ମୁମ୍ବାଇ ୨୧/୧୦: ଅଭିନେତ୍ରୀ ପୂଜା ହେଗ୍‌ଡ଼େଙ୍କର ଶେଷ ଦୁଇଟି ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ ଓ ‘ସର୍କସ୍‌’ ବକ୍ସ ଅଫିସ୍‌ରେ ସେତେ ଭଲ ପ୍ରଦର୍ଶନ କରିନଥିଲା । ଆଗକୁ ତାଙ୍କୁ ଆକ୍ସନ୍‌ ଥ୍ରିଲର ‘ଦେବା’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହିତ ଅଭିନେତା ଶାହିଦ୍‌ କପୁର ନଜର ଆସିବେ । ସେହି ଫିଲ୍ମ ଜରିଆରେ ପୂଜା ବଲିଉଡ୍‌ରେ ଧୁମ୍‌ ମଚାଇବେ ବୋଲି ଚର୍ଚ୍ଚା ଚାଲିଛି । 

ଏ ସଂପର୍କରେ ସେ କହିଛନ୍ତି, ଫିଲ୍ମରେ ମୋତେ ଜଣେ ସାମ୍ବାଦିକାଙ୍କ ଭୂମିକାରେ ଦେଖିବାକୁ ମିଳିବ । ଏହାର କାହାଣୀ ବହୁତ ରୋଚକ ହୋଇଥିବାବେଳେ ଦର୍ଶକମାନଙ୍କୁ ନିଶ୍ଚିତ ଭାବେ ଭରପୁର ମନୋରଞ୍ଜନ ପ୍ରଦାନ କରିବ । ଜଣେ କଳାକାର ଭାବେ ମୋର ଯାତ୍ରାକୁ ମଧ୍ୟ ଏହା ଆହୁରି ପରିପକ୍ୱ କରିଛି ବୋଲି ମୁଁ ଜୋର୍‌ ଦେଇ କହିବି । ‘ଦେବା’କୁ ପ୍ରସିଦ୍ଧ ମାଲାୟଲମ୍‌ ଫିଲ୍ମ ନିର୍ମାତା ରୋଶନ୍‌ ଆଣ୍ଡ୍ରୁସ୍‌ ନିର୍ଦ୍ଦେଶନା ଦେଉଛନ୍ତି ।

ପ୍ରଯୋଜନାରେ ଅଛନ୍ତି ସିଦ୍ଧାର୍ଥ ରୟ କପୁର । ଆସନ୍ତାବର୍ଷ ଫେବ୍ରୁଆରୀ ମାସରେ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବ । ସେହି ଫିଲ୍ମ ବ୍ୟତୀତ ପୂଜା ଦକ୍ଷିଣ ଭାରତୀୟ ଅଭିନେତା ସୂର୍ଯ୍ୟାଙ୍କ ସହିତ ‘ସୂର୍ଯ୍ୟା ୪୪’ରେ ନଜର ଆସିବେ । ଏହାଛଡ଼ା ଥଲାପତି ବିଜୟଙ୍କ ସହିତ ‘ଥଲାପତି ୬୯’ରେ ବି ତାଙ୍କୁ ଦେଖିବାକୁ ମିଳିବ ।