ନୂଆଦିଲ୍ଲୀ, : ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଇସ୍ରାଏଲ ଏକ ବଡ଼ କୂଟନୈତିକ ରଣନୀତି ଖେଳିଛି । ନିଜର ପ୍ରସିଦ୍ଧ ‘ଆଇରନ୍ ଡୋମ୍’ ଏୟାର ଡିଫେନ୍ସ ସିଷ୍ଟମ୍ରେ ବ୍ୟବହୃତ ହେଉଥିବା ‘ତାମିର’ ଇଣ୍ଟରସେପ୍ଟର ମିସାଇଲ୍ ର ଉତ୍ପାଦନ ଏବେ ଭାରତରେ କରିବାକୁ ଯୋଜନା କରୁଛି ଇସ୍ରାଏଲ । ଭାରତ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଆଇରନ୍ ଡୋମ୍ ସିଷ୍ଟମ୍ ନିର୍ମାଣ କରୁଥିବା ଇସ୍ରାଏଲର ପ୍ରମୁଖ ପ୍ରତିରକ୍ଷା କମ୍ପାନୀ 'ରାଫେଲ୍ ଆଡଭାନ୍ସଡ୍ ଡିଫେନ୍ସ ସିଷ୍ଟମ୍ସ' ଭାରତରେ ଏହି ମିସାଇଲ୍ ଉତ୍ପାଦନ ପାଇଁ ଯୋଜନାକୁ ଚୂଡ଼ାନ୍ତ ରୂପ ଦେଇଥିବା ରିପୋର୍ଟରୁ ପ୍ରକାଶ ପାଇଛି ।
ଯୁଦ୍ଧ ସମୟରେ ବିପୁଳ ପରିମାଣର ତାମିର ମିସାଇଲ୍ ଆବଶ୍ୟକ ହେଉଛି । ଇସ୍ରାଏଲ ଅପେକ୍ଷାକୃତ ଛୋଟ ଦେଶ ହୋଇଥିବାରୁ ସେଠାରେ ଥିବା ଫ୍ୟାକ୍ଟ୍ରିଗୁଡ଼ିକ ଶତ୍ରୁର ମିସାଇଲ୍ ଆକ୍ରମଣର ନିଶାନା ହେବାର ଆଶଙ୍କା ରହିଛି । ଭାରତରେ ଉତ୍ପାଦନ ହେଲେ ଯୋଗାଣ ଶୃଙ୍ଖଳା ବିନା ବାଧାରେ ଜାରି ରହିପାରିବ । ଭାରତରେ ବୃହତ୍ ମାତ୍ରାରେ ମିସାଇଲ୍ ତିଆରି ହେଲେ ଏହାର ନିର୍ମାଣ ଖର୍ଚ୍ଚ ଯଥେଷ୍ଟ କମିଯିବ । ଇସ୍ରାଏଲ୍ ପୂର୍ବରୁ ଆମେରିକାର ‘ରେଥିଅନ୍’ କମ୍ପାନୀ ସହ ମିଶି ‘R2S’ ଜଏଣ୍ଟ ଭେଞ୍ଚର ଜରିଆରେ ନିଜ ଦେଶ ବାହାରେ ମିସାଇଲ୍ ଉପକରଣ ତିଆରି କରୁଛି । ଏବେ ଭାରତୀୟ କମ୍ପାନୀଗୁଡ଼ିକ ସହ ସମାନ ଧରଣର ଚୁକ୍ତି ହେବାକୁ ଯାଉଛି ।
ଏହା ବି ପଢ଼ନ୍ତୁ... NDA Party Meeting: 'ପିଲାଙ୍କ ଭବିଷ୍ୟତକୁ ବିପଦରେ ପକାଇବାକୁ ଦିଆଯିବନି'; NDA ବୈଠକରେ କହିଲେ ପ୍ରଧାନମନ୍ତ୍ରୀ
ଭାରତୀୟ କମ୍ପାନୀଗୁଡ଼ିକ ପାଇଁ ବଡ଼ ସୁଯୋଗ:
ଏହି ପ୍ରକଳ୍ପ ଦ୍ୱାରା ଭାରତର ସରକାରୀ ଓ ବେସରକାରୀ ପ୍ରତିରକ୍ଷା ଉଦ୍ୟୋଗଗୁଡ଼ିକୁ ବିଶାଳ ବୈଷୟିକ ଲାଭ ମିଳିବ । ଭାରତ ଡାଇନାମିକ୍ସ ଲିମିଟେଡ୍ (BDL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (BEL) ଭଳି ପବ୍ଲିକ୍ ସେକ୍ଟର ସଂସ୍ଥା ଏବଂ ଭାରତର ବୃଦ୍ଧିପାଉଥିବା ବେସରକାରୀ ପ୍ରତିରକ୍ଷା ସଂସ୍ଥାଗୁଡ଼ିକ ଏହି ଅତ୍ୟାଧୁନିକ ମିସାଇଲ୍ ନିର୍ମାଣରେ ପ୍ରମୁଖ ଅଂଶୀଦାର ହେବେ । ଏହି ଚୁକ୍ତି ଫଳରେ ଭାରତ ବିଶ୍ୱସ୍ତରରେ ଏକ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ ଦେଶ ଭାବେ ଉଭା ହୋଇପାରିବ । ମଧ୍ୟପ୍ରାଚ୍ୟ ଓ ୟୁରୋପରେ ସମ୍ପ୍ରତି ଚାଲିଥିବା ସଂଘର୍ଷ ଯୋଗୁଁ ରକେଟ୍ ଓ ଡ୍ରୋନ୍କୁ ଆକାଶରେ ନଷ୍ଟ କରିପାରୁଥିବା ସର୍ଟ ରେଞ୍ଜ ଏୟାର ଡିଫେନ୍ସ ସିଷ୍ଟମର ଚାହିଦା ବୃଦ୍ଧି ପାଇଛି । ରାଜନୈତିକ ଓ କୂଟନୈତିକ କାରଣରୁ କେତେକ ଦେଶ ସୀଧାସଳଖ ଇସ୍ରାଏଲରୁ ଅସ୍ତ୍ର କିଣିବାକୁ ସଙ୍କୋଚ କରୁଛନ୍ତି, କିନ୍ତୁ ଭାରତରେ ମିଳିତ ଭାବେ ଉତ୍ପାଦିତ ହେଉଥିବା ଅସ୍ତ୍ରଶସ୍ତ୍ର ବିଶ୍ୱ ବଜାରରେ ବିକ୍ରି କରିବା ଇସ୍ରାଏଲ ପାଇଁ ଅଧିକ ସହଜ ହୋଇଯିବ ।
ରିପୋର୍ଟ ଅନୁସାରେ, ଭାରତରେ ତାମିର ମିସାଇଲ୍ ଉତ୍ପାଦନ ଓ ଅନ୍ୟ ଦେଶକୁ ରପ୍ତାନି କରିବା ପାଇଁ ଉଭୟ ଭାରତ ଓ ଇସ୍ରାଏଲ ସରକାରଙ୍କ ଅନୁମୋଦନ ଅନିବାର୍ଯ୍ୟ ରହିବ । ଏହା ଦ୍ୱିପାକ୍ଷିକ ଚୁକ୍ତି ଓ ଏକ୍ସପୋର୍ଟ କଣ୍ଟ୍ରୋଲ ନିୟମାବଳୀ ଅଧୀନରେ କାର୍ଯ୍ୟ କରିବ । ଭାରତ ଓ ଇସ୍ରାଏଲ ମଧ୍ୟରେ ପୂର୍ବରୁ 'ବରାକ୍-୮' ମିସାଇଲ୍, ରୋଡାର୍ ଓ ଇଲେକ୍ଟ୍ରୋନିକ୍ ୱାରଫେୟାର ସିଷ୍ଟମ୍କୁ ନେଇ ଗଭୀର ସହଯୋଗ ରହିଛି । ଏବେ ‘ତାମିର’ ମିସାଇଲର ସ୍ଥାନୀୟ ଉତ୍ପାଦନ ଭାରତର 'ଆତ୍ମନିର୍ଭର ଭାରତ' ଅଭିଯାନକୁ ଏକ ନୂଆ ଶିଖରକୁ ନେବା ସହ ଦୁଇ ଦେଶର କୂଟନୈତିକ ଓ ସାମରିକ ସମ୍ପର୍କକୁ ଅଧିକ ମଜବୁତ କରିବ ।