ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶର ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ଏବଂ ଦୀର୍ଘକାଳୀନ ସଂସ୍କାରର ସୁପାରିଶ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟେକ୍ କମ୍ପାନୀ ଇନଫୋସିସର ସହ-ସଂସ୍ଥାପକ ନନ୍ଦନ ନିଲେକଣିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯିବା ନେଇ ସେ ଘୋଷଣା କରିଛନ୍ତି। ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଓ ପରୀକ୍ଷା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ବିଶ୍ୱସନୀୟ କରିବା ଦିଗରେ କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସର ଏହା ଏକ ଅଂଶ।
ଭିଡିଓ ବାର୍ତ୍ତାରେ କ’ଣ କୁହାଯାଇଛି ?
ସୋସିଆଲ ମିଡିଆରେ ସେୟାର କରାଯାଇ ଥିବା ଏକ ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ବୁଝାଇଛନ୍ତି। କହିଛନ୍ତି - କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଅନେକ ଦୃଢ଼ ପଦକ୍ଷେପ ନେଉଛନ୍ତି। ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଯେଉଁମାନେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳିଛନ୍ତି ଏବଂ ପରୀକ୍ଷା ବ୍ୟବସ୍ଥାରେ ଅନିୟମିତତା କରିଛନ୍ତି, ସେମାନେ ଏବେ ଜେଲରେ ଅଛନ୍ତି। ସରକାର ଏଭଳି ଅପରାଧ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରି ଦେଇଛନ୍ତି।
ଫାଷ୍ଟ-ଟ୍ରାକ୍ କୋର୍ଟ କୋଡ୍ ଲାଗୁ -
ପ୍ରଧାନମନ୍ତ୍ରୀ ସରକାରଙ୍କ ଦ୍ୱାରା ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରି କହିଛନ୍ତି , କେନ୍ଦ୍ର ସରକାର ପୂର୍ବରୁ ଫାଷ୍ଟ-ଟ୍ରାକ୍ କୋର୍ଟ କୋଡ୍ ଲାଗୁ କରି ସାରିଛନ୍ତି, ଯାହା ଦ୍ୱାରା ପରୀକ୍ଷା ସମ୍ବନ୍ଧୀୟ ଜାଲିଆତି ମାମଲାର ଶୀଘ୍ର ସମାଧାନ ହୋଇ ପାରିବ। ଏହା ବ୍ୟତୀତ, ପରୀକ୍ଷା ସମ୍ବନ୍ଧୀୟ ଅନିୟମିତତାକୁ ରୋକିବା ପାଇଁ ସଂସଦରେ କଠୋର ନିୟମ ଓ ପ୍ରାବଧାନ ଥିବା ଏକ ନୂଆ ବ୍ୟାପକ ଆଇନ ଆଣିବା ଦିଗରେ ସରକାର ସକ୍ରିୟ ଭାବେ ଆଗେଇ ଚାଲିଛନ୍ତି। ଏହି ଆଇନ ଭବିଷ୍ୟତରେ କୌଣସି ପ୍ରକାରର ଗଡ଼ବଡ଼କୁ ରୋକିବାରେ ଏବଂ ଦୋଷୀଙ୍କୁ କଠୋର ଦଣ୍ଡ ଦେବାରେ ସହାୟକ ହେବ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ପରୀକ୍ଷା ବ୍ୟବସ୍ଥାକୁ କେବଳ ଅସ୍ଥାୟୀ ଉପାୟରେ ନୁହେଁ, ବରଂ ସ୍ଥାୟୀ ଏବଂ ଆଧୁନିକ ଉପାୟରେ ମଜବୁତ କରିବା ଉପରେ ଧ୍ୟାନ ଦେଉଛନ୍ତି। ଟେକ୍ନୋଲୋଜିର ଅଧିକରୁ ଅଧିକ ବ୍ୟବହାର ସୁନିଶ୍ଚିତ କରି ପରୀକ୍ଷା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବିଶ୍ୱସନୀୟ, ସ୍ୱଚ୍ଛ ଏବଂ ନିରପେକ୍ଷ କରିବାର ପ୍ରୟାସକୁ ଜୋରଦାର କରାଯାଉଛି। ଡିଜିଟାଲ୍ ସମାଧାନ, ଉନ୍ନତ ନିରୀକ୍ଷଣ ବ୍ୟବସ୍ଥା ଏବଂ ପ୍ରଯୁକ୍ତିବିଦ୍ୟାଗତ ନବସୃଜନ ମାଧ୍ୟମରେ ପରୀକ୍ଷାରେ କୌଣସି ପ୍ରକାରର ଅନିୟମିତତାର ସୁଯୋଗକୁ ସମ୍ପୂର୍ଣ୍ଣ ଶେଷ କରିବାର ଲକ୍ଷ୍ୟ ରଖା ଯାଇଛି।
ଆହୁରି ମଧ୍ୟ ପଢନ୍ତୁ - 8th Pay Commission : ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର ; ଦିଲ୍ଲୀ, ଚେନ୍ନାଇ ଓ ପୁଡୁଚେରୀରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ
ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁଯାୟୀ, ଏହି ଟାସ୍କ ଫୋର୍ସ ପରୀକ୍ଷା ସଂସ୍କାର ଉପରେ ଧ୍ୟାନକେନ୍ଦ୍ରୀତ କରିବ ଏବଂ ଯଥାଶୀଘ୍ର ନିଜର ସୁପାରିଶ ପ୍ରଦାନ କରିବ। ଆଗାମୀ ପରୀକ୍ଷାଗୁଡ଼ିକର ବିଶ୍ୱସନୀୟତା ସୁନିଶ୍ଚିତ କରିବା ପାଇଁ ସରକାର ପ୍ୟାନେଲର ରିପୋର୍ଟ ଆଧାରରେ ଆବଶ୍ୟକୀୟ ପଦକ୍ଷେପ ନେବେ।