ନୂଆଦିଲ୍ଲୀ,୦୧/୦୯: ଚୀନ୍ ତିଆନଜିନ୍ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ, ତିନି ପ୍ରମୁଖ ଶକ୍ତି ଭାରତ, ଚୀନ୍ ଏବଂ ରୁଷକୁ ଗୋଟିଏ ମଞ୍ଚରେ ଏକାଠି ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ମୋଦି, ରୁଷ ରାଷ୍ଟ୍ରପତି ପୁଟିନ୍ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପରସ୍ପରକୁ ଭେଟି ଏକ ବୈଠକ କରିଥିଲେ । ଏସସିଓ ସମ୍ମିଳନୀ କାର୍ଯ୍ୟକ୍ରମ ପରେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ପୁଟିନ୍ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ଗୋଟିଏ ପଟେ ଆମେରିକା  ଭାରତ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରୁଛି ଏବଂ ରୁଷରୁ ତେଲ କିଣିବା ପାଇଁ ଏହାକୁ ଟାର୍ଗେଟ କରୁଛି, ଦୁଇ ଦେଶ ମଧ୍ୟରେ ଏହି ଆଲୋଚନା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ଦୁଇ ବିଶ୍ୱ ନେତାଙ୍କ ମଧ୍ୟରେ ରୁଷ-ୟୁକ୍ରେନ ଯୁଦ୍ଧ ଶୀଘ୍ର ସମାପନ ହେଉ ବୋଲି ଆଶା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ସର୍ବଦା ଶାନ୍ତି ସପକ୍ଷରେ, ସଂଘର୍ଷ ସମାପ୍ତ ମାନବିକତା ପାଇଁ ଭଲ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

"ଉଭୟ ଦେଶ କାନ୍ଧରେ କାନ୍ଧ ମିଶାଇ ଚାଲିଛନ୍ତି"- ଦ୍ୱିପାକ୍ଷିକ ବୈଠକ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ''ମୁଁ ସର୍ବଦା ଅନୁଭବ କରେ ଯେ ଆପଣଙ୍କ ସହିତ ସାକ୍ଷାତ ବେଶ୍‌ ସ୍ମରଣୀୟ । ଆମକୁ ଅନେକ ବିଷୟ ଉପରେ ସୂଚନା ଆଦାନପ୍ରଦାନ କରିବାର ସୁଯୋଗ ମିଳିଛି । ଆମେ ନିରନ୍ତର ଯୋଗାଯୋଗରେ ରହିଛୁ । ଅନେକ ସମୟରେ ଦୁଇ ପକ୍ଷ ମଧ୍ୟରେ  ଉଚ୍ଚସ୍ତରୀୟ ବୈଠକ ହୋଇଛି । ୧୪୦ କୋଟି ଭାରତୀୟ ଡିସେମ୍ବରରେ ହେବାକୁ ଥିବା ୨୩ତମ ଶିଖର ସମ୍ମିଳନୀ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହା ଆମର ବିଶେଷ ସହଭାଗୀରକୁ ପ୍ରତିଫଳିତ କରେ । ଭାରତ ଏବଂ ରୁଷ ସବୁବେଳେ କଷ୍ଟକର ପରିସ୍ଥିତିରେ ମଧ୍ୟ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଛନ୍ତି । ଆମର ଘନିଷ୍ଠ ସହଯୋଗ କେବଳ ଉଭୟ ଦେଶର ଲୋକଙ୍କ ପାଇଁ ନୁହେଁ ବରଂ ବିଶ୍ୱ ଶାନ୍ତି ଏବଂ ସ୍ଥିରତା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ୟୁକ୍ରେନରେ ଚାଲିଥିବା ସଂଘର୍ଷ ବିଷୟରେ ନିରନ୍ତର ଆଲୋଚନା କରି ଆସୁଛି । ଶାନ୍ତି ପାଇଁ ଆମେ ସାମ୍ପ୍ରତିକ ସମସ୍ତ ପ୍ରୟାସକୁ ସ୍ୱାଗତ କରୁଛୁ । ଯଥାଶୀଘ୍ର ସଂଘର୍ଷର ଅନ୍ତ କରି ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଏକ ଉପାୟ ଖୋଜିବାକୁ ପଡିବ। ଏହା ସମଗ୍ର ମାନବଜାତିର ଆହ୍ୱାନ ।''

ଅଧିକ ପଢନ୍ତୁ...'ଶାନ୍ତି ପ୍ରତିଷ୍ଠା ଦିଗରେ ଆତଙ୍କବାଦ ବଡ଼ ପ୍ରତିବନ୍ଧକ, କିଛି ଦେଶର ସମର୍ଥନ ସ୍ୱୀକାର ନୁହେଁ'... ଏସସିଓ ମଞ୍ଚରୁ ପାକ୍‌କୁ ସିଧା ଶୁଣାଇଲେ ପ୍ରଧାନମନ୍ତ୍ରୀ ମୋଦି

'ମୁଁ ବହୁତ ଖୁସି' - ଦ୍ବିପାକ୍ଷିକ ଆଲୋଚନା ଅବସରରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ସାକ୍ଷାତ ପାଇଁ ଖୁସି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ମୁଁ ବହୁତ ଖୁସି । ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ ସିଏସ୍‌ସିଓ ଶିଖର ସମ୍ମିଳନୀ ସମୟରେ ସାକ୍ଷାତ କରୁଛୁ । ଏହା ଏକ ପ୍ଲାଟଫର୍ମ ଯାହା ବିଶ୍ୱ ଦକ୍ଷିଣ ଏବଂ ପୂର୍ବର ଦେଶଗୁଡ଼ିକୁ ଏକତ୍ର କରେ ।