ନୂଆଦିଲ୍ଲୀ: ଗୁଜୁରାଟର ସୁରଟରୁ ପୋଲିସ ୨.୫୭ କୋଟି ଟଙ୍କା ମୂଲ୍ୟର ନକଲି ନୋଟ ଜବତ କରିଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଅଧିକାରୀ ମାନେ ଏହି ସୂଚନା ଦେଇଛନ୍ତି। ବ୍ୟାଙ୍କ, ବଜାର ଏବଂ ସାଧାରଣ ଲୋକଙ୍କୁ ଠକିବା ପାଇଁ ଅଭିଯୁକ୍ତମାନେ ଏହି ନକଲି ନୋଟ ପ୍ରସ୍ତୁତ କରିଥିଲେ।
ପୋଲିସର ସୂଚନାନୁସାରେ, ଶନିବାର ସନ୍ଧ୍ୟାରେ ଚାରିଜଣ ଅଭିଯୁକ୍ତ ସରୋଲି ଅଞ୍ଚଳରେ ତିନିଟି ବ୍ୟାଗ ଧରି ପାଦରେ ଚାଲି ଚାଲି ବୁଲୁଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା । ତେବେ ତଦନ୍ତ ସମୟରେ ତାଙ୍କୁ ଧରାଯାଇଥିଲା । ସାରୋଲି ଥାନା ଅଧିକାରୀ କହିଛନ୍ତି ଯେ,"ଅଭିଯୁକ୍ତ ମାନେ ୪୩ ଟି ବଣ୍ଡଲ ନକଲି ୫ଶହ ଟଙ୍କିଆ ନୋଟ ଲୁଚାଇ ରଖିଥିଲେ । ପ୍ରତ୍ୟେକ ବଣ୍ଡଲରେ ୧୦୦୦ ଟି ନୋଟ୍ ରହିଥିଲା। ଉପର ଏବଂ ତଳ ନୋଟଗୁଡିକ ପ୍ରକୃତ ଥିଲା, ଯାହା ଫଳରେ ଲୋକମାନେ ବିଶ୍ବାସ ରଖି ପାରିବେ । ଏହା ବ୍ୟତୀତ ପୋଲିସ ଆଉ ୨୧ ଟି ବଣ୍ଡଲ ଜବତ କରିଛି, ଯେଉଁଥିରେ ୨ ଶହ ଟଙ୍କା ମୂଲ୍ୟର ୧୦୦୦ ଟି ନକଲି ନୋଟ୍ ରହିଛି।
ଏହି ନକଲି ନୋଟ ଗୁଡ଼ିକରେ କୌଣସି କ୍ରମିକ ନମ୍ବର କିମ୍ବା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଷ୍ଟାମ୍ପ ନଥିଲା । ଏହି ନୋଟ ଗୁଡ଼ିକରେ ସେମାନଙ୍କ ଉପରେ 'ଇଣ୍ଡିଆନ୍ ଚାଇଲ୍ଡ ଆକାଉଣ୍ଟ୍' ଲେଖାଯାଇଥିଲା । ଯାହା ସେଗୁଡିକୁ ନକଲି ବୋଲି ଦର୍ଶାଇଥିଲା । ଅଭିଯୁକ୍ତ ମାନେ ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଅହଲୀନଗର ବାସିନ୍ଦା ।
ପୋଲିସ କହିଛି ଯେ ଏହା ଏକ ବଡ ଗ୍ୟାଙ୍ଗ ହୋଇପାରେ, ଯାହା ସାରା ଦେଶରେ ନକଲି ନୋଟର ନେଟୱାର୍କ ଚଳାଉଥିଲା। ଅଭିଯୁକ୍ତଙ୍କୁ ପଚରାଉଚରା ଚାଲିଛି ଏବଂ ପୋଲିସ ଆଶା କରୁଛି ଯେ ଏହି ମାମଲାରେ ସେମାନଙ୍କ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳି ପାରିବ ।