ନୂଆଦିଲ୍ଲୀ,୧୬/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାରଠୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ ସାଇପ୍ରସ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ । ଆଜି (ସୋମବାର) ସାଇପ୍ରସରୁ କାନାଡ଼ା ଗସ୍ତ କରିବେ । ଏହାପରେ କ୍ରୋଏସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରବିବାର ସାଇପ୍ରସରେ ପହଞ୍ଚିବା ପରେ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲ । ମୋଦିଙ୍କ ହାତ ଧରି ରେଡ଼ କାର୍ପେଟରେ ପାଛୋଟି ନେଇଥିଲେ ରାଷ୍ଟ୍ରପତି ନିକୋସ କ୍ରେଷ୍ଟାଡେଲିଡେସ । ସେଠାରେ ସ୍ୱାଗତ ଲାଗି ଆସିଥିବା ପ୍ରବାସୀ ଭାରତୀୟଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଇପ୍ରସର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ନିକୋସ କ୍ରେଷ୍ଟାଡେଲିଡେସଙ୍କ ସହ ଏକ ବ୍ୟାପାର ସମ୍ବନ୍ଧୀୟ ବୈଠକରେ ସାମିଲ ହୋଇଥିଲେ ପିଏମ୍ ।
ବ୍ୟାପାର, ନିବେଷ ଏବଂ ରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଯାହାକୁ ନେଇ ବିକାଶର ସମ୍ଭାବନା ଅଧିକ ରହିଛି । ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, ''ଦୀର୍ଘ ଦିନ ହେବ ସାଇପ୍ରସ ଭାରତର ଏକ ବିଶ୍ୱସ୍ତ ସହଯୋଗୀ ହୋଇଛି । ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ବଦ୍ଧକୁ ବଢାଯାଇଛି । ରାଷ୍ଟ୍ରପତି ନିକୋସ ଓ ମୁଁ ଭାରତ ଏବଂ ସାଇପ୍ରସ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛୁ ।''
ଉଦ୍ଭାବନ, ଶକ୍ତି, ଟେକ୍ନୋଲୋଜିରେ ସମ୍ଭାବନା- ପ୍ରଧାନମନ୍ତ୍ରୀ କହିଛନ୍ତି, ''ଇନୋଭେସନ୍, ଏନର୍ଜି, ଟେକ୍ନୋଲୋଜି ଆଦି କ୍ଷେତ୍ରରେ ଅପାର ସମ୍ଭାବନା ରହିଛି । ମୁଁ ଗତ ଦଶକରେ ଭାରତର ସୁଧାର ପଥ ବିଷୟରେ ଆଲୋଚନା କରିଛି । ୨୩ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ସାଇପ୍ରସ ଆସିଛନ୍ତି । ପ୍ରଥମ କାର୍ଯ୍ୟକ୍ରମ ବ୍ୟବସାୟ ଜଗତର ଲୋକଙ୍କ ସହିତ ବୈଠକ କରିଛି । ଏହା ସଙ୍କେତ ଦେଉଛି କି ଆର୍ଥିକ ଦୁନିଆ ସହ ଜଡ଼ିତ ଲୋକ ଭାରତ ଏବଂ ସାଇପ୍ରସ ସମ୍ପର୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ । ବ୍ୟାପାର, ନିବେଶ, ଆର୍ଥିକ ସେବା, ଷ୍ଟାଟଅପ୍, ଉଦ୍ଭାବନ, ଏଆଇ, ଆଇଟି, ରକ୍ଷା କ୍ଷେତ୍ରକୁ ମଜବୁତ ହେଉ । ଭାରତ ଓ ସାଇପ୍ରସ ମଧ୍ୟରେ ୧୫୦ ମିଲିୟନ ଡଲାର ବ୍ୟାପର ହୋଇଛି । ଅସଲି କ୍ଷମତା ଏହାଠୁ ଅଧିକ । ଅର୍ଥବ୍ୟବସ୍ଥା, ୧୦୦ ବିଲିୟନ ଡଲାର ନିବେଶ ଏବଂ ଡିଜିଟାଲ କ୍ରାନ୍ତି ସୃଷ୍ଟି ହୋଇଛି ।''
ଇନ୍ଦିରା ଗାନ୍ଧୀ ଓ ଅଟଳ ବିହାରୀ ବାଜେପୟୀଙ୍କ ପରେ ତୃତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ସାଇପ୍ରସ ଗସ୍ତ କରିଛନ୍ତି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ, ସୁରକ୍ଷା, ଟେକ୍ନୋଲୋଜି ଓ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି । ପ୍ରସ୍ତାବିତ ଭାରତ ମଧ୍ୟପ୍ରାଚ୍ୟ-ୟୁରୋପ କରିଡର (ଆଇଏମ୍ଇସି) ଗଠନରେ ସାଇପ୍ରସ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି କରିଡର ମାଧ୍ୟମରେ ମଧ୍ୟପ୍ରାଚ୍ୟ ଦେଇ ୟୁରୋପ ସହିତ ଭାରତ ସାମୁଦ୍ରିକ ଓ ରେଳମାର୍ଗରେ ଯୋଡିହେବ ।
ସାଇପ୍ରସ ଗସ୍ତ ସାରି ମୋଦି ଆଜି କାନାଡା ଯିବେ । ୧୬ ଓ ୧୭ରେ କାନାଡା ଆଲବର୍ଟା ପ୍ରଦେଶର କାନାନାସ୍କିସ୍ ଠାରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ । କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଗତ ୬ ତାରିଖରେ ମୋଦିଙ୍କୁ ଫୋନ୍ କରି ସମ୍ମିଳନୀରେ ଯୋଗଦେବା ଲାଗି ନିମନ୍ତ୍ରଣ କରିଥିଲେ । ଜୁନ ୧୮ରେ ମୋଦି କ୍ରୋଏସିଆ ଯିବେ । କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କ୍ରୋଏସିଆ ଗସ୍ତ ହେବ । ରାଜଧାନୀ ଜାଗ୍ରେବରେ ମୋଦି କ୍ରୋଏସିଆ ପ୍ରଧାନମନ୍ତ୍ରୀ ଆନ୍ଦ୍ରେଜ ପ୍ଲେଙ୍କୋଭିଚ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବେ । ସେଠାକାର ରାଷ୍ଟ୍ରପତି ଜୋରାନ ମଲେନୋଭିଚଙ୍କୁ ମଧ୍ୟ ମୋଦି ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।