ନୂଆଦିଲ୍ଲୀ,୧।୩: ଇରାନ-ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତିରେ କ୍ୟାବିନେଟ୍ ବୈଠକ ଡାକିଛନ୍ତି। ବୈଠକରେ କମିଟି ଅନ୍ ସିକ୍ୟୁରିଟିର(ସିସିଏସ୍) ବୈଠକର ଅଧ୍ୟକ୍ଷତା କରିବେ। ଏହି ସମୟରେ ପିଏମ୍ ମୋଦି ଇରାନ ଓ ମଧ୍ୟ ପ୍ରାଚ୍ୟର ସ୍ଥିତି ଉପରେ ଚର୍ଚ୍ଚା କରିବେ। ଭାରତ ସରକାରଙ୍କ ସୁତ୍ର ଅନୁସାରେ, ଦୁଇ ଦିବସୀୟ ଗସ୍ତ ପରେ ମୋଦି ଆଜି ରାତି ପ୍ରାୟ ୯ଟା ୩୦ ମିନିଟ୍ରେ ଦିଲ୍ଲୀରେ ପହଁଞ୍ଚିବାର ଆଶା କରାଯାଉଛି। ପିଏମ୍ ମୋଦି ତାମିଲନାଡୁ ଯାତ୍ରାରେ ଥିଲେ । ସେଠାରୁ ଫେରିବା ପରେ ଆଜି ରାତିରେ ଦିଲ୍ଲୀରେ ପହଁଞ୍ଚିବେ,ଏହାପରେ ସିସିଏସର ବୈଠକ ହେବ।
ଏହି ଯୁଦ୍ଧ ଇରାନରେ ରହୁଥିବା ଭାରତୀୟମାନଙ୍କୁ ମଧ୍ୟ ପ୍ରଭାବିତ କରିଛି। ଅନେକ ଭାରତୀୟ ଇରାନରେ ଫସି ରହିଛନ୍ତି। ଏହା ସହ ଦୁବାଇ, ୟୁଏଇ, ବାହାରିନ ଏବଂ କାତାର ଭଳି ଦେଶରେ ମଧ୍ୟ ଫସି ରହିଛନ୍ତି। ଏହି ସଂଘର୍ଷ ଯୋଗୁଁ ଦୁବାଇରେ ଫସି ରହିଥିବା ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଭୟଙ୍କର ପରିସ୍ଥିତିର କାହାଣୀ ସେୟାର କରିଛନ୍ତି, ଯଦିଓ ସେ ସୁସ୍ଥ ଏବଂ ସୁରକ୍ଷିତ ଅଛନ୍ତି। ଭାରତର ବୈଦେଶିକ ମନ୍ତ୍ରଣାଳୟ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ଭାରତର ସବୁଠାରୁ ବଡ଼ ଚିନ୍ତା ହେଉଛି ସେଠାରେ ଫଶି ରହିଥିବା ନିଜର ନାଗରିକ। ଉପସାଗରୀୟ ରାଷ୍ଟ୍ର ଗୁଡିକରେ ଫଶି ରହିଛନ୍ତି ୮୦ ରୁ ୯୦ ଲକ୍ଷ ଭାରତୀୟ। ଯଦି ଇରାନ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଆହୁରି ବଢେ ତେବେ ଲକ୍ଷାଧିକ ଭାରତୀୟଙ୍କ ଜୀବନ ଚାଲିଯିବ। ପରିସ୍ଥିତି ଆହୁରି ଖରାପ ହେଲେ ଭାରତୀୟଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ମାଷ୍ଟର ପ୍ଲାନ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ପରାମର୍ଶ କରି ବୈଠକରେ ଆଲୋଚନା କରାଯିବ।
ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (ସିସିଏସ)ହେଉଛି ସରକାରଙ୍କ ସର୍ବୋଚ୍ଚ ଏବଂ ସବୁଠାରୁ ଶକ୍ତିଶାଳୀ କମିଟି, ଯାହା ଜାତୀୟ ସୁରକ୍ଷା, ପ୍ରତିରକ୍ଷା, କୂଟନୀତି ଏବଂ ବୈଦେଶିକ ବ୍ୟାପାର ସହିତ ଜଡିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ନିଷ୍ପତ୍ତି ନେଇଥାଏ। ଏହି କମିଟିର ଅଧ୍ୟକ୍ଷତା ନିଜେ ପ୍ରଧାନମନ୍ତ୍ରୀ କରନ୍ତି। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥାନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଏବଂ ତିନି ସଶସ୍ତ୍ର ବାହିନୀର ମୁଖ୍ୟମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମତାମତ ପ୍ରଦାନ କରନ୍ତି।
ଉଲ୍ଲେଖନୀୟ ଯେ, ଆମେରିକା ଓ ଇସ୍ରାଏଲର ଇରାନ ଉପରେ ଯୋରଦାର ହମଲା ପରେ ପୁରା ମିଡିଲ ଇଷ୍ଟରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲ ଓ ଆମେରିକାର ଆକ୍ରମଣକୁ ସହିବାକୁ ଇରାନ ପାଇଁ କଷ୍ଟକର ହେଉଛି। ସେଭଳି ସବୁ ପ୍ରକାର ଦାବି ପରେ ଇରାନ ଷ୍ଟେଟ୍ ମିଡିଆ ନିଜ ସୁପ୍ରିମୋଙ୍କ ମୃତ୍ୟୁ ନେଇ ଘୋଷଣା କରିଛି। ଆମେରିକା ଦ୍ୱାରା ସଂଗଠିତ ଏହି ଭୟଙ୍କର ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନିଙ୍କ ସମେତ ପ୍ରାୟ ଆଠ ଜଣ ପ୍ରମୁଖ ଇରାନୀ ନେତାଙ୍କ ଜୀବନ ଯାଇଛି।
ଆହୁରି ପଢନ୍ତୁ:ମହାଯୁଦ୍ଧ; ଦୁବାଇରେ ଫସିଛନ୍ତି ଷ୍ଟାର ପିଭି ସିନ୍ଧୁଙ୍କ ସମେତ ଅଭିନେତ୍ରୀ ସୋନଲ