ନୂଆଦିଲ୍ଲୀ, ୧୨।୫: ସାରା ବିଶ୍ୱର ନଜର ଏବେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ରହିଛି । ଗତ ଫେବୃଆରୀ ୨୮ରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷ ଯୋଗୁଁ ଗ୍ଲୋବାଲ ମାର୍କେଟରେ ବଡ଼ ଧରଣର ହଲଚଲ ଦେଖାଦେଇଛି । ଏହାର ପ୍ରଭାବରୁ ଭାରତ ମଧ୍ୟ ବାଦ୍ ପଡ଼ିନାହିଁ । ବିଶେଷ କରି ଉପସାଗରୀୟ ଦେଶଗୁଡ଼ିକରୁ ଆସୁଥିବା ପେଟ୍ରୋଲ, ଡିଜେଲ ଏବଂ ରୋଷେଇ ଗ୍ୟାସର ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି । ଏଭଳି ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏକ ବଡ଼ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ବିଶ୍ୱସ୍ତରୀୟ ଆର୍ଥିକ ସଙ୍କଟର ମୁକାବିଲା ପାଇଁ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଭାରତୀୟମାନେ ସୁନା କିଣିବା ବନ୍ଦ ରଖିବା ଉଚିତ୍ । କେବଳ ସୁନା ନୁହେଁ, ବରଂ ଖାଇବା ତେଲ ଏବଂ ପେଟ୍ରୋଲ-ଡିଜେଲର ବ୍ୟବହାରରେ ମଧ୍ୟ କାଟଛାଣ୍ଟ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
କାହିଁକି ସୁନା କିଣିବାକୁ ବାରଣ କଲେ ପ୍ରଧାନମନ୍ତ୍ରୀ ?
ଆପଣ ଭାବୁଥିବେ ସୁନା କିଣିବା କିମ୍ବା ଖାଇବା ତେଲ ବ୍ୟବହାର କମ୍ କରିବା ସହ ଯୁଦ୍ଧର ସମ୍ପର୍କ କ’ଣ ? ପ୍ରକୃତରେ ଏହା ମୋଦିଙ୍କ 'କ୍ରାଇସିସ୍ ମ୍ୟାନେଜମେଣ୍ଟ'ର ଏକ ଦୀର୍ଘକାଳୀନ ଯୋଜନା । ଯେତେବେଳେ ଆମେ ବିଦେଶରୁ କୌଣସି ଜିନିଷ ଆମଦାନୀ କରୁ, ସେତେବେଳେ ଆମକୁ ଡଲାରରେ ପେମେଣ୍ଟ କରିବାକୁ ପଡ଼ିଥାଏ । ଯୁଦ୍ଧ ଯୋଗୁଁ ଡଲାର ମହଙ୍ଗା ହେଉଛି ଏବଂ ଟଙ୍କାର ମୂଲ୍ୟ ହ୍ରାସ ପାଉଛି । ତେଣୁ ଯେଉଁ ଜିନିଷଗୁଡ଼ିକ ଅତି ଜରୁରୀ ନୁହେଁ, ତାହାର ବ୍ୟବହାର କମ କରି ଦେଶର ବିଦେଶୀ ମୁଦ୍ରା ଭଣ୍ଡାରକୁ ସୁରକ୍ଷିତ ରଖିବା ପାଇଁ ସରକାର ଏହି ରଣନୀତି ଆପଣାଇଛନ୍ତି । ଭାରତୀୟଙ୍କର ସୁନା ପ୍ରତି ଥିବା ଦୁର୍ବଳତା କାହାକୁ ଅଛପା । ପରିସଂଖ୍ୟାନ ଅନୁଯାୟୀ, ଭାରତ ପ୍ରତିବର୍ଷ ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ସୁନା ବିଦେଶରୁ ଆମଦାନୀ କରିଥାଏ । ଏହି ବିପୁଳ ପରିମାଣର ଅର୍ଥ ପଇଠ କରିବା ପାଇଁ ଦେଶକୁ ବହୁ ପରିମାଣର ଡଲାର ଖର୍ଚ୍ଚ କରିବାକୁ ପଡ଼େ । ପ୍ରଧାନମନ୍ତ୍ରୀ ମୋଦି ମନେ ପକାଇ ଦେଇଛନ୍ତି ଯେ, ପୂର୍ବରୁ ଦେଶ ଉପରେ ବିପତ୍ତି ଆସିଲେ ଲୋକେ ସୁନା ଦାନ କରୁଥିଲେ, କିନ୍ତୁ ଆଜି ଦାନ ନୁହେଁ ବରଂ ବର୍ଷେ ଯାଏଁ ସୁନା ନ କିଣିଲେ ଦେଶର ବଡ଼ ଉପକାର ହେବ ।
'ଗୋଲ୍ଡ ଷ୍ଟ୍ରାଇକ୍' ପଛର ୩ଟି ବଡ଼ କାରଣ:
୧. ଅର୍ଥନୈତିକ ସ୍ଥିରତା: ଯୁଦ୍ଧ ସମୟରେ ଅନିଶ୍ଚିତତା ଲାଗି ରହିଥାଏ । ଯଦି ଆମେ କମ ଡଲାର ଖର୍ଚ୍ଚ କରିବା, ତେବେ ଦେଶର ଅର୍ଥନୀତି ସ୍ଥିର ରହିବ ।
୨. ପୁରୁଣା ସୁନାର ପୁନଃବ୍ୟବହାର: ସରକାର ଚାହୁଁଛନ୍ତି ଲୋକେ ନୂଆ ସୁନା ନ ମଗାଇ ନିଜ ପାଖରେ ଥିବା ପୁରୁଣା ଅଳଙ୍କାରକୁ ହିଁ ରିସାଇକେଲ କରି ବ୍ୟବହାର କରନ୍ତୁ । ଏହାଦ୍ୱାରା ଜୁଏଲାରୀ ଶିଳ୍ପ ଚାଲିବ ଏବଂ ବିଦେଶ ଉପରେ ନିର୍ଭରଶୀଳତା କମିବ ।
୩. କ୍ରୁଡ୍ ଅଏଲ୍ ଏବଂ ସାର ଉପରେ ଗୁରୁତ୍ୱ: ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ ଏବଂ ସାରର ଦାମ ବଢ଼ିବାରେ ଲାଗିଛି । କୃଷି ଏବଂ ପରିବହନ ପାଇଁ ଏହି ଦୁଇଟି ଜିନିଷ ଅତି ଆବଶ୍ୟକ । ସୁନା କିଣିବାରେ ଟଙ୍କା ବଞ୍ଚାଇଲେ ସରକାର ସେହି ଟଙ୍କାକୁ ତେଲ ଓ ସାର ଆମଦାନୀରେ ବ୍ୟବହାର କରିପାରିବେ ।
ଖାଇବା ତେଲ ଓ ପେଟ୍ରୋଲ ପାଇଁ ମାଷ୍ଟର ପ୍ଲାନ୍:
ସୁନା ବ୍ୟତୀତ ଭାରତ ପ୍ରାୟ ୧୧ ଲକ୍ଷ କୋଟିର କଞ୍ଚା ତେଲ ଏବଂ ୧.୬୧ ଲକ୍ଷ କୋଟିର ଖାଇବା ତେଲ ବିଦେଶରୁ ମଗାଉଛି । ତେଣୁ ଅଯଥା ପେଟ୍ରୋଲ ଖର୍ଚ୍ଚ ନ କରି ମେଟ୍ରୋ କିମ୍ବା ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ଅପିଲ୍ କରାଯାଇଛି ।
କମୁଛି ବିଦେଶୀ ମୁଦ୍ରା ଭଣ୍ଡାର:
ଆରବିଆଇ ତଥ୍ୟ ଅନୁଯାୟୀ, ଫେବୃଆରୀରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୭୨୮ ଅରବ ଡଲାର ଥିଲା, ଯାହା ମେ ମାସ ସୁଦ୍ଧା କମି ୬୯୦ ଅରବ ଡଲାରରେ ପହଞ୍ଚିଛି । ମାତ୍ର ଦୁଇ ମାସରେ ୩୮ ଅରବ ଡଲାରର ହ୍ରାସ ଚିନ୍ତାର ବିଷୟ । ଯଦି ଏହି ଯୁଦ୍ଧ ଅଧିକ ସମୟ ଧରି ଚାଲେ, ତେବେ ପରିସ୍ଥିତି ଆହୁରି ଗମ୍ଭୀର ହୋଇପାରେ । ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ହେଉଛି 'ଆତ୍ମନିର୍ଭରଶୀଳତା' ଏବଂ 'ସଞ୍ଚୟ'ର ଏକ ମହାମନ୍ତ୍ର । ଯୁଦ୍ଧ ଭୟ ଦୁଇ ଦେଶ ମଧ୍ୟରେ ହେଉଛି, କିନ୍ତୁ ତାହାର ପ୍ରଭାବ ଯେପରି ସାଧାରଣ ଭାରତୀୟଙ୍କ ରୋଷେଇ ଘର ଉପରେ ନ ପଡ଼େ, ସେଥିପାଇଁ ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ।
ଆହୁରି ପଢ଼ନ୍ତୁ... ଗୋଟିଏ ବର୍ଷ ପାଇଁ କାହିଁକି କିଣିବେନି ସୁନା? ଏହା ପଛରେ ରହିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୨ ବିଲିୟନ ଡଲାରର ଫୋରେକ୍ସ ଲଜିକ୍