ଭୁବନେଶ୍ୱର,୧୯ା୭(ବ୍ୟୁରୋ): ସପ୍ତାହେ ପୂରିନି । ପୁଣି ଥରେ କମ୍ପିଛି ଏମ୍ସ ପରିସର । ଲାଗିଛି ନେତାଙ୍କ ଗହଳି । ଧାରଣା, ନାରାବାଜି ଓ ପୁଲିସ ସହ ଧସ୍ତାଧସ୍ତି ହୋଇଛି । ଆନ୍ଦୋଳନକୁ ଓହ୍ଲାଇ ସରକାର ବିରୋଧରେ ଗର୍ଜିଛନ୍ତି ବିଜେଡି ଓ କଂଗ୍ରେସ ଦଳ । ବାଧ୍ୟ ହୋଇ କମିଶନରେଟ ପୁଲିସ ଏମ୍ସ ପରିସରରେ ୧୬୩ ଧାରା ଲଗାଇ ନିଷିଦ୍ଧାଞ୍ଚଳ ଘୋଷଣା କରିଛି । ବିରୋଧୀ ଦଳ ଲଗାତର ବିକ୍ଷୋଭ, ଘେରାଉ କରୁଥିବାରୁ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସରକାରୀ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି । କେହି ଏଠାକୁ ପ୍ରତିବାଦ ପାଇଁ ଆସିଲେ ତୁରନ୍ତ ଗିରଫ କରିବାକୁ ପୁଲିସ ଚେତାବନୀ ଦେଇଛି । ବିକ୍ଷୋଭ ଭୟରେ ରାଜଭବନ- ଏଜି ରାସ୍ତାକୁ ଶନିବାର ଅପରାହ୍ନରେ କିଛି ସମୟ ପାଇଁ ସିଲ୍ କରାଯାଇଥିଲା ।
ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ପରେ ଏବେ ପୁରୀ ଜିଲ୍ଲା ପିପିଲି ପାଖ ବଳଙ୍ଗାରେ କଲେଜ ଛାତ୍ରୀଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଛନ୍ତି କିଛି ଦୁବୃର୍ତ୍ତ । ପୀଡ଼ିତାଙ୍କର ଏମ୍ସରେ ଚିକିତ୍ସା ଚାଲିଛି ଓ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି । ଘଟଣାକୁ ନେଇ ଏମ୍ସରେ ଆଜି ଦେଖିବାକୁ ମିଳିଥିଲା ଉତ୍ତେଜନା । ବିଳମ୍ବିତ ରାତି ଯାଏ ବିଜେଡି ଓ କଂଗ୍ରେସ ନେତା, ସମର୍ଥକ ଡେରା ପକାଇଥିଲେ । ସନ୍ଧ୍ୟା ପରଠାରୁ ନେତାଙ୍କ ଭିଡ଼ ବଢ଼ିଥିଲା । ଏମ୍ସ ବର୍ଣ୍ଣ ସେଣ୍ଟର ଆଗରେ ବିଜେଡି ନେତା ଓ କର୍ମୀ ଧାରଣାରେ ବସିଥିଲେ । ପ୍ରଦୀପ ମାଝୀ, ଲେଖାଶ୍ରୀ ସାମନ୍ତସିଂହାର, ରୁଦ୍ରପ୍ରତାପ ମହାରଥୀ, ଉମା ସାମନ୍ତରାୟ, ଇପ୍ସିତା ସାହୁ ପ୍ରମୁଖ ବିଳମ୍ବିତ ରାତି ଯାଏ ଧାରଣା ଦେଇଥିଲେ । ବର୍ଷାକୁ ବି ଖାତିର କରିନଥିଲେ ।
ରାତି ୧୦ଟା ପରେ ପୁଲିସ୍ କମିଶନର ଏସ୍.ଦେବଦତ୍ତ ସିଂହ ଏମ୍ସ ହସ୍ପିଟାଲ୍ ପରିସରରେ ବିଏନ୍ଏସ୍ଏସ୍ ଦଫା ୧୬୩ (ଯାହା ପୂର୍ବରୁ ୧୪୪ ଥିଲା) ଜାରି କରିଥିଲେ । ଦଫା ୧୬୩ ଲାଗୁ ପରେ ହସ୍ପିଟାଲ୍ ପରିସରରେ ୫ ଜଣରୁ ଅଧିକ ଲୋକ ଏକାଠି ହୋଇ ପାରିବେନି । ପୁଲିସ୍ ୧୬୩ ଜାରି କରିବା ପରେ ସେଠାରେ ଉପସ୍ଥିତ ଥିବା ବିଜେଡି ନେତା ଓ କର୍ମୀଙ୍କୁ ପୁଲିସ ଉଠାଇ ନେଇଥିଲା । ଏହି ସମୟରେ ପୁଲିସ ସହ ଆନ୍ଦୋଳନକାରୀଙ୍କ ଧସ୍ତାଧସ୍ତି ହୋଇଥିଲା । ପୁଲିସ ବଳପ୍ରୟୋଗ କରି ଆମ ସ୍ୱର ଚପାଇବାକୁ ଚାହୁଁଛି ବୋଲି ବିଜେଡି ନେତା ପ୍ରଦୀପ ମାଝି ଅଭିଯୋଗ କରିଥିଲେ । ପୁଲିସ ବିଜେପି ବିଧାୟକ ଓ ତାଙ୍କ ସମର୍ଥକଙ୍କୁ ମଧ୍ୟ ଏମ୍ସ ପରିସରରୁ ହଟାଉ ବୋଲି ବିଜେଡି ପକ୍ଷରୁ ଦାବି ହୋଇଥିଲା । ଏହାକୁ ନେଇ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ବିଜେଡି ଓ ବିଜେପି କର୍ମୀମାନେ ପରସ୍ପରର ଚରିତ୍ର ସଂହାର କରିବା ସହ ବ୍ୟକ୍ତିଗତ ଆକ୍ଷେପ କରିଥିଲେ । ଏପରିକି ପରସ୍ପରକୁ ଅଳିଆ ଫିଙ୍ଗାଫିଙ୍ଗି ହୋଇଥିଲେ । ପୁଲିସ ଉଭୟ ପକ୍ଷକୁ ବୁଝାସୁଝା କରି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା ।
ଧାରଣାରୁ ହଟିଥିଲେ ବି ବିଜେଡି ସମର୍ଥକମାନେ ହସ୍ପିଟାଲ ପରିସରରୁ ବାହାରନଥିଲେ । ପୁଲିସ ଦୁଇଟି ଭ୍ୟାନ ଯୋଗେ ବହୁ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା । କିନ୍ତୁ ନେତାମାନେ ଏମ୍ସ ଛାଡ଼ିନଥିଲେ । ବର୍ଣ୍ଣ ୱାଡ୍ ପରିସରରେ ପୁଲିସ୍ ଲୁହା ବ୍ୟାରିକେଡ୍ ଲଗାଇଥିଲା । ଏମ୍ସ ପରିସରରେ ପୁଲିସ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ୩ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ପୁଲିସ ଅଧିକାରୀମାନେ ମାଇକ୍ ସହାୟତାରେ ହସ୍ପିଟାଲ ଭିତରୁ ଭିଡ଼ କମାଇବାକୁ ଅପିଲ୍ କରୁଥିଲେ ।
ପୂର୍ବରୁ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସୋଫିଆ ଫିର୍ଦ୍ଦୋସ ପ୍ରମୁଖ ଦିନବେଳା ଏମ୍ସକୁ ଯାଇ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ । ରାତିରେ ବିଧାୟକ ଅଶୋକ ଦାସ, କଂଗ୍ରେସ ନେତ୍ରୀ ସସ୍ମିତା ବେହେରା, ରାଜ୍ୟ ଯୁବକଂଗ୍ରେସ ଉପସଭାପତି କୃଷ୍ଣଚନ୍ଦ୍ର ମହାନ୍ତି ଏବଂ କିଛି କଂଗ୍ରେସ ସମର୍ଥକ ହସ୍ପିଟାଲରେ ପହଞ୍ଚିଥିଲେ । ଏମାନେ ସାରାରାତି ଧାରଣାରେ ବସିଥିଲେ । ବିଜେପିର ଏକାମ୍ର ବିଧାୟକ ବାବୁ ସିଂ ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ମଧ୍ୟ ହସ୍ପିଟାଲ ଯାଇ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ । ଡିସିପି ଜଗମୋହନ ମୀନା ଏମ୍ସରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ କହିଛନ୍ତି, ବିଭିନ୍ନ ଗୋଷ୍ଠୀ ପକ୍ଷରୁ ଏମ୍ସ ପରିସରରେ ଆନ୍ଦୋଳନ ହୋଇଥିଲା । ଅତ୍ୟଧିକ ଭିଡ଼ ଓ ନାରାବାଜି ଯୋଗୁ ଡାକ୍ତର ଓ ରୋଗୀ ପ୍ରଭାବିତ ହେଉଛନ୍ତି । ଚିକିତ୍ସା ସେବା ବାଧାପ୍ରାପ୍ତ ହେଉଛି । ସେଥିପାଇଁ ୧୬୩ ଧାରା ଲଗାଇଛୁ । ଏମ୍ସରେ କୌଣସି ଧାରଣା, ନାରାବାଜି ହୋଇପାରିବନି । ଯଦି କେହି ଧାରଣା ଦେବାକୁ ଚାହୁଁଛନ୍ତି ଗାନ୍ଧୀମାର୍ଗ ଯାଇପାରନ୍ତି ।