ନୂଆଦିଲ୍ଲୀ, ୧୪।୪: ସାରା ବିଶ୍ୱରେ ଶାନ୍ତିର ବାର୍ତ୍ତା ପ୍ରଚାର କରୁଥିବା ଖ୍ରୀଷ୍ଟିୟାନ ଧର୍ମଗୁରୁ ପୋପ୍ ଏବଂ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏବେ ଶବ୍ଦ ଯୁଦ୍ଧ ତେଜିବାରେ ଲାଗିଛି । ପୋପ୍ ଲିଓ XIV ସ୍ପଷ୍ଟ କରିଛନ୍ତି ଯେ, ସେ କୌଣସି ପ୍ରଶାସନକୁ ଡରନ୍ତି ନାହିଁ ଏବଂ ସତ୍ୟ କହିବାରୁ ପଛଘୁଞ୍ଚା ଦେବେ ନାହିଁ । ପୋପ୍ ଲିଓ XIV କହିଛନ୍ତି "ହ୍ୱାଇଟ୍ ହାଉସକୁ ମୋର ଭୟ ନାହିଁ" । ଆଲଜେରିଆ ଗସ୍ତ ସମୟରେ ବିମାନରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ପୋପ୍ ଲିଓ XIV କହିଛନ୍ତି ଯେ, "ସେ ଟ୍ରମ୍ପ ପ୍ରଶାସନର କୌଣସି କାର୍ଯ୍ୟାନୁଷ୍ଠାନକୁ ଭୟ କରନ୍ତି ନାହିଁ । ମୁଁ ଗସପେଲର ସନ୍ଦେଶକୁ ଜୋରରେ କହିବାକୁ ଭୟ କରେ ନାହିଁ । ଚର୍ଚ୍ଚର ଯେଉଁ ଦାୟିତ୍ୱ ରହିଛି, ମୁଁ ତାହା ପାଳନ କରୁଛି ।"

ଏହା ବି ପଢ଼ନ୍ତୁ... 'ହସ୍ତକ୍ଷେପ କଲେ ପରିଣାମ ଭୟାବହ ହେବ'; ହୋର୍ମୁଜରେ ନାକାବନ୍ଦୀ ନେଇ ଆମେରିକାକୁ ଚୀନର ଚେତାବନୀ

ଭାଟିକାନ ସିଟିରେ ଶାନ୍ତି ସଭା ସମୟରେ ସେ କହିଥିଲେ, "ବହୁତ ହୋଇଗଲା ଯୁଦ୍ଧ, ଏବେ ଏହା ବନ୍ଦ ହେବା ଦରକାର ।" ବିଶେଷ କରି ଇରାନ ବିରୋଧରେ ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣକୁ ସେ ପରୋକ୍ଷରେ ସମାଲୋଚନା କରିଥିଲେ । ପୋପ୍‌ଙ୍କ ଶାନ୍ତି ଆବେଦନ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ଟ୍ରମ୍ପ ପୋପ୍‌ଙ୍କୁ ଅପରାଧ ରୋକିବା କ୍ଷେତ୍ରରେ 'ଦୁର୍ବଳ' ଏବଂ ବୈଦେଶିକ ନୀତି ପାଇଁ 'ଅତି ଖରାପ' ବୋଲି ବର୍ଣ୍ଣନା କରିଛନ୍ତି । ମଜାଦାର କଥା ହେଉଛି, ପୋପ୍ ଲିଓ XIV ଶିକାଗୋରେ ଜନ୍ମିତ ଏବଂ କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ ହୋଇଥିବା ପ୍ରଥମ ଆମେରିକୀୟ । ମେ’ ୨୦୨୫ରେ ଯେତେବେଳେ ସେ ଏହି ପଦବୀ ପାଇଲେ, ସେତେବେଳେ ଟ୍ରମ୍ପ ତାଙ୍କୁ ଶୁଭେଚ୍ଛା ଜଣାଇ ଜଣେ ଆମେରିକୀୟଙ୍କ ପାଇଁ ଏହା ବଡ଼ ଗର୍ବର ବିଷୟ ବୋଲି କହିଥିଲେ । ମାତ୍ର ବର୍ତ୍ତମାନ ଯୁଦ୍ଧ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ମତଭେଦ ଚରମ ସୀମାରେ ପହଞ୍ଚିଛି ।

ସାରା ବିଶ୍ୱରେ ଶାନ୍ତି ପାଇଁ ପୋପ୍‌ଙ୍କ ଆକୁଳ ନିବେଦନ:

ଗତ ଏକ ବର୍ଷ ଧରି ପୋପ୍ ଲିଓ XIV ବିଭିନ୍ନ ଦେଶ ମଧ୍ୟରେ ଚାଲିଥିବା ସଂଘର୍ଷକୁ ନେଇ ଚିନ୍ତା ପ୍ରକାଶ କରି ଆସୁଛନ୍ତି । ରୁଷ-ୟୁକ୍ରେନ ଯୁଦ୍ଧ, ସୁଦାନର ଗୃହଯୁଦ୍ଧ ଏବଂ ଲେବାନନରେ ଇସ୍ରାଏଲ-ହିଜବୁଲ୍ଲା ସଂଘର୍ଷ ଉପରେ ସେ ବାରମ୍ବାର ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଯେ, ହିଂସା ଚକ୍ରକୁ ରୋକିବା ସବୁ ପକ୍ଷଙ୍କର ଏକ ନୈତିକ ଦାୟିତ୍ୱ । ଈଶ୍ୱର କେବେ ବି ଯୁଦ୍ଧ କିମ୍ବା ରକ୍ତପାତକୁ ଆଶୀର୍ବାଦ ଦିଅନ୍ତି ନାହିଁ । ପ୍ରଥମ ଥର ପାଇଁ ଜଣେ ଆମେରିକୀୟ ପୋପ୍ ଏବଂ ଜଣେ ଆମେରିକୀୟ ରାଷ୍ଟ୍ରପତିଙ୍କ ମଧ୍ୟରେ ଏଭଳି ଖୋଲାଖୋଲି ବିବାଦ ଦେଖିବାକୁ ମିଳୁଛି । ପୋପ୍‌ଙ୍କ ସ୍ପଷ୍ଟୋକ୍ତି - "ଶାନ୍ତି ପ୍ରତିଷ୍ଠାକାରୀମାନେ ହିଁ ଧନ୍ୟ" - ଏବେ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜନୈତିକ ଅହଂକାର ଯୋଗୁଁ ଯୁଦ୍ଧକୁ ପ୍ରୋତ୍ସାହନ ଦିଆଯାଉଥିବା ନେଇ ପୋପ୍ ଦେଇଥିବା ବୟାନ ଟ୍ରମ୍ପ ପ୍ରଶାସନକୁ ଅଡ଼ୁଆରେ ପକାଇଛି ।