ନୂଆଦିଲ୍ଲୀ,୨୮/୧୨; ବର୍ଷର ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୨୫ ଭାରତ ପାଇଁ ମାଇଲଖୁଣ୍ଟର ବର୍ଷ ଥିଲା । କ୍ରୀଡ଼ା, ବିଜ୍ଞାନ ସମେତ ସୁରକ୍ଷାରେ ବଡ଼ ଉପଲବ୍ଧି ମିଳିଛି । ସବୁ କ୍ଷେତ୍ରରେ ଭାରତର ପ୍ରଭାବ ଦେଖିବାକୁ ମିଳିଛି । ମହାକାଶରୁ କ୍ରୀଡ଼ା ପର୍ଯ୍ୟନ୍ତ ଭାରତକୁ ସଫଳତା ମିଳିଛି । ସବୁ କ୍ଷେତ୍ରରେ ଭାରତ ତାର ଛାପ ଛାଡ଼ିଛି । 'ଅପରେସନ ସିନ୍ଦୂର' ଭାରତୀୟଙ୍କ ଗର୍ବର ପ୍ରତୀକ । ଶତ୍ରୁକୁ କଡ଼ା ଜବାବ ମିଳିଛି । ଭାରତର ବଡ଼ ଶକ୍ତି ଯୁବଶକ୍ତି । ଆଜିର ଭାରତ ସୁରକ୍ଷା ସହିତ କୌଣସି ସାଲିସ୍ କରିବନାହିଁ । ୧୨୯ ତମ ମନ୍ କି ବାତରେ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ।​​​​​​​​​​​​​​​​​​​​​​​

୨୦୨୫ର ପ୍ରତିଟି ମୂହୁର୍ତକୁ ନେଇ ଭାରତୀୟ ଗର୍ବିତ- ପ୍ରଧାନମନ୍ତ୍ରୀ ମୋଦିଙ୍କ "ମନ କି ବାତ" କାର୍ଯ୍ୟକ୍ରମର ୧୨୯ତମ ଏପିସୋଡ୍ ଥିଲା । କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଆଉ କିଛି ଦିନ ପରେ ୨୦୨୬ ବର୍ଷ  ଆସିବ । ଆଜି ମୁଁ ଆପଣଙ୍କ ସହିତ କଥା ହେବା ସମୟରେ, ଏକ ସମ୍ପୂର୍ଣ୍ଣ ବର୍ଷର ସ୍ମୃତି ମୋ ମନରେ ଆସୁଛି । ଅନେକ ଫଟୋ, ଅନେକ ଆଲୋଚନା, ଅନେକ ସଫଳତା ଯାହା ଦେଶକୁ ଏକତ୍ର କରିଥିଲା । ୨୦୨୫ ଆମକୁ ଅନେକ ମୁହୂର୍ତ୍ତ ଦେଇଥିଲା ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି । ଜାତୀୟ ସୁରକ୍ଷାଠାରୁ ଆରମ୍ଭ କରି କ୍ରୀଡ଼ା କ୍ଷେତ୍ର, ବିଜ୍ଞାନରୁ ନେଇ ମହାକାଶ ଯାଏ ବିଶ୍ୱର ପ୍ରମୁଖ ମଞ୍ଚ ପର୍ଯ୍ୟନ୍ତ ସବୁଠି ଛାପ ଛାଡିଛି ଭାରତ । ଏହି ବର୍ଷ, 'ଅପରେସନ ସିନ୍ଦୂର' ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ପ୍ରତୀକ ପାଲଟିଛି । ଆଜିର ଭାରତ ସୁରକ୍ଷା ସହିତ କୌଣସି ପ୍ରକାରର ସାଲିସ କରେ ନାହିଁ। ଅପରେସନ ସିନ୍ଦୂର ସମୟରେ, ଦେଶର ପ୍ରତ୍ୟେକ କୋଣରୁ ଭାରତ ମାତାଙ୍କ ପ୍ରତି ପ୍ରେମ ଏବଂ ଭକ୍ତିର ପ୍ରତିଛବି ଉଭା ହୋଇଥିଲା । ଲୋକମାନେ ନିଜର ଭାବନା ପ୍ରକାଶ କରିଥିଲେ। ଏହି ସମାନ ମନୋଭାବ ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂରଣ କରିବା ସମୟରେ ମଧ୍ୟ ଦେଖାଯାଇଥିଲା ।

​​​​​​​'କ୍ରୀଡା ଦୃଷ୍ଟିରୁ ୨୦୨୫ ସ୍ମରଣୀୟ ବର୍ଷ'- ମନ୍‌ କି ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦି କ୍ରୀଡା ଜଗତର ବିଭିନ୍ନ ସଫଳତା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଥିଲେ ଯେ, ୨୦୨୫ କ୍ରୀଡା ଦୃଷ୍ଟିରୁ ମଧ୍ୟ ଏକ ସ୍ମରଣୀୟ ବର୍ଷ ଥିଲା । ଆମ ପୁରୁଷ କ୍ରିକେଟ ଦଳ ICC ଚାମ୍ପିଅନସିପ୍ ଟ୍ରଫି ଜିତିଥିଲା । ମହିଳା କ୍ରିକେଟ ଦଳ ପ୍ରଥମ ଥର ପାଇଁ ବିଶ୍ୱକପ୍ ଜିତିଥିଲା । ଭାରତର ଝିଅମାନେ ମହିଳା ଦୃଷ୍ଟିହୀନ T20 ଜିତି ଇତିହାସ ରଚିଥିଲେ । ଏସିଆ କପ୍ T20 ରେ ମଧ୍ୟ ତ୍ରିରଙ୍ଗା ଗର୍ବର ସହିତ ଉଡିଥିଲା । ପାରା-ଆଥଲେଟମାନେ ବିଶ୍ୱ ଚାମ୍ପିଅନସିପରେ ଅନେକ ପଦକ ଜିତି ପ୍ରମାଣ କରିଥିଲେ ଯେ, କୌଣସି ବାଧା ସାହସକୁ ରୋକିପାରିବ ନାହିଁ । ଭାରତ ବିଜ୍ଞାନ ଏବଂ ମହାକାଶ କ୍ଷେତ୍ରରେ ବଡ଼ ସଫଳତା ହାସଲ କରିଛି । ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିବା ପ୍ରଥମ ଭାରତୀୟ ହୋଇଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ମହାକୁମ୍ଭ, ରାମ ମନ୍ଦିର ପତାକା ଉତ୍ତୋଳନ ବିଷୟରେ...ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୦୨୫ରେ ବିଶ୍ୱାସ, ସଂସ୍କୃତି ଏବଂ ଭାରତର ଅନନ୍ୟ ଐତିହ୍ୟ ଏକାଠି ହୋଇଥିଲା । ବର୍ଷ ଆରମ୍ଭରେ ପ୍ରୟାଗରାଜ ମହାକୁମ୍ଭ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥିଲା । ବର୍ଷ ଶେଷରେ ଅଯୋଧ୍ୟାର ରାମ ମନ୍ଦିରରେ ପତାକା ଉତ୍ତୋଳନ ଉତ୍ସବ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି । ସ୍ୱଦେଶୀ ପ୍ରତି ଲୋକଙ୍କ ଉତ୍ସାହ ମଧ୍ୟ ସ୍ପଷ୍ଟି ହୋଇଥିଲା । ଲୋକମାନେ କେବଳ ସେହି ଉତ୍ପାଦ କିଣୁଛନ୍ତି ଯାହା ଜଣେ ଭାରତୀୟଙ୍କ ଝାଳରେ ରଙ୍ଗୀନ ହୋଇଛି ଏବଂ ଯେଉଁଥିରେ ଭାରତୀୟଙ୍କ ମାଟିର ସୁଗନ୍ଧ ଅଛି । ଆଜି, ଆମେ ଗର୍ବର ସହିତ କହିପାରିବା ଯେ ୨୦୨୫ ଭାରତକୁ ଆହୁରି ଅଧିକ ଆତ୍ମବିଶ୍ୱାସ ଦେଇଛି ।

ପ୍ରଧାନମନ୍ତ୍ରୀ ମନ୍ କି ବାତ୍‌ରେ ଆହୁରି କହିଛନ୍ତି, ଏହା ମଧ୍ୟ ସତ୍ୟ ଯେ ଏହି ବର୍ଷ ଆମକୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଛି । ଏବେ ଦେଶ ୨୦୨୬ ରେ ନୂଆ ଆଶା ଏବଂ ନୂଆ ସଂକଳ୍ପ ସହିତ ଆଗକୁ ବଢ଼ିବାକୁ ପ୍ରସ୍ତୁତ ।

​​​​​​​