ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ବିମାନବନ୍ଦରରେ ପିଏମ ମୋଦୀ ତାଙ୍କୁ ବ୍ୟକ୍ତିଗତ ଭାବରେ ସ୍ୱାଗତ କରିଥିଲେ। ଏହି ସମୟରେ ଦୁଇ ନେତା ହାତ ମିଳାଇ ପରସ୍ପରକୁ ଆଲିଙ୍ଗନ କରିଥିଲେ। ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଏବଂ ରୁଷରେ ଭାରତୀୟ ରାଷ୍ଟ୍ରଦୂତ ବିନୟ କୁମାର ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁଟିନ ଏକ କାରରେ ୭ କିଲୋମିଟର ଯାତ୍ରା କରିଥିଲେ। ଫର୍ଚୁନର କାରର ବାମ ପାର୍ଶ୍ୱରେ ମୋଦି ବସିଥିଲେ ଏବଂ ଡାହାଣ ପାର୍ଶ୍ୱରେ ପୁଟିନ ବସିଥିଲେ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ପୁଟିନଙ୍କୁ ଗାର୍ଡ ଅଫ୍ ଅନର ମଧ୍ୟ ଦିଆଯାଇଥିଲା।
ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପୁଟିନଙ୍କ ଏହା ପ୍ରଥମ ଭାରତ ଗସ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ୱାଗତ କରିବା ପାଇଁ ଏକ କାରକେଡ ସହିତ ବିମାନବନ୍ଦରରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ଆଜି ତାଙ୍କ ସମ୍ମାନାର୍ଥେ ଏକ ବ୍ୟକ୍ତିଗତ ରାତ୍ରୀଭୋଜନ ମଧ୍ୟ ଆୟୋଜନ କରିଛନ୍ତି।
ପୁଟିନ ଆଗାମୀ ତିରିଶ ଘଣ୍ଟା ପାଇଁ ଭାରତରେ ରହିବେ। ତାଙ୍କ ଆଗମନ ପୂର୍ବରୁ ଅନେକ ରୁଷ ମନ୍ତ୍ରୀ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି, ଯେଉଁଥିରେ ଉପ-ପ୍ରଧାନମନ୍ତ୍ରୀ ଡେନିସ ମାଣ୍ଟୁରୋଭ, ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ଏବଂ କୃଷି ମନ୍ତ୍ରୀ ଦିମିତ୍ରୀ ପେଟ୍ରୋଭ ମଧ୍ୟ ସାମିଲ ଅଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ ବିମାନବନ୍ଦରରେ ଅନ୍ୟ ଛଅ ଜଣ ନେତାଙ୍କୁ ସ୍ୱାଗତ କରିଥିଲେ। ଏଥିରେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା, ଜାପାନର ସିଞ୍ଜୋ ଆବେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନ ଏବଂ କାତାରର ଆମୀର ଶେଖ ତାମିମ୍ ବିନ୍ ହମାଦ ଅଲ୍ ଥାନି ସାମିଲ ଥିଲେ।
ରୁଷର ଅର୍ଥନୈତିକ ବିକାଶ ମନ୍ତ୍ରୀ ମ୍ୟାକ୍ସିମ୍ ରେସେଟନିକୋଭ୍ କହିଛନ୍ତି ଯେ ରୁଷ ବାଣିଜ୍ୟ ବିନିମୟ ବୃଦ୍ଧି କରିବାରେ ଆଗ୍ରହୀ। "ଆମେ ରୁଷ ବଜାରକୁ ଭାରତୀୟ ଉତ୍ପାଦର ଯୋଗାଣ ବୃଦ୍ଧି ଏବଂ ବାଣିଜ୍ୟ ସନ୍ତୁଳନ କରିବାରେ ଆଗ୍ରହୀ। ଆମେ ଭାରତୀୟ ଉତ୍ପାଦ କ୍ରୟ କରିବାରେ ବହୁତ ଆଗ୍ରହୀ।"