ନୂଆଦିଲ୍ଲୀ ୦୨/୦୬: ଭାଙ୍ଗିବ କି ୬ ବର୍ଷର ପୁରୁଣା ପରମ୍ପରା। G7 ଶିଖର ସମ୍ମିଳନୀରେ ଯୋଗ ଦେଇ ନପାରନ୍ତି ପ୍ରଧାନମନ୍ତ୍ରୀ ମୋଦି। ଚଳିତ ମାସରେ ଆୟୋଜନ ହେବ ସମ୍ମିଳନୀ। ହେଲେ ଏଯାଏଁ ମିଳିନି କାନାଡା ତରଫରୁ ଇନଭିଟେସନ୍‌।

ଜୁନ୍ ୧୬-୧୭ ରେ G7 ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି କାନାଡା । କାନାଡାର ଆଲବର୍ଟାରେ ଆୟୋଜିତ ହେବ ଏହି ସମ୍ମିଳନୀ । ୬ ବର୍ଷ ମଧ୍ୟରେ ପ୍ରଥମ ଥର ଏପରି ହେବାକୁ ଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦି ଏହି ଶିଖର ସମ୍ମିଳନୀର ଅଂଶଗ୍ରହଣ କରି ନ ପାରନ୍ତି। କୁହାଯାଉଛି ଯେ ତାଙ୍କୁ ବୈଠକ ନେଇ କାନାଡାରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ନିମନ୍ତ୍ରଣ ମିଳିନାହିଁ।

କାନାଡାର G7 ମୁଖପାତ୍ର TOI ସହିତ କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏଥିରେ ଯୋଗଦେବେ କି ନାହିଁ ତାହା ନିଶ୍ଚିତ କରିନାହାଁନ୍ତି। ଅନ୍ୟପକ୍ଷେ, ସମ୍ମିଳନୀରେ ଯୋଗ ନଦେବା ପଛରେ ଭାରତ-କାନାଡା ଉତ୍ତେଜନା ଏବଂ ସୁରକ୍ଷା ଚିନ୍ତାକୁ କାରଣ ଭାବରେ ଦର୍ଶାଯାଉଛି। ତେବେ କାନାଡା ଏପର୍ଯ୍ୟନ୍ତ ଏହି ଶିଖର ସମ୍ମିଳନୀ ପାଇଁ ଅତିଥି ନେତାଙ୍କ ନାମ ତାଲିକା ଆନୁଷ୍ଠାନିକ ଭାବରେ ଘୋଷଣା କରିନାହିଁ, ହେଲେ କାନାଡା ଗଣମାଧ୍ୟମ ଦାବି କରୁଛି ଯେ ଓଟାୱା ୟୁକ୍ରେନ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଏବଂ ଅଷ୍ଟ୍ରେଲିଆର ନେତାମାନଙ୍କୁ ନିମନ୍ତ୍ରଣ କରିଛି।