ସିନ୍ଧେକେଲା ୨୫/୧୧ : ବଙ୍ଗୋମୁଣ୍ଡା ବ୍ଲକ୍ ସିନ୍ଧେକେଲା ଅଞ୍ଚଳରେ ଘରେ ଘରେ ଫିଲ୍ଟର ପାଣି ବ୍ୟବହାର ହେଉଛି । ଏହି ପାଣିକୁ ସ୍ଥାନୀୟ ଲୋକେ ବିଶୁଦ୍ଧ ପାଣି ଭାବି ଆଖି ବନ୍ଦ କରି ପିଉଛନ୍ତି। ହେଲେ କିଏ ଜାଣିଛି ବିଶୁଦ୍ଧ ପାଣି ନାଁରେ ବିକ୍ରି ହେଉଛି ବିଷ। ପ୍ରତ୍ୟେକ ଦିନ ଚା’ ଦୋକାନ ଠାରୁ ନେଇ ହୋଟେଲ ଓ ଘରେ ଘରେ ବ୍ୟବହାର ହେଉଛି ଏହି ପାଣି । ଯଦି ଆପଣଙ୍କ ପରିବାର ଏହି ଫିଲ୍ଟର ପାଣିକୁ ବ୍ୟବହାର କରୁଛନ୍ତି ତାହେଲେ ସତର୍କ ହୋଇଯାନ୍ତୁ । କାରଣ ବିଶୁଦ୍ଧ ପାଣି ନାଁରେ ବିକ୍ରି ହେଉଛି ଜହର । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଚାନ୍ଦୋତରା ଗାଁରେ ।
ଏଠାରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖା ବାମ ପାଖରେ ଏକ ଚା’ ଦୋକାନ ଖୋଲିଛନ୍ତି ଜଗଦିଶ ବାଗ (୩୯) । ଏହି ଦୋକାନୀ ଜଣକ ଦୀର୍ଘ ସାତ ମାସ ହେବ ଦିନକୁ ୨ରୁ ୩ ଡବା ଫିଲ୍ଟର ପାଣି ବ୍ୟବହାର କରୁଛନ୍ତି । ଗୋଟିଏ ଫିଲ୍ଟରରେ କୋଡ଼ିଏ ଲିଟର ପାଣି ରହୁଥିବା ବେଳେ ଏହାର ମୂଲ୍ୟ ୨୦ଟଙ୍କାରେ ବିକ୍ରି ହେଉଛି। ହେଲେ ଏହି ସିଲ ଥିବା ୨୦ଲିଟର ପାଣି ଜାର୍ ଭିତରେ ଭାସୁଛି ଝିଣ୍ଟିକା ଓ କଙ୍କି ।
ଖାଲି ଆଜି ନୁହେଁ ଏଭଳି ଆଗରୁ ମଧ୍ୟ ପାଣିରେ ଝିଣ୍ଟିକା ଭାସୁଥିବା ପାଣି ବିକ୍ରେତାଙ୍କୁ ଅଭିଯୋଗ ହୋଇଥିଲା । ଏବେ ପୁଣି ଥରେ ସେହି ସମାନ ଘଟଣା ଦେଖିବାକୁ ମିଳିଛି । ଫିଲ୍ଟର ପାଣି ବିକ୍ରିରେ ଭଲ ରୋଜଗାର ଥିବାରୁ ମାଲିକ ମାନେ ପାଣିର ଶୁଦ୍ଧତା ପ୍ରତି ଧ୍ୟାନ ଦେଉ ନାହାନ୍ତି । ଜନ ସାଧାରଣଙ୍କ ବିଶ୍ୱାସରେ ବିଷ ଦିଆଯାଉଛି । ସିନ୍ଧେକେଲା ଆଖପାଖ ଅଞ୍ଚଳରେ ଏଭଳି ଅନେକ ଫିଲ୍ଟର ପାଣି ଫ୍ୟାକ୍ଟ୍ରି ଥିବା ବେଳେ ଏହା ଲାଇସେନ୍ସ ପ୍ରାପ୍ତ ନା ବେଆଇନ ଭାବେ ଚାଲୁଛି ତାହା ତଦନ୍ତ ପାଇଁ ଦାବି ହେଉଛି ।
ତେବେ ଏହି ଫିଲଟର ପାଣି ବିକ୍ରି କରୁଥିବା ମାଲିକ ଜଣକ ସିନ୍ଧେକେଲାର ହୋଇଥିବା ଜଣାପଡ଼ିଛି । ପ୍ରତିଦିନ ବ୍ୟବହାର ହେଉଥିବା ଫିଲ୍ଟର ପାଣି ବିଶୁଦ୍ଧ କି ନାହିଁ ତାହା ଯାଞ୍ଚ ହେଲେ ସତ ପଦାକୁ ଆସିବ ବୋଲି କହିଛନ୍ତି ଜଗଦିଶ । ଖାଉଟି ବିଭାଗ ପକ୍ଷରୁ ବର୍ଷ ବର୍ଷ ଧରି କୌଣସି ଯାଞ୍ଚ ପ୍ରକ୍ରିୟା ହେଉ ନ ଥିବା ବେଳେ ଅଞ୍ଚଳରେ ମନ ଇଚ୍ଛା ଫିଲ୍ଟର ପାଣି ନାଁରେ ବିକ୍ରି ହେଉଛି ଜହର। ତେବେ ତୁରନ୍ତ ଜ଼ିଲ୍ଲା ପ୍ରଶାସନ ଓ ଜ଼ିଲ୍ଲା ଖାଉଟି ବିଭାଗ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଜଗଦିଶ ବାଗ ।