ଜଟଣୀ, ୨୧/୦୫ : ଜଟଣୀ ରାମଚନ୍ଦ୍ରପୁର ବଜାର ଅଞ୍ଚଳରେ ଏକ ଭଡ଼ା ଘରୁ ସେକ୍ସ ରାକେଟ୍ ଠାବ ହୋଇଛି । ଜଟଣୀ ଥାନା ପୁଲିସ ସେଠାରୁ ୫ ଦେହଜୀବୀଙ୍କୁ ଉଦ୍ଧାର କରିଛି। ରାକେଟ୍‌ର କିଙ୍ଗପିନ୍ ସାଜିଥିବା ଜଣେ ବୃଦ୍ଧାଙ୍କ ସମେତ ୪ ଗ୍ରାହକଙ୍କୁ ପୁଲିସ ଗିରଫ କରିଛି । ପୁଲିସ ବୁଧବାର ରାତିରେ ଏହି ଭଡା଼ ଘରେ ଅତର୍କିତ ଚଢାଉ କରି ସେମାନଙ୍କୁ କାବୁ କରିଛି ।

ସୂଚନା ମୁତାବକ, କିଙ୍ଗପିନ୍ ଜଣକ ଉକ୍ତ ଘରେ ଦୀର୍ଘ ଦିନ ଧରି ଭଡ଼ାସୂତ୍ରରେ ରହୁଥିଲେ । ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଯୁବତୀମାନଙ୍କୁ ଜବରଦସ୍ତି ଏହି ଘରେ ରହି ଦେହ ବେପାର କରିବାକୁ ବାଧ୍ୟ କରୁଥିଲେ । ସ୍ଥାନୀୟ ବାସିନ୍ଦା ଦେହ ବେପାର ଚାଲୁଥିବାର ସନ୍ଦେହ କରିବା ସହ ବିରୋଧ କରୁଥିଲେ । କିନ୍ତୁ ସେଠାରେ ଯୁବତୀମାନଙ୍କୁ ଧନ୍ଧାମୂଳକ ଶିକ୍ଷା ଦିଆଯାଉଥିବା ଦର୍ଶାଇ କିଙ୍ଗପିନ୍ ଖସିଯାଉଥିଲେ । ତେବେ ସଞ୍ଜ ନଇଁବା କ୍ଷଣି ବାହାର ଲୋକମାନଙ୍କ ଭିଡ଼ ଜମୁଥିଲା । ସେମାନେ ଉକ୍ତ ଘରେ ଘଣ୍ଟା ଘଣ୍ଟା ସମୟ ବିତାଇ ଫେରିଯାଉଥିଲେ । ପୁଲିସ ଏହି ଖବର ପାଇ ଆଜି ରାତି ୮ଟା ବେଳେ ଅଚାନକ୍ ଚଢ଼ାଉ କରିଥିଲା ।

ଅଧିକ ପଢ଼ନ୍ତୁ :-  Police Encounter : ଯୁବକ ଓ ବାନ୍ଧବୀଙ୍କୁ ବିଚ୍ ରାସ୍ତାରେ ଆକ୍ରମଣ ଘଟଣାରେ ଆକ୍ସନ୍, ଫେରାର ମୁଫ୍ତେଶକୁ ଏନ୍‌କାଉଣ୍ଟର

ଚଢ଼ାଉ ବେଳେ ଦେହଜୀବୀ ଓ ଗ୍ରାହକମାନେ ଅସଞ୍ଜତ ଅବସ୍ଥାରେ ଥିବା ପୁଲିସ ଦେଖିଥିଲା । ଉକ୍ତ ଘରୁ ପୁଲିସ ଏକାଧିକ ଗାଡି଼, ମୋବାଇଲ, ଟଙ୍କା ସହ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିଲା । ଗ୍ରାହକମାନେ ଜଟଣୀ ଓ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ଦେହଜୀବୀମାନଙ୍କୁ ପୁଲିସ ସର୍ଟ ଷ୍ଟେ ହୋମରେ ଛାଡ଼ିଛି । କିଙ୍ଗପିନ୍ ସମେତ ଗ୍ରାହକଙ୍କୁ ପୁଲିସ ଆସନ୍ତାକାଲି କୋର୍ଟଚାଲାଣ କରିବ । ସେକ୍ସ ରାକେଟ ଚାଲିବା ନେଇ ଘର ମାଲିକ ଜାଣିଥିଲେ କି ନାହିଁ । ତାହା ପୁଲିସ ଯାଞ୍ଚ କରୁଛି ।