ପୁରୀ ୨୯/୦୪: ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଚନ୍ଦନ ଯାତ୍ରାର ନବମ ଦିବସରେ ବିଭ୍ରାଟ। ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଚାପ ଖେଳିଲେନି ମହାପ୍ରଭୁ। ତୀବ୍ର ଅସନ୍ତୋଷ ପ୍ରକାଶ କଲେ ଶ୍ରଦ୍ଧାଳୁ।

ସେବକଙ୍କ ଭିତରେ ଝଗଡ଼ା ଲାଗି ଚନ୍ଦନ ଠାକୁରଙ୍କ ନୀତି ଢେର୍ ସମୟ ଅଟକିଥିଲା । ରାତି ଚାପ ପାଇଁ ଠାକୁରେ ନନ୍ଦା ଭଦ୍ରାରେ ବିଜେ ହୋଇସାରିଥିଲେ । ରାତି ଦଶଟାରେ ପ୍ରାୟ ଜଳକ୍ରୀଡ଼ା ପାଇଁ ଚାପରୁ ଦଉଡ଼ି ମଧ୍ୟ ଖୋଲା ସରିଥିଲା । କିଛି କ୍ଷଣ ଭିତରେ ଠାକୁରଙ୍କ ଚାପ କ୍ରୀଡ଼ା ହୋଇଥାନ୍ତା । ହେଲେ ଦୁଇ ଭିନ୍ନ ନୀତି ସେବକଙ୍କ ଭିତରେ ପ୍ରବଳ ଗଣ୍ଡଗୋଳ ହୋଇ ଠାକୁରଙ୍କ ଚାପ ଅଟକିଗଲା । ରାତି ସାଢ଼େ ୧୧ଟା ହୋଇଥିଲେ ସୁଦ୍ଧା ଚାପ କ୍ରୀଡ଼ା ହେବ କି ନାହିଁ ଭକ୍ତମାନେ ଜାଣି ନପାରି କିଂକର୍ତ୍ତବ୍ୟବିମୁଢ଼ ହୋଇ ଅପେକ୍ଷା କରିଥିଲେ । ଏପଟେ ଚାପରେ ଠାକୁରଙ୍କ ଚାମର ସେବା ଆଦି ଜାରି ରହିଥାଏ । ପରବର୍ତ୍ତୀ ନୀତି କ’ଣ ହେବ ଅର୍ଥାତ୍ ଚାପରେ ନରେନ୍ଦ୍ର ଜଳରେ ଠାକୁରେ କ୍ରୀଡ଼ା କରିବେ କିମ୍ବା ନୀତି ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ କେହି କିଛି ଜାଣିପାରୁ ନଥିବା ଦେଖଣାହାରୀ କହିଥିଲେ । ରାତି ସାଢ଼େ ୧୧ଟାରେ କିଛି ସମୟ ପାଇଁ ବିଜୁଳି ଚାଲିଯାଇଥିଲା । ବିଳମ୍ବିତ ରାତିରେ ନରେନ୍ଦ୍ର ଚକଡ଼ାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପହଞ୍ଚି ବୁଝାସୁଝା କରିବା ପରେ ଠାକୁର ଚାପରୁ ଉଠିଥିଲେ ।

ଅଧିକ ପଢ଼ନ୍ତୁ :- ରଥଖଳା ହାଲ୍‌ଚାଲ୍: ଆଗେଇ ଚାଲିଛି ତୁମ୍ବ ଓ ଅଗର ବିନ୍ଧ ଖୋଦେଇ, ଶାଳରେ ପନ୍ଦାରି ଓ ଅର କଣ୍ଟା ତିଆରି