରକୁ ଜଣାପଡି ନଥିଲା । ପରେ ଏକ ନିଛାଟିଆ ସ୍ଥାନରେ ମହିଳାଙ୍କୁ ଓହ୍ଲାଇ ଅଭିଯୁକ୍ତ ବସ୍ ଧରି ପଳାଇଥିଲେ । ପୀଡିତା ମହିଳା ତୁରନ୍ତ ପିସିଆରକୁ ଫୋନ୍ କରି ଘଟଣା ଜଣାଇଥିଲେ । ପୀଡିତାଙ୍କ ଅଭିଯୋଗ ଆଧାରରେ ରାଣୀବାଗ ଥାନାରେ ମାମଲା ରୁଜୁ ହୋଇଥିଲା ।

ଏହା ବି ପଢନ୍ତୁ...Delhi Bus Gangrape: ରାଜଧାନୀରେ ବର୍ବରତା; ଚଳନ୍ତା ବସ୍ରେ ମହିଳାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ    

​​​​​​​ପୁଲିସ ନାଙ୍ଗଲୋଇ ମେଟ୍ରୋ ଷ୍ଟେସନ ନିକଟରେ ବସ୍‌କୁ ଜବତ କରିଥିଲା । ଅଭିଯୁକ୍ତ ଡ୍ରାଇଭର ଉମେଶ ଓ ହେଲ୍ପର ରାମେନ୍ଦ୍ରଙ୍କୁ ଗିରଫ କରିଥିଲା । ତଦନ୍ତରୁ ଜଣାପଡିଛି କି, ଉକ୍ତ ବସଟି ବିହାରର ଗୋପାଳଗଞ୍ଜ ଆରଟିଓରେ ପଞ୍ଜୀକୃତ । ବସ୍‌ଟି ଦିଲ୍ଲୀ-ବିହାର ମଧ୍ୟରେ ଚଳାଚଳ କରେ । କେବଳ ପର୍ଯ୍ୟଟକଙ୍କ ପାଇଁ ବସ୍‌କୁ ଅନୁମତି ରହିଥିଲା ବେଳେ ଏହା ଯାତ୍ରୀ ପରିବହନ କରୁଥିଲା । ଏହା ବିରୋଧରେ ଏକାଧିକ ଆଇନ ଉଲ୍ଲଂଘନ ମାମଲା ରହିଛି । ବସ୍ ଉପରେ ପୂର୍ବରୁ ୧୦ ଲକ୍ଷ ଟଙ୍କାର ଚାଲାଣ ମଧ୍ୟ କଟାଯାଇଛି  ।