କୋଟା, ୨୧/୭ : ଗରିବ ହେଉକି ଧନୀ... ସ୍ଵପ୍ନ ଦେଖିବାର ଅଧିକାର ସମସ୍ତଙ୍କୁ ଅଛି। ହେଲେ ଏହି ସ୍ଵପ୍ନକୁ ସାକାର କରିବାକୁ ସବୁ ଲୋକଙ୍କର ଜିଗର୍ ନାହିଁ। ଦୃଢ ମନୋବଳ ଥିଲେ ଅଭାବ, ଅନଟନ ବି ଦିନେ ମୁଣ୍ଡ ନୁଆଁଇବ। ଆଉ ସଫଳତା ଚରଣ ଛୁଇଁବ। ବୁନ୍ଦି ଜିଲ୍ଲାର କାପରେନ ଗାଁର ସୁରଜ ସୁମନ ଏହାର ନିଚ୍ଛକ ଉଦାହରଣ। ଯେଉଁ ହାତ ଦିନେ କାନ୍ଥରେ ରଙ୍ଗ ମାରୁଥିଲା କରୁଥିଲା ଏବେ ସେହି ହାତ ଷ୍ଟେଥୋସ୍କୋପ୍ ଧରି ରୋଗୀଙ୍କ ଚିକିତ୍ସା କରିବ। ମୂଲିଆ ମା'ର ଗରିବ ପୁଅଟା ଡାକ୍ତର ବାବୁ ହେବ।
ସୁରଜ ସୁମନ ନିଟ୍-ୟୁଜି ୨୦୨୬ରେ ୫୮୩ ନମ୍ବର ରଖି OBC ବର୍ଗର ରାଙ୍କ ୭୮୦୦ ଏବଂ ସାଧାରଣ ବର୍ଗର ରାଙ୍କ ୧୬୫୬୯ ପାଇ ଏକ ସରକାରୀ ମେଡିକାଲ କଲେଜରେ ନାମ ଲେଖାଇବାକୁ ଯୋଗ୍ୟତା ହାସଲ କରିଛନ୍ତି। ଅଭାବ ଅନଟନ ଯୋଗୁଁ ଖୁବ୍ କମ୍ ବୟସରେ ତାଙ୍କ କାନ୍ଧ ଉପରେ ପରିବାରର ବୋଝ ମାଡ଼ି ବସିଥିଲା। ଘର ଖର୍ଚ୍ଚ ଉଠାଇବାକୁ ଖାଲି ସମୟରେ ସେ ଗାଁରେ ଘରେ ଘରେ ଯାଇ ରଙ୍ଗ କାମ କରୁଥିଲେ। ତାଙ୍କ ମା ଘିସି ବାଈ ଏବଂ ସାନ ଭଉଣୀ ଗରିମା କ୍ଷେତରେ ମଜୁରୀ ଲାଗୁଥିଲେ। ଅର୍ଥାଭାବ ଯୋଗୁଁ ସୁରଜଙ୍କ ଭଉଣୀ ଅଷ୍ଟମ ଶ୍ରେଣୀରୁ ପଢା ଛାଡ଼ିଦେଇଥିଲେ। ଏବେ ସୁରଜ ପଣ କରିଛନ୍ତି, ଡାକ୍ତର ହେବା ପରେ ତାଙ୍କ ଭଉଣୀଙ୍କ ପାଠପଢା ପୁଣି ଆରମ୍ଭ କରିବେ।
ସୁରଜ ୧୦ମରେ ୮୭ ପ୍ରତିଶତ ଏବଂ ଦ୍ଵାଦଶରେ ୮୫ ପ୍ରତିଶତ ନମ୍ଵର ରଖିଛନ୍ତି। ବାୟୋଲୋଜି ତାଙ୍କ ପ୍ରିୟ ବିଷୟ। ପିଲାଦିନୁ ସେ ଡାକ୍ତର ହେବାକୁ ସ୍ବପ୍ନ ଦେଖୁଥିଲେ। ହେଲେ ପରିବାରର ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ସେ କୋଚିଂ ନେବାକୁ ସାହାସ କରିପାରୁନଥିଲେ। ଏହାରି ଭିତରେ ସେ ଏଲନ୍ କୋଚିଂ ବିଷୟରେ ବୁଝିବା ପାଇଁ କୋଟା ଯାଇଥିଲେ। ସେଠାରେ ସେ ଏଲନ୍ କ୍ୟାରିଅର୍ ଇନଷ୍ଟିଚ୍ୟୁଟ୍ ଏବଂ ଏଲଏନ ମାହେଶ୍ୱରୀ ପରମାର୍ଥ ଟ୍ରଷ୍ଟ ଦ୍ୱାରା ପରିଚାଳିତ "ଶିକ୍ଷା ସମ୍ବଳ" କାର୍ଯ୍ୟକ୍ରମ ବିଷୟରେ ଜାଣିବାକୁ ପାଇଲେ। ଚୟନ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ, ତାଙ୍କୁ ମାଗଣା NEET କୋଚିଂ, ଖାଇବା ଏବଂ ରହିବା ଯୋଗାଇ ଦିଆଯାଇଥିଲା। ଏହି ସହାୟତା ତାଙ୍କ ସ୍ୱପ୍ନ ପାଇଁ ସବୁଠାରୁ ବଡ଼ ମୂଳଦୁଆ ପାଲଟିଥିଲା। ଏହା ତାଙ୍କ ଜୀବନର ସବୁଠୁ ବଡ଼ ଟର୍ଣ୍ଣିଂ ପଏଣ୍ଟ ଥିଲା। କଠିନ ପରିଶ୍ରମୀ ବ୍ୟକ୍ତି କୌଣସି ପରିସ୍ଥିତି ହାର୍ ମାନନ୍ତି ନାହିଁ ବୋଲି ସୂରଜ ପ୍ରମାଣିତ କରିଛନ୍ତି। ତାଙ୍କ କାହାଣୀ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବ।
ଆହୁରି ପଢନ୍ତୁ- ଏବେ ଭାରତରେ ତିଆରି ହେବ 'ତାମିର' ମିସାଇଲ୍, ‘ମେକ୍ ଇନ୍ ଇଣ୍ଡିଆ’ ଅଧୀନରେ ବଡ଼ ନିଷ୍ପତ୍ତି
ଓଡ଼ିଶାର ପ୍ରଥମ ମହିଳା ଡନ୍ ‘ଚିତ୍ତେରା’! ନାଁ ଶୁଣିଲେ ଥରୁଥିଲେ ୫ ଖଣ୍ଡ ମୌଜା