ନୂଆଦିଲ୍ଲୀ, ୨୯।୪: ଉତ୍ତର ପ୍ରଦେଶର ଭିତ୍ତିଭୂମି ଏବଂ ଆର୍ଥିକ ପ୍ରଗତି କ୍ଷେତ୍ରରେ ଆଜି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟର ସବୁଠାରୁ ଲମ୍ବା ‘ଗଙ୍ଗା ଏକ୍ସପ୍ରେସୱେ’ର ଲୋକାର୍ପଣ କରିଛନ୍ତି । ହରଦୋଇ ଜିଲ୍ଲାର ମଲ୍ଲୱାଁଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ଏହି ୩୬,୨୩୦ କୋଟି ଟଙ୍କାର ମହତ୍ୱାକାଂକ୍ଷୀ ପ୍ରକଳ୍ପକୁ ଦେଶବାସୀଙ୍କୁ ଉତ୍ସର୍ଗ କରିଛନ୍ତି ।

୧୨ଟି ଜିଲ୍ଲା ଓ ୫୧୯ଟି ଗାଁକୁ ଯୋଡ଼ିବ ଏହି ମହାପଥ:

୫୯୪ କିଲୋମିଟର ଲମ୍ବା ଏହି ଏକ୍ସପ୍ରେସୱେ ପଶ୍ଚିମ ୟୁପିର ମେରଠକୁ ପୂର୍ବ ୟୁପିର ପ୍ରୟାଗରାଜ ସହିତ ସିଧାସଳଖ ଯୋଡ଼ିବ । ଏହା ଦ୍ୱାରା ପ୍ରଦେଶର ୧୨ଟି ଜିଲ୍ଲା ଏବଂ ପ୍ରାୟ ୫୧୯ଟି ଗ୍ରାମ ଉପକୃତ ହେବେ । କେବଳ ଯାତାୟାତ ନୁହେଁ, ଏହି ମାର୍ଗରେ ୧୨ଟି ଶିଳ୍ପ କରିଡର (ଇଣ୍ଟିଗ୍ରେଟେଡ୍ ମାନୁଫାକ୍ଚରିଂ ଏବଂ ଲଜିଷ୍ଟିକ୍ କ୍ଲଷ୍ଟର) ବିକଶିତ କରାଯାଉଛି, ଯାହା ଉତ୍ତର ପ୍ରଦେଶର ଅର୍ଥନୀତି ପାଇଁ ଏକ ବଡ଼ ପରିବର୍ତ୍ତନ ଆଣିବ ।

ଢ଼ୁଆ ବିମାନ ପାଇଁ ସ୍ୱତନ୍ତ୍ର ଏୟାରଷ୍ଟ୍ରିପ୍:

ଗଙ୍ଗା ଏକ୍ସପ୍ରେସୱେର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଶାହାଜାହାନପୁରର ଜଲାଲାବାଦ ନିକଟରେ ନିର୍ମିତ ୩.୫ କିଲୋମିଟର ଲମ୍ବା ଏୟାରଷ୍ଟ୍ରିପ୍ । ଦେଶର ଏହା ହେଉଛି ପ୍ରଥମ ଏକ୍ସପ୍ରେସୱେ ଯେଉଁଠାରେ ଜରୁରୀକାଳୀନ ପରିସ୍ଥିତି କିମ୍ବା ରାତି ସମୟରେ ମଧ୍ୟ ବାୟୁସେନାର ଲଢ଼ୁଆ ବିମାନ ଅବତରଣ କରିପାରିବ । ସୁରକ୍ଷା ଦୃଷ୍ଟିକୋଣରୁ ଏହା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ପ୍ରକଳ୍ପ ମାଧ୍ୟମରେ ହରଦୋଇ, ମିରଟ, ହାପୁଡ଼ ଏବଂ ରାୟବରେଲି ଭଳି ଜିଲ୍ଲାରେ ଶିଳ୍ପ କ୍ଲଷ୍ଟର ଗଢ଼ାଯାଉଛି । ଏହାଦ୍ୱାରା ସ୍ଥାନୀୟ କୃଷି ଓ ବ୍ୟାପାରକୁ ପ୍ରୋତ୍ସାହନ ମିଳିବା ସହ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ଏହା ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ସରକାରଙ୍କ ‘ବିକାଶବାଦ’ ଏଜେଣ୍ଡାକୁ ଆହୁରି ମଜବୁତ କରିବ ।

ଦେଶର ଏକ୍ସପ୍ରେସୱେ ନେଟୱାର୍କରେ ୟୁପିର ଦବଦବା:

ଏହି ଲୋକାର୍ପଣ ସହିତ ଭାରତର ସମୁଦାୟ ଏକ୍ସପ୍ରେସୱେ ନେଟୱାର୍କରେ ଉତ୍ତର ପ୍ରଦେଶର ଅଂଶଧନ ୬୦ ପ୍ରତିଶତକୁ ବୃଦ୍ଧି ପାଇଛି । ରାଜ୍ୟରେ ୧୯୧୦ କିଲୋମିଟର ଏକ୍ସପ୍ରେସୱେ ନେଟୱାର୍କ ପ୍ରସ୍ତୁତ ହୋଇସାରିଛି । ୨୦୨୯ ସୁଦ୍ଧା ୩୨୦୦ କିଲୋମିଟର ପର୍ଯ୍ୟନ୍ତ ସଂଯୋଗୀକରଣ କରିବାକୁ ୟୁପିଡା (UPEIDA) ଲକ୍ଷ୍ୟ ରଖିଛି ।

କେଉଁ କେଉଁ ଜିଲ୍ଲା ଦେଇ ଯାଉଛି ଗଙ୍ଗା ଏକ୍ସପ୍ରେସୱେ ?

ଏହି ଏକ୍ସପ୍ରେସୱେ ମିରଟ, ହାପୁଡ଼, ବୁଲନ୍ଦସହର, ଅମରୋହା, ସମ୍ଭଲ, ବଦାୟୁଁ, ଶାହାଜାହାନପୁର, ହରଦୋଇ, ଉନ୍ନାଓ, ରାୟବରେଲି, ପ୍ରତାପଗଡ଼ ଏବଂ ପ୍ରୟାଗରାଜକୁ ପରସ୍ପର ସହ ଯୋଡ଼ିବ । ଆଜିର ଏହି ଐତିହାସିକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ ଉପସ୍ଥିତ ରହିବେ । ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଆହୁରି ପଢ଼ନ୍ତୁ... Ghaziabad Fire: ହୁତୁ ହୁତୁ ହୋଇ ଜଳୁଛି 'ଗୌର ଗ୍ରୀନ୍ ଆଭେନ୍ୟୁ', ଜୀବନ ବିକଳରେ ଛାନିଆ ହୋଇ ଦୌଡ଼ୁଛନ୍ତି ଲୋକେ