ନୂଆଦିଲ୍ଲୀ,୫।୭: ପ୍ରେମିକାର ସନ୍ଧାନରେ ପାକିସ୍ତାନରୁ ଆସି ଭାରତରେ ପହଁଞ୍ଚିଥିଲେ। ହେଲେ ଏବେ ଆଖିରେ ଲୁହ ନେଇ ନିଜ ଦେଶକୁ ଫେରି ଯାଇନ୍ତି ପାକିସ୍ତାନୀ ଯୁବକ। ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ରହୁଥିବା ଜୀଶାନ ଅହମ୍ମଦ ମୀରଙ୍କ ପ୍ରେମ କାହାଣୀ ଗତ ଏକ ମାସ ଧରି ଆଇନଗତ ପକ୍ରିୟା ଓ ସୁରକ୍ଷା ଯାଞ୍ଚ ଭିତରେ ଫଶି ରହିଥିଲା। ଶନିବାର ଭାରତୀୟ ଅଧିକାରୀ ସବୁ ଔପଚାରିକତା ପୂରଣ କରିବା ପରେ ତାଙ୍କୁ ନିୟନ୍ତ୍ରଣ ରେଖା (ଏଲଓସି) ରାସ୍ତା ଦେଇ ପାକିସ୍ତାନକୁ ହସ୍ତାନ୍ତର କରିଛନ୍ତି।
ପିଓକେର ପନକେଡି ଗାଁର ବାସିନ୍ଦା ଜୀଶାନ ଅହମ୍ମଦ ମୀର ଏଲଓସି ପାର କରି ମେ ୩୧ ରେ ଉରିରେ ପହଞ୍ଚିଥିଲେ। ତାଙ୍କର ଉଦ୍ଦେଶ୍ୟ ଥିଲା ତାଙ୍କ ପ୍ରେମିକା ଇରାମ ମାଜିଦଙ୍କୁ ଭେଟିବା। ଯାହାଙ୍କ ସହ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ସ୍ନାପଚାଟ୍ ମାଧ୍ୟମରେ ବନ୍ଧୁତା ଏବଂ ଏହାପରେ ପ୍ରେମରେ ପଡ଼ିଥିଲେ। ସେହି ଦିନ, ଭାରତୀୟ ସେନା ଏକ ବିବୃତ୍ତି ଜାରି କରି କହିଥିଲେ ଯେ ଉରି ସେକ୍ଟରରେ ଜଣେ ‘ଅନୁପ୍ରବେଶକାରୀ’ଙ୍କୁ ଗିରଫ କରାଯାଇଛି। ତଥାପି, ସୁରକ୍ଷା ଏଜେନ୍ସିଗୁଡ଼ିକର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଅନୁପ୍ରବେଶକାରୀଙ୍କର କୌଣସି ଶତ୍ରୁତାମୂଳକ ଉଦ୍ଦେଶ୍ୟ ନଥିଲା।
ସେନା କଷ୍ଟଡିରୁ ନେଇଥିଲା ପୋଲିସ
ଘାଟିରେ ପହଁଞ୍ଚିବା ପରେ ଜୀଶାନଙ୍କୁ ସିଲିକୋଟ୍ ଗାଁରେ ସେନା ଅଟକ ରଖିଥିଲା। ସିଲିକୋଟ୍ ଏଲଓସି ନିକଟରେ ଥିବା ଏକ ସମ୍ବେଦନଶୀଳ ଗାଁ, ଯେଉଁଠି କେବଳ ସୈନିକ ଓ ସ୍ଥାନୀୟ ନିବାସୀଙ୍କୁ ଯିବା ଆସିବାର ଅନୁମତି ରହିଛି। ସେନା ଏହି ନିଷ୍କର୍ସରେ ପହଁଞ୍ଚିଛି ଯେ, ସେ କେବଳ ନିଜ ପ୍ରେମିକାକୁ ଭେଟିବାକୁ ଆସିଥିଲେ, କିନ୍ତୁ ଆଇନଗତ ପକ୍ରିୟା ଅନୁସାରେ, ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା।
ବେଆଇନ ଅନୁପ୍ରବେଶର ମାମଲା ରୁଜୁ, ଚାର୍ଜସିଟ୍ ପରେ ବନ୍ଦ ହେଲା କେସ୍
ପୋଲିସ ଜୀଶାନ ବିରୋଧରେ ବେଆଇନ ରୂପରେ ଭାରତୀୟ ସୀମାରେ ପ୍ରବେଶ କରିବାର ମାମଲା ରୁଜୁ କରିଥିଲା। ଏହାପରେ ବାରାମୂଳା ଜେଲ୍ ପଠାଇ ଦିଆଯାଇଥିଲା। ତିନି ଦିନ ପୂର୍ବାରୁ ପୋଲିସ ଏହି ମାମଲାରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା। କୋର୍ଟ ଚାର୍ଜସିଟ୍ ସ୍ବୀକାର କରି ମାମଲାର ସମାଧାନ କରିଥିଲେ, ଏହାପରେ ତାଙ୍କର ସ୍ବଦେଶ ଫେରିବାର ଔପଚାରିକ ପକ୍ରିୟା ଆରମ୍ଭ ହୋଇଥିଲା।
ଶନିବାର ଭାରତୀୟ ଅଧିକାରୀ ଜୀଶାନଙ୍କ ଫେରିବାର ସୂଚନା ନିଜ ପାକିସ୍ତାନୀ ସମକକ୍ଷଙ୍କୁ ଜଣାଇଥିଲେ। ଉରି କୋର୍ଟଙ୍କ ନିର୍ଦେଶ ପରେ ତାଙ୍କୁ କମାନ ପୋଷ୍ଟକୁ ନିଆଯାଇଥିଲା, ସେଠାରେ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଭାରତୀୟ ଅଧିକାରୀ ତାଙ୍କୁ ପାକିସ୍ତାନ ସୈନିକଙ୍କୁ ହସ୍ତାନ୍ତର କରିଥିଲେ। ଏଭଳି ପ୍ରାୟ ଏକ କାମ ପରେ ଜୀଶାନ ନିଜ ଦେଶକୁ ଫେରିଛନ୍ତି।
ଲୁହ ଛଳଛଳ ଆଖିରେ ବିଦାୟ
ଜୀଶାନଙ୍କୁ ପାକିସ୍ତାନ ପଠାଇବା ପୂର୍ବରୁ ତାଙ୍କ ପ୍ରେମିକା ଇରମ ମଜିଦ ଓ ତାଙ୍କ ପରିବାରକୁ କିଛି ମିନିଟ୍ ପାଇଁ ତାଙ୍କୁ ଭେଟିବାକୁ ଅନୁମତି ଦିଆଯାଇଥିଲା। ଇରମ ନିଜ ବାପା, ମାନ ଓ ତିନି ଭଉଣୀଙ୍କ ସହ ତାଙ୍କୁ ଭେଟିବାକୁ ପହଁଞ୍ଚିଥିଲେ। ଇରମ୍ କହିଛନ୍ତି, ଆମକୁ ମାତ୍ର ଦୁଇରୁ ତିନି ମିନିଟ୍ ଭେଟିବାକୁ ସୁଯୋଗ ଦିଆଯାଇଥିଲା। ସେ ମୋତେ କିଛି କହିଲେନି, ପୁରା ସମୟ କେବଳ କାନ୍ଦୁଥିଲେ।’ ଏହି ଆବେଗଭରା ସାକ୍ଷାତ ପରେ ଦୁହିଁଙ୍କ ପ୍ରେମକାହାଣୀ ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ରହିଛି। ସୀମାର ଆରପାରିର ଏହି ଲଭ ଷ୍ଟୋରୀ ଏଇଠି ଶେଷ ହୋଇଗଲା ନା ଆଗକୁ ଯିବ ? ତାହା କେବଳ ସମୟ ହିଁ କହିବ।
ଆହୁରି ପଢନ୍ତୁ : ପୁଲିସକୁ ଚକମା ଦେଇ ରିଲ୍ସ କରୁଥିଲା ଲେଡି ଲୁଟେରା ,ହନିମୁନ କରୁଥିବା ବେଳେ ଧରାପଡ଼ିଲା ଜ୍ୟୋତି ଚୌଧୁରୀ