କଟକ,୨୩/୦୧: ପୁଲିସ୍ ଏସ୍ଆଇ ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାରେ ଜାମିନ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ସଂକ୍ରାନ୍ତରେ ସିବିଆଇ ପକ୍ଷରୁ ହାଇକୋର୍ଟରେ ରିପୋର୍ଟ ଦାଖଲ କରାଯାଇ ପାରିନଥିଲା । ଫଳରେ ହାଇକୋର୍ଟ ମୁନା ମହାନ୍ତିଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅପରପକ୍ଷରେ ଏହି ମାମଲା ସହ ଜଡ଼ିତ ପ୍ରାୟ ୧୨ ଅଭିଯୁକ୍ତଙ୍କ ଜାମିନ ମାମଲାର ଏକତ୍ର ଶୁଣାଣି ଆସନ୍ତା ଫେବ୍ରୁଆରୀ ୧୬ ତାରିଖରେ ହେବ ବୋଲି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ନିର୍ଦ୍ଦେଶ ଦେଇଛନ୍ତି । ମୁନା ମହାନ୍ତିଙ୍କ ପକ୍ଷରୁ ଆଇନଜୀବୀ ଘନଶ୍ୟାମ ମୁଦୁଲି ମାମଲା ପରିଚାଳନା କରୁଛନ୍ତି ।