ଭୁବନେଶ୍ୱର,୧୪/୧୨: ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ତଦନ୍ତରେ ଡିଜିଟାଲ ତଥ୍ୟ ସଂଗ୍ରହ ବେଳେ ସିବିଆଇର ଅଡୁଆ ବଢ଼ିଛି । ଅଭିଯୁକ୍ତମାନଙ୍କ ମୋବାଇଲ୍‌ରୁ  ତଥ୍ୟ ହାସଲ କରିବାରେ ରାଜ୍ୟ ଅପରାଧ ବିଧି ବିଜ୍ଞାନଗାର (ଏସ୍ଏଫ୍ଏସ୍ଏଲ୍)ରେ ବିଳମ୍ବ ହେଉଛି । ଏଥିପାଇଁ ଘରୋଇ ଲାବୋରେଟୋରୀକୁ ମୋବାଇଲ୍ ପଠାଇ ତଥ୍ୟ ହାସଲ କରିବାକୁ ଅଦାଲତରେ ଆବେଦନ କରିଛି ସିବିଆଇ ।

କ୍ରାଇମ୍‌ବ୍ରାଞ୍ଚ  ତଦନ୍ତ ବେଳେ ଆଶାୟୀଙ୍କ ସମେତ ଅନ୍ୟ ଦଲାଲମାନଙ୍କ ୧୩୩ଟି ମୋବାଇଲ୍‌କୁ ଜବତ କରାଯାଇଥିଲା । ଏସବୁ ମୋବାଇଲ୍‌ରୁ ତଥ୍ୟ ହାସଲ ପାଇଁ ଏସ୍ଏଫ୍ଏସ୍ଏଲକୁ ପଠାଯାଇଥିଲା । ସେଠାକାର ଲାବ୍‌ରେ ୧୫-୨୦ଟି ମୋବାଇଲ୍‌ର ହ୍ୱାଟସ୍ଆପ୍ ଚାଟ୍‌ର କିଛି ତଥ୍ୟ ରିକଭରି କରାଯାଇଛି । ବାକି ସବୁ ମୋବାଇଲ୍ ସେମିତି ରଖାଯାଇଛି । ଠିକଣା ସମୟରେ ଡିଜିଟାଲ ତଥ୍ୟ ମିଳିପାରିବନି ବୋଲି ସିବିଆଇ ଅଧିକାରୀମାନେ ଜାଣିସାରିଲେଣି । ଅତିକମ୍‌ରେ ବର୍ଷେ ପରେ ସମୟ ଲାଗିଯାଇପାରେ । ଏସବୁ ମୋବାଇଲ୍‌କୁ ଏକ ଘରୋଇ ସଂସ୍ଥାର ଲାବ୍‌କୁ ପଠାଯିବାକୁ ସିବିଆଇ ପକ୍ଷରୁ ଏନେଇ ଅଦାଲତରେ ଆବେଦନ କରାଯାଇଛି ।

ଯଦି ଅଦାଲତ ଅନୁମତି ଦିଏ, ତା’ହେଲେ ମୋବାଇଲ୍‌ ଗୁଡ଼ିକ ବେଙ୍ଗାଲୁରୁର ଏକ ଲାବ୍‌କୁ ପଠାଯାଇପାରେ ବୋଲି ସିବିଆଇ ସୂତ୍ରରୁ ଜଣାପଡ଼ିଛି । ଆଶାୟୀମାନେ ହ୍ୱାଟସ୍ଆପ୍‌ରେ କେଉଁ ଦଲାଲ୍‌ମାନଙ୍କ ସହ ଚାଟ୍ କରିଥିଲେ? ଗୋଟିଏ ଚାକିରି ପାଇଁ କେତେ ଟଙ୍କାର ଡିଲ୍ ହୋଇଥିଲା? ଏସବୁ ତଥ୍ୟ ସେମାନଙ୍କ ହ୍ୱାଟସ୍ଆପ୍ ଚାଟ୍ ଓ ମେସେଜରୁ ମିଳିଯିବ । ସେମାନେ ବରମୁଣ୍ଡାରୁ ବସ୍‌ରେ ଚଢ଼ିବା ପୂର୍ବରୁ କାହା ସହ ଫୋନ୍‌ରେ କଥା ହୋଇଥିଲେ? ସେମାନଙ୍କୁ ପାଇଲଟିଂ କରି ନେଉଥିବା ଦଲାଲମାନେ କିଏ? କଲ୍ ଡିଟେଲ୍ସ ରେକର୍ଡ (ସିଡିଆର୍) ଏସବୁର ତଥ୍ୟ ମିଳିଯିବ । ସେହିପରି ଦଲାଲମାନଙ୍କ ମୋବାଇଲ୍ ଯାଞ୍ଚ ପରେ ବଡ଼ବଡି଼ଆମାନଙ୍କ ପର୍ଦ୍ଦାଫାଶ ହୋଇପାରେ ବୋଲି ସିବିଆଇ ଆଶା ରଖିଛି ।

ସିବିଆଇ ଏହି ସ୍କାମ୍‌ରେ ଗୁଜରାଟ ବରୋଦାରୁ ନିତୁ ଆରୋରା ନାମକ ଜଣେ ଦଲାଲଙ୍କୁ ଗିରଫ କରିଛି । ସେଠାକାର ଅଦାଲତରେ ନିତୁଙ୍କୁ ହାଜର କରାଇ ୩ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱରକୁ ଅଣାଯାଉଛି । ପୂର୍ବରୁ ବିହାରରୁ ଗିରଫ ହୋଇଥିବା ନୀତିଶ କୁମାରଙ୍କ ତଥ୍ୟ ଆଧାରରେ ନିତୁଙ୍କ ପାଖରେ ପହଞ୍ଚିଛି ସିବିଆଇ । ଏହି ସ୍କାମ୍‌ରେ ସିବିଆଇ ଏଯାବତ୍ ମୋଟ ୫ଜଣଙ୍କୁ ଗିରଫ କରିସାରିଛି ।

ସେପଟେ ୨ଦିନିଆ ରିମାଣ୍ଡ ବେଳେ ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଟି ଅଭିମନ୍ୟୁ ଦୋରା ଓ ପ୍ରିୟଦର୍ଶିନୀ ସାମଲଙ୍କୁ ଜେରା କରାଯାଇଥିଲା । ସିବିଆଇ ଏହି ୪ ଅଭିଯୁକ୍ତଙ୍କଠାରୁ ଅନେକ ତଥ୍ୟ ହାସଲ କରିଛି । ସେମାନଙ୍କ ରିମାଣ୍ଡ ସରିବା ପରେ ଅଦାଲତରେ ହାଜର କରାଯାଇ ଝାରପଡ଼ା ଜେଲକୁ ପଠାଯାଇଛ