ବ୍ରହ୍ମବରଦା,୨/୩: ପାଟ୍ରୋଲିଂ ବେଳେ ବ୍ରହ୍ମବରଦା ଥାନା ଗାଡ଼ିକୁ ଆକ୍ରମଣ ଘଟଣାରେ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଏହା ସହିତ ଏକ କଳା ରଙ୍ଗର ପଲସର୍ ବାଇକକୁ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବ୍ରହ୍ମବରଦା ଥାନା ଅନ୍ତର୍ଗତ କୋଠାସାହି ଗାଁର ପୁରସ୍ତମ ମଲିକଙ୍କ ପୁଅ ସାଗର ମଲ୍ଲିକ ରବୀନ୍ଦ୍ର ବେହେରାଙ୍କ ପୁଅ ଶ୍ରୀନାଥ ବେହେରା, ପ୍ରଫୁଲ୍ଲ ବେହେରାଙ୍କ ପୁଅ ସୋମନାଥ ହେବେରା, ଓ ବଡ଼ଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ଗାଁର ପ୍ରଭାତ ପାଢୀଙ୍କ ପୁଅ ସତ୍ୟଜିତ ପାଢୀ । ରବିବାର ରାତିରେ ପୁଲିସ ସେମାନଙ୍କୁ ଧରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ତେବେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ଥାନା ଅଧିକାରୀଣୀ ଜୟନ୍ତୀ ମଲ୍ଲିକ ସୂଚନା ଦେଇଛନ୍ତି । ଏହି ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି । ସେମାନଙ୍କୁ ତୁରନ୍ତ ଗିରଫ କରାଯିବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଥାନା ଅଧିକାରିଣୀ ।
ସୂଚନା ଥାଉକି , ଗୁରୁବାର ସନ୍ଧ୍ୟା ୭ଟାରେ ବ୍ରହ୍ମବରଦା ଥାନା ଏଏସଆଇ ଲକ୍ଷ୍ମୀଧର ରାଜ୍ ଓ ଅନ୍ୟ ଦୁଇ ପୁଲିସ କର୍ମଚାରୀ ଅର୍ଥଙ୍ଗା ପଞ୍ଚାୟତ ଚଅପୋଇ ଅଞ୍ଚଳରେ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ବ୍ରାହ୍ମଣୀନଦୀ ଚଅପୋଇ ବାଲିଘାଟରେ ନିଆଁ ଜଳୁଥିବା ଦେଖିବାକୁ ପାଇଥିଲେ । ନିଆଁ ଜଳିବାର କାରଣ ଜାଣିବା ପାଇଁ ପୁଲିସ ସେଠାରେ ପହଞ୍ଚିଥିଲା । ଘଟଣାସ୍ଥଳରେ ୮ରୁ ୧୦ ଜଣ ଯୁବକ ଗୋଟିଏ ବଜାଜ୍ ପଲସର ଗାଡି ରଖି ଭୂତ ରିଲସ୍ କରୁଥିଲେ । ନିଜ ନିଜ ମଧ୍ୟରେ ଅଶ୍ଳୀଳ ଭାଷାରେ କଥାବାର୍ତ୍ତା ହେଉଥିଲେ । ସେଠାରେ ମଦ ବୋତଲ, ସିଗାରେଟ୍ ଟୁକୁଡା, ଖାଲି ଗ୍ଲାସ, ପଲିଥିନ ପଡିଥିବା ବେଳେ ପୁଲିସ ସେମାନଙ୍କ ନିକଟରେ ପହଞ୍ଚି ରାତିରେ ଏଠାରେ କ’ଣ କରୁଛ ବୋଲି ପଚାରିଥିଲା । ଏଥିରେ ଯୁବକମାନେ ଉତକ୍ଷିପ୍ତ ହୋଇ ପୁଲିସ କର୍ମଚାରୀ ମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଘଟଣାସ୍ଥାଳରୁ ପଳାଇବାକୁ ଧମକ ଦେଇଥିଲେ । ଘଟଣା ଘଟିବାର କିଛି ସମୟ ପରେ ସ୍ଥାନୀୟ ଅଞ୍ଚଳର କିଛି ଲୋକେ ପହଞ୍ଚି ଯାଇ ଥିଲେ । ସେଠାରେ ପୁଲିସ ବୁଝାସୁଝା କରି ଫେରିବା ପରେ କିଛି ଯୁବକ ପୁଲିସ ଗାଡ଼ି ଉପରକୁ ଟେକା ପଥର ଫିଙ୍ଗି ଥିଲେ । ଏହାକୁ ନେଇ ଏଏସଆଇ ଲକ୍ଷ୍ମୀଧର ରାଜ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲା । ପୁଲିସ ଦେଖି ଯୁବକମାନେ ସେଠାରୁ ଚମ୍ପଟ ମାରିଥିଲା ।ହେଲେ ପଲସର୍ ବାଇକକୁ ଜବତ କରିନେଇଥିଲା । ତେବେ ପୁଲିସ ରବିବାର ରାତିରେ ବିଭିନ୍ନ ସ୍ଥାନରେ ଚଢାଉ କରି ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।..