ଭୁବନେଶ୍ଵର, ୧୫/୧୧ : ବହୁଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ବଡ଼ ହଲଚଲ୍ । ସିବିଆଇକୁ ତଦନ୍ତ ଦାୟିତ୍ଵ ହସ୍ତାନ୍ତର ପରେ ଭୁବନେଶ୍ଵରରେ ଯୁଗ୍ମ ନିର୍ଦ୍ଦେଶକ ଅନୁରାଗ କୁମାର। ଯୁଗ୍ମ ନିର୍ଦ୍ଦେଶକ ଭୁବନେଶ୍ୱର ଅଫିସରେ ପହଞ୍ଚିବା ପରେ ସିବିଆଇ ଅଫିସ୍ ଚଳଚଞ୍ଚଳ ହୋଇପଡିଛି। ଉପରିସ୍ଥ ଅଫିସରମାନଙ୍କୁ ଡକାଇବା ସହ କ'ଣ ତଦନ୍ତ ହୋଇଛି ତା'ର ସବିଶେଷ ତଥ୍ୟ ନେଇଛନ୍ତି। ସମସ୍ତ ନଥିପତ୍ର ଯାଞ୍ଚ କରିବା ସହ ତନାଘନା ଆରମ୍ଭ କରିଛନ୍ତି। ଏବେ ଗ୍ରାଉଣ୍ଡ ଜିରୋରୁ ତଦନ୍ତ ହେବ। ତଦନ୍ତ ଟିମ୍‌ରେ କିଏ ରହିବେ ଓ କାହାକୁ ବାଦ୍ ଦିଆଯିବ ସେନେଇ ଆଜି ପ୍ଲାନ୍ ପ୍ରସ୍ତୁତ ହେବ। ଅନୁରାଗ କୁମାର ଏହାର ମଙ୍ଗ ଧରିବେ।

ସୂଚନାନୁଯାୟୀ, ସିବିଆଇକୁ ତଦନ୍ତ ଦାୟିତ୍ଵ ମିଳିବା ପରେ ଡିଜିଟାଲ ପ୍ରମାଣପତ୍ରକୁ ଗୁରୁତ୍ୱ ଦିଆଯାଉଛି । ଅଭିଯୁକ୍ତମାନଙ୍କଠାରୁ ଜବତ ହୋଇଥିବା ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ଡିଜିଟାଲ ପ୍ରମାଣପତ୍ର ଜରିଆରେ ତଦନ୍ତକୁ ଆଗେଇ ନେବାକୁ ଚେଷ୍ଟା କରିଛି କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ । ଏସବୁ ଜବତ ଇଲେକଟ୍ରୋନିକ୍ସ ଗାଜେଟ୍‌ରେ ସବିଶେଷ ତଥ୍ୟ ଯଥାଶୀଘ୍ର ଦେବାକୁ ସିବିଆଇ ରାଜ୍ୟ ଅପରାଧ ବିଧି ବିଜ୍ଞାନଗାର(ଏସ୍ଏଫ୍ଏସଏଲ)କୁ ଚିଠି ଲେଖିଛି । ତଦନ୍ତକୁ ଗତିଶୀଳ କରିବାକୁ ଖୁବ୍‌ଶୀଘ୍ର ସିବିଆଇ ଟିମ୍ ୫ଟି ରାଜ୍ୟକୁ ଯାଇପାରେ ବୋଲି ସୂଚନା ମିଳିଛି । ସିବିଆଇର ତଦନ୍ତକାରୀ ଅଧିକାରୀମାନେ ଶୁକ୍ରବାର କ୍ରାଇମବ୍ରାଞ୍ଚ ଠାରୁ ହାତେଇଥିବା ସମସ୍ତ ଦସ୍ତାବିଜ୍‌କୁ ତନତନ କରି ଯାଞ୍ଚ କରୁଛନ୍ତି । ଓଡିଶା ପୁଲିସ ନିଯୁକ୍ତ ବୋର୍ଡର (ଓପିଆର୍ବି) ବରିଷ୍ଠ ଅଧିକାରୀଙ୍କ ସହ କେଳେଙ୍କାରୀ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି । ତଦନ୍ତ ବାବଦକୁ ଓପିଆର୍ବି ଟେଣ୍ଡର ଦେଇଥିବା ଆଇଟିଆଇ ସଂସ୍ଥାର କିଛି କାଗଜପତ୍ରକୁ ମାଗିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ୍ ୧୧୪ ଜଣ ଆଶାୟୀ ସହ ୧୨ ଜଣ ଦଲାଲଙ୍କୁ ଗିରଫ କରିଛି । ଆଶାୟୀଙ୍କୁ ବାଦ୍ ଦେଲେ, କିଛି ଦଲାଲଙ୍କୁ ଖୁବ୍ ଶୀଘ୍ର ଜେରା କରିବାକୁ ଯୋଜନା ରଖିଛି ସିବିଆଇ । ସିଲିକନ ଟେକଲ୍ୟାବ ସଂସ୍ଥାର ସିଇଓ ସୁରେଶ ନାୟକ ଓ ପଞ୍ଚସଫ୍ଟ ଟେକ୍ନୋଲୋଜି/ଫ୍ରଣ୍ଟଟେକର ନିର୍ଦ୍ଦେଶକ ତଥା ମାଷ୍ଟରମାଇଣ୍ଡ ଶଙ୍କର ଓ ଅନ୍ୟତମ କାର୍ପଟଦାର ମୁନା ସହ ମୋଟ୍ ୭ଜଣଙ୍କୁ ରିମାଣ୍ଡ ଆଣିବାକୁ ସିବିଆଇ ଅଦାଲତରେ ଆବେଦନ କରିବ । ସେମାନଙ୍କୁ ନିଜ ହେପାଜତକୁ ଆଣିବ ନଚେତ୍ ଜେଲକୁ ଯାଇ ଜେରା କରିପାରେ । ସେହିପରି ଆଗାମୀ ଦିନରେ କେଳେଙ୍କାରୀର ଚେର ଲମ୍ବିଥିବା ପଶ୍ଚିମବଙ୍ଗ, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ଗୁଜୁରାଟକୁ ସିବିଆଇ ଟିମ୍ ଯାଇ ଛାନଭିନ୍ କରିବ ବୋଲି ସୂଚନା ମିଳିଛି ।