ନବରଙ୍ଗପୁର,୨୯/୪: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନାରେ ଅଭାବନୀୟ ଘଟଣା। ପୁଲିସ ହେପାଜତରେ ଅଭିଯୁକ୍ତର ଆତ୍ମହତ୍ୟା ଅଭିଯୋଗ। ଥାନା ହାଜତ ଭିତରେ ଫାଶି ଲାଗଇ ଆତ୍ମହତ୍ୟା କଲେ ଦୁଷ୍କର୍ମ ଅଭିଯୋଗରେ ଗିରଫ ଅଭିଯୁକ୍ତ। ଏହି ଘଟଣା ପରେ ଏବେ ପୁଲିସ କାର୍ଯ୍ୟଦକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟଲୋକ ଥାନା ଘେରାଉ କରି ପ୍ରତିବାଦ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ମେଦେନା ପଞ୍ଚାୟତ ଅଞ୍ଚଳ ଗ୍ରାମର ଜଣେ ପୂର୍ଣ୍ଣ କଲାର ନାମକ ଯୁବକଙ୍କୁ ଦୁଷ୍କର୍ମ ମାମଲାରେ ୨ଦିନ ତଳେ ଡାବୁଗାଁ ପୁଲିସ ଗିରଫ କରିଥିଲା। ଗତକାଲି ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ମଧ୍ୟ ଶେଷ ହୋଇଥିଲା। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥାନ୍ତା, କିନ୍ତୁ ତା’ ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ସେ ଚାଦରକୁ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ଥାନା ଭିତରେ ୨୪ ଘଣ୍ଟା ପୁଲିସ କର୍ମଚାରୀଙ୍କ ଉପସ୍ଥିତି ସତ୍ତ୍ୱେ ଜଣେ ଆସାମୀ କିଭଳି ଆତ୍ମହତ୍ୟା କଲେ? ତାହାକୁ ନେଇ ଏବେ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ତେବେ ଏହା ପଛରେ ପୁଲିସର ଅବହେଳା ରହିଛି ନା ଅନ୍ୟ କିଛି କାରଣ, ତାହା ଉଚ୍ଚସ୍ତରୀୟ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
ଅଧିକ ପଢ଼ନ୍ତୁ :- Chandan Yatra 2026: ଚନ୍ଦନ ଯାତ୍ରା ନବମ ଦିନରେ ବିଭ୍ରାଟ୍, ସେବକଙ୍କ ଝଗଡ଼ା ପାଇଁ ଚାପ ଖେଳିପାରିଲେନି ଠାକୁର