ପ୍ରମୂଖ ଖବର

ଶତ୍ରୁବୋଧର ମହତ୍ତ୍ଵ

Published By : Rasmita Pradhan | June 4, 2025 11:56 AM

ପ୍ରଥମ ଥର ପାଇଁ ପାକିସ୍ତାନ ଉପରେ ଭାରତ ବ୍ରହ୍ମୋସ ଭଳି ସୁପରସୋନିକ କ୍ରୁଜ ମିଜାଇଲ ମାଡ଼ କରିଛି, ପ୍ରଥମ ଥର ପାଇଁ ପାକିସ୍ତାନର ପଞ୍ଜାବ ଭିତରେ ଆକ୍ରମଣ ହୋଇଛି, ଯେଉଁ ପଞ୍ଜାବ ହେଉଛି ତାଙ୍କର ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଅଞ୍ଚଳ । ଅପରେସନ ସିନ୍ଦୂର ବନ୍ଦ ହୋଇନାହିଁ ବୋଲି ସେନା ସ୍ପଷ୍ଟ କରିଛି । ଏବେ ପୁଣି କେବେ ମାରିବା ତାହା ଆମେ ନିଷ୍ପତ୍ତି ନେବା ।

ଶତ୍ରୁବୋଧର ଅର୍ଥ ହେଉଛି ଶତ୍ରୁକୁ ଚିହ୍ନିବା, ଶତ୍ରୁର ସ୍ୱରୂପକୁ ଜାଣିବା ଏବଂ ସେହି ଅନୁସାରେ ଶତ୍ରୁ ସହିତ ବ୍ୟବହାର କରିବା । ପୃଥ୍ୱୀରାଜ ଚୌହାନ, ମହମ୍ମଦ ଘୋରିକୁ ଯୁଦ୍ଧରେ ଜୀବନ ଦାନ ଦେଇଥିଲେ । ଯଦି ପୃଥ୍ୱୀରାଜ ଶତ୍ରୁବୋଧକୁ ସେଦିନ ଠିକ୍‌ଭାବରେ ବୁଝିଥାନ୍ତେ, ତାହେଲେ ହୁଏତ ସେହି ମହମ୍ମଦ ଘୋରି ହାତରେ ପୃଥ୍ୱୀରାଜଙ୍କ ଜୀବନ ଯାଇନଥାନ୍ତା । ଏହା ହେଉଛି ଇତିହାସର କଥା । ସାମ୍ପ୍ରତିକ ସ୍ଥିତିରେ ମଧ୍ୟ ପାକିସ୍ତାନ ସହିତ ଆମ ଦେଶର ସମ୍ପର୍କରେ ସେହି ଶତ୍ରୁବୋଧକୁ ବୁଝିବାର ଗୁରୁତ୍ୱ ରହିଛି । ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଥିଲା । ସାରା ଦେଶ ଗୋଟିଏ ସ୍ୱରରେ କହିବାରେ ଲାଗିଥିଲା- ବହୁତ ହୋଇଗଲା, ଆଉ ନୁହେଁ । ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସେନା ମେ’ ୭ ତାରିଖରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ଏହି ଆକ୍ରମଣରେ ପାକିସ୍ତାନର ୧୦ଟି ବାୟୁସେନା କେନ୍ଦ୍ର କ୍ଷତିଗ୍ରସ୍ତ ହେବା ସହିତ ଲସ୍କର-ଇତୋଇବା, ଜୈସ-ଇ-ମହମ୍ମଦ, ହିଜବୁଲ୍ଲା ମୁଜାହିଦ୍ଦିନ ଭଳି ଆତଙ୍କୀ ସଙ୍ଗଠନର ତାଲିମ କେନ୍ଦ୍ରକୁ ଭାରତର କ୍ଷେପଣାସ୍ତ୍ର ଏବଂ ଡ୍ରୋନ ମାଡ଼ରେ ଧ୍ୱସ୍ତବିଧ୍ୱସ୍ତ କରାଯାଇଛି । 

ସେହିଭଳି ପାକିସ୍ତାନର ଲାହୋରରେ ଚାଇନା ସହଯୋଗରେ ନିର୍ମାଣ ହୋଇଥିବା ବାୟୁସେନା ପ୍ରତିରକ୍ଷା ବ୍ୟବସ୍ଥାକୁ ମଧ୍ୟ ଭାରତୀୟ ବାୟୁସେନା ନଷ୍ଟ କରିସାରିଛି । ୧୯୪୭ରୁ ଆଜି ପର୍ଯ୍ୟନ୍ତ ପାକିସ୍ତାନ ନିଜ ଆଡୁ ଆଗୁଆ ଭାରତ ସହିତ ୪ଟି ଯୁଦ୍ଧ ଲଢିଛି, ଅସଂଖ୍ୟ ଆତଙ୍କୀ ଆକ୍ରମଣ କରିଛି । ଏପରିକି ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ଆମ ସଂସଦ ଉପରେ ମଧ୍ୟ ଆକ୍ରମଣ କରିସାରିଛି । ୧୯୪୭-୪୮ରେ ପାକିସ୍ତାନ କାଶ୍ମୀର ଉପରେ ଆକ୍ରମଣ କରିଲା । ଭାରତୀୟ ସେନା ପାଖାପାଖି ୧ବର୍ଷ କାଳ ଯୁଦ୍ଧ ଲଢ଼ିଲା ଏବଂ ଭାରତ ବିଜୟୀ ହେଲା । କିନ୍ତୁ ପାକିସ୍ତାନର କ’ଣ କ୍ଷତି ହେଲା? ଆମେ ଯୁଦ୍ଧରେ ଜିତିଥିଲେ ମଧ୍ୟ ଏକ-ତୃତୀୟାଂଶ କାଶ୍ମୀର ହରାଇଲୁ, ଯାହା ଏବେବି ପାକିସ୍ତାନ ନିୟନ୍ତ୍ରଣରେ ରହିଛି । ଆମେ ନିଜେ ଜାତିସଂଘକୁ ଆଗୁଆ ପଳାଇଲୁ ଏବଂ ଜାତିସଂଘର ପରାମର୍ଶ ମୁତାବକ ଯୁଦ୍ଧ ବନ୍ଦ କରିଦେଲୁ । ୟୁନାଇଟେଡ ନେସନ ମିଲିଟାରି ଅବଜରଭର ନାମକ ଅନୁଷ୍ଠାନଟି ସେବେଠାରୁ ଦିଲ୍ଲୀରେ ଏକ କାର୍ଯ୍ୟାଳୟ ଖୋଲିକି ବସିଥିଲା । ତା’ର କାର୍ଯ୍ୟାଳୟକୁ ଏବେ ନରେନ୍ଦ୍ର ମୋଦିଙ୍କ ସରକାର ବନ୍ଦ କରିଦେଇଛନ୍ତି ଏବଂ ସେଠାରେ ଥିବା କର୍ମଚାରୀମାନଙ୍କୁ ବିଦା କରିଦେଇଛନ୍ତି । 

୧୯୬୫ରେ ପୁଣି ପାକିସ୍ତାନ, ଭାରତ ଉପରେ ଆକ୍ରମଣ କରିଲା ଏବଂ ଭାରତ ଏହାର ଜବାବ ଦେଲା । ୧୯୭୧ରେ ପାକିସ୍ତାନ ଭାରତର ବିମାନ ଆଡ୍ଡା ଉପରେ ଆଗୁଆ ଆକ୍ରମଣ କରିଲା ଏବଂ ଏହାପରେ ପୁଣି ଯୁଦ୍ଧ ହେଲା । ଭାରତ ଏକତରଫା ଭାବରେ ଯୁଦ୍ଧ ଜିତିଲା । ଆତ୍ମସମର୍ପଣ କରିଥିବା ୯୧ହଜାର ପାକିସ୍ତାନୀ ଯୁଦ୍ଧବନ୍ଦୀଙ୍କୁ ଭାରତ ମୁକ୍ତ କଲା, କିନ୍ତୁ ଭାରତର ଯେଉଁ ୫୪ଜଣ ସୈନିକ ପାକିସ୍ତାନରେ ବନ୍ଦୀ ଥିଲେ ସେମାନଙ୍କୁ ଆମେ ମୁକୁଳାଇ ପାରିଲୁ ନାହିଁ । ୧୯୭୧ରେ ଭାରତୀୟ ସେନା ଯେଉଁଭଳି ଭାବରେ ପାକିସ୍ତାନକୁ ଧରାଶାୟୀ କରିଥିଲା ସେତେବେଳେ ଆମେ ଚାହିଁଥିଲେ ସେହି ୯୧ହଜାର ସୈନ୍ୟଙ୍କ ଜୀବନ ବଦଳରେ ପାକିସ୍ତାନ ଅଧିକୃତ କାଶ୍ମୀରକୁ ଆଣି ପାରିଥାନ୍ତେ । ସେ ସୁଯୋଗ ଆମେ ହାତଛଡ଼ା କରିଦେଲୁ । ୧୯୯୯ରେ ପାକିସ୍ତାନ ପୁଣି ଭାରତ ଉପରେ ଆକ୍ରମଣ କରିଲା । କାରଗିଲରେ ହୋଇଥିବା ଏହି ଯୁଦ୍ଧରେ ପୁଣି ପାକିସ୍ତାନର ପରାଜୟ ହେଲା । ଏପର୍ଯ୍ୟନ୍ତ ସୁଦ୍ଧା ଭାରତ କେବେ ବି ପାକିସ୍ତାନ ଉପରେ ଆଗୁଆ ଆକ୍ରମଣ କରିନାହିଁ । କିନ୍ତୁ ବାରମ୍ବାର ହାରୁଥିବା ସତ୍ତ୍ଵେ ପାକିସ୍ତାନ ସବୁବେଳେ ଆଗୁଆ ଆକ୍ରମଣ କରିଆସିଛି, ନହେଲେ ଆତଙ୍କବାଦୀ ଆକ୍ରମଣ କରିଚାଲିଛି । ଏଇଠି ବୁଝିବାକୁ ପଡ଼ିବ ଶତ୍ରୁବୋଧର ମହତ୍ତ୍ୱକୁ । ପାକିସ୍ତାନ ଭାରତ ସହିତ କରିଥିବା କୌଣସି ବି ଚୁକ୍ତିକୁ ମାନିନାହିଁ ଆଉ ଭାରତ ସମସ୍ତ ଚୁକ୍ତିକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରିଆସିଛି । ବିଶ୍ୱରେ ଏମିତି କୌଣସି ଦେଶରେ ଏଭଳି ଘଟିନଥିବ । କରାଚି ଚୁକ୍ତି, ନେହେରୁଲିଆକତ ବୁଝାମଣା, ତାସକେଣ୍ଟ ଚୁକ୍ତି, ଶିମଲା ଚୁକ୍ତି ସବୁକୁ ପାକିସ୍ତାନ ଉଲ୍ଲଙ୍ଘନ କରିଛି । 

ଏବେ ଭାରତ ସରକାର ସିନ୍ଧୁ ନଦୀ ଚୁକ୍ତିକୁ ରଦ୍ଦ କରିଦେଲେ । ସେହି ସିନ୍ଧୁ ନଦୀଜଳ ବୁଝାମଣା ୧୯୬୦ରେ ହୋଇଥିଲା, ଯେଉଁ ସମୟରେ ପାକିସ୍ତାନ ଶତ୍ରୁ ଦେଶ ଭାବରେ ଭାରତ ସହ ଯୁଦ୍ଧ ଲଢ଼ି ସାରିଥିଲା । ସିନ୍ଧୁ ନଦୀଜଳ ବୁଝାମଣାରେ ଭାରତ କୌଣସି ପ୍ରକାର ଲାଭବାନ ହେବାର ସର୍ତ୍ତ ନଥିଲା, ବରଂ ପାକିସ୍ତାନ କିଭଳି ତାର ଜଳଭାଗ ପାଇପାରିବ ସେଥିପାଇଁ ବ୍ୟବସ୍ଥା ଥିଲା । କେବଳ ସେତିକି ନୁହେଁ, ଚୁକ୍ତି ଅନୁସାରେ ସେତେବେଳେ ନେହେରୁଙ୍କ ସରକାର ପାକିସ୍ତାନକୁ ୬କୋଟି ୨୦ଲକ୍ଷ ବ୍ରିଟିଶ ପାଉଣ୍ଡ ଦେଇଥିଲେ ପାକିସ୍ତାନରେ କେନାଲ କରିବା ପାଇଁ । ଏତେ ତ୍ୟାଗ କରି ଆମକୁ ମିଳିଲା କ’ଣ? ୧୯୬୫ରେ ପୁଣି ଏକ ଯୁଦ୍ଧ । ସେଥିପାଇଁ ଦେଶ ଏବେ ତାର ଶତ୍ରୁବୋଧକୁ ଜାଗ୍ରତ କରିବାର ସମୟ ଆସିଛି । ମୁମ୍ବାଇ ଟ୍ରେନ ବିସ୍ଫୋରଣ, ଜାମ୍ମୁ କାଶ୍ମୀର ବିଧାନସଭା ଆକ୍ରମଣ, ସଂସଦ ଆକ୍ରମଣ, ଅକ୍ଷରଧାମ ଆକ୍ରମଣ, ବିଭିନ୍ନ ସହରରେ ସିରିଜ ବୋମା ବିସ୍ଫୋରଣ, ମୁମ୍ବାଇ ଆକ୍ରମଣ ଏମିତି କେତେ ଆତଙ୍କବାଦୀ ଆକ୍ରମଣ ଘଟଣା ପାକିସ୍ତାନ ଘଟାଇଛି । ସବୁ ଥର ଭାରତ କେବଳ ଆତଙ୍କବାଦୀଙ୍କୁ କଡ଼ା ଭାଷାରେ ନିନ୍ଦା କରିବାରେ ଅଟକି ଯାଉଥିଲା ଏବଂ ପାକିସ୍ତାନ ଆମର ଦୁର୍ବଳ ଶତ୍ରୁବୋଧର ଫାଇଦା ନେଇ ଚାଲିଥିଲା । ୨୦୧୪ ପରେ ସ୍ଥିତି ବଦଳିଛି । ୨୦୧୬ ଏବଂ ୨୦୧୯ ଆତଙ୍କବାଦୀ ଆକ୍ରମଣର ଜବାବ ଆମେ ସର୍ଜିକାଲ ଷ୍ଟ୍ରାଇକରେ ଦେଇଥିଲୁ । କିନ୍ତୁ ‘ଅପରେସନ ସିନ୍ଦୂର’ ଏହାଠାରୁ ଆଉ ଦୁଇ କେଇ ପାଦ ଆଗକୁ ଯାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପାକିସ୍ତାନକୁ ଏମିତି ସଜ୍ଜା ଦିଆଯିବ ସେମାନେ କେବେ କଳ୍ପନା କରିନଥିବେ । ଆଉ ଏବେ ପାକିସ୍ତାନ ଉପ- ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରୁଛନ୍ତି ଯେ, ସେମାନଙ୍କର ସବୁଠାରୁ ଉନ୍ନତ ବିମାନଘାଟି ନୁର ଖାନ୍‌ ନଷ୍ଟ ହୋଇଛି । 

ଅପରେସନ ସିନ୍ଦୂରରେ ଭାରତୀୟ ସେନା ମାତ୍ର ୪ଦିନରେ ଯେଉଁ ସଫଳତା ପାଇଛି, ତାହା ଦୁନିଆରେ ଆଉ କେଉଁ ଦେଶର ସେନା ପାଇନାହିଁ । ଏପରିକି ଆମେରିକା ମଧ୍ୟ ନୁହେଁ । କିନ୍ତୁ ଆପଣଙ୍କ ମନରେ ମଧ୍ୟ ଏକଥା ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଭାରତ କାହିଁକି ଯୁଦ୍ଧ ବିରାମ ପାଇଁ ରାଜି ହେଲା ବା ଭାରତ ଆମେରିକାର ଚାପରେ ମୁଣ୍ଡ ନୁଆଁଇଲା ବୋଲି । ସେନାବାହିନୀରେ ଗୋଟିଏ କଥା ଅଛି କ୍ୱିକ୍‌ ଇନ- କ୍ୱିକ୍‌ ଆଉଟ୍‌ । ଭାରତୀୟ ସେନା ତୁରନ୍ତ ଆକ୍ରମଣ କରିଲା, ଯାହା କ୍ଷତି କରିବା କଥା କରିଲା । ପାକିସ୍ତାନ ପାଗ ଭିଡ଼ିଲା ବେଳକୁ ଯୁଦ୍ଧ ବିରାମର ଘୋଷଣା । କ୍ଷୟକ୍ଷତି ପାକିସ୍ତାନର ଏଭଳି ହୋଇଛି ଯେ ସେମାନେ ବିଶ୍ୱରେ ଲାଜରେ ମୁହଁ ଦେଖାଇ ପାରିବେ ନାହିଁ । ଭାରତର ‘ବ୍ରହ୍ମୋସ’ର ପରାକ୍ରମ, ପ୍ରତିରକ୍ଷା ବ୍ୟବସ୍ଥାର ପ୍ରଭାବକୁ ସାରା ବିଶ୍ୱ ଦେଖିଲା । ସେହିଭଳି ଭାରତୀୟ ସେନାବାହିନୀ କିଭଳି ବହୁଚର୍ଚ୍ଚିତ ଚାଇନିଜ ଏବଂ ତୁର୍କୀ ଡ୍ରୋନ, ଚାଇନାର ପ୍ରତିରକ୍ଷା ସାଟଲେଇଟ, ପ୍ରତିରକ୍ଷା ବ୍ୟବସ୍ଥା ଆଦିର ଧଜିଆ ଉଡ଼ାଇବାରେ ସଫଳ ହେଲା ତାହା ମଧ୍ୟ ଆମେ ଦେଖିଲେ । ଭାରତ ତା’ର ଆକ୍ରମଣକୁ ସ୍ଥଗିତ କରିବାର ପରଦିନ ଇଜିପ୍‌ଟର ଏକ କାର୍ଗୋ ବିମାନ ପାକିସ୍ତାନରେ ପହଞ୍ଚିଥିବା ବୈଦେଶିକ ଗଣମାଧ୍ୟମମାନେ ସ୍ପଷ୍ଟ କରିଛନ୍ତି । କିଛି ବୈଦେଶିକ ଗଣମାଧ୍ୟମର ଦାବି ଅନୁସାରେ ସେଥିରେ ବୋରନ ଆସିଛି । ବୋରନ ଆଣବିକ ବିକିରଣକୁ ରୋକିବାରେ ସାହାଯ୍ୟ କରେ । 

ସେହିଭଳି ଆମେରିକାର ଏକ ବିମାନ ମଧ୍ୟ ବିଶେଷଜ୍ଞମାନଙ୍କୁ ନେଇ ପାକିସ୍ତାନରେ ପହଞ୍ଚିଥିଲା । ଯଦି ତାହା ସତ ହୋଇଥାଏ ତାହେଲେ ଭାରତ ପାକିସ୍ତାନ ଉପରେ ଯେଉଁ ଆକ୍ରମଣ କରିଛି ତାହାର ଗଭୀରତାକୁ ବୁଝିପାରୁଥିବେ । ଭାରତୀୟ ସେନା ‘ଅପରେସନ ସିନ୍ଦୂର’ରେ ଯାହା କରିକି ଦେଖାଇଛନ୍ତି ଏବଂ ଏବେ ଯେଉଁଭଳି ଭାବରେ ଦେଶର ସାଂସଦମାନେ ବିଶ୍ୱର ଗୁରୁତ୍ୱପୁର୍ଣ୍ଣ ଦେଶକୁ ଯାଇ ଭାରତର ଆଭିମୁଖ୍ୟ ରଖୁଛନ୍ତି ଏକଥା ସଙ୍କେତ ଦେଉଛି ଯେ ଆଗାମୀ ଦିନରେ ବହୁତ କିଛି ଘଟିବା ପାଇଁ ଯାଉଛି । ବାଲୁଚିସ୍ତାନରେ ମୁକ୍ତିବାହିନୀ ଯେଉଁଭଳି ପାକିସ୍ତାନ ସେନାକୁ ଡିନାମାଇଟ ଲଗାଇ ମାରୁଛନ୍ତି ତାହା ମନକୁ ମନ ହୋଇଯାଉନାହିଁ । କିଛି ଲୋକ ଭାବୁଛନ୍ତି ଯେ ଆମେ ସାପକୁ ଅଧାମରା କରି ଛାଡ଼ିଦେଲେ । ଯେଉଁମାନେ ଏଭଳି ଭାବୁଛନ୍ତି ସେମାନେ ଆଧୁନିକ ଯୁଦ୍ଧ ଏବଂ ରଣକୌଶଳକୁ ବୁଝିନାହାନ୍ତି । ଏବେବି ସେମାନେ ପୁରୁଣା ପାରମ୍ପରିକ ଯୁଦ୍ଧକୁ ସବୁକିଛି ଭାବୁଛନ୍ତି । 

ଯେତେବେଳେ ରୁଷିଆ ଏବଂ ୟୁକ୍ରେନର ଯୁଦ୍ଧ ହେଲା, ସେତେବେଳେ ସମସ୍ତେ କହିଲେ ମାତ୍ର ଏକ ସପ୍ତାହରେ ରୁଷିଆ ଏହି ଯୁଦ୍ଧ ଜିତିଯିବ । ହମାସ୍‌ ଏବଂ ଇଜ୍ରାଏଲର ଯେବେ ଯୁଦ୍ଧ ହେଲା ସେତେବେଳେ ଇଜ୍ରାଏଲକୁ ଲାଗୁଥିଲା ୩ ଦିନ ଭିତରେ ସେମାନେ ଏହି ଯୁଦ୍ଧ ଜିତିଯିବେ । କିନ୍ତୁ ହେଲା କ’ଣ? ଆଜିବି ଯୁଦ୍ଧ ଚାଲିଛି ଏବଂ ଉଭୟ ଦେଶ ଯୁଦ୍ଧରେ ଫସିକି ଅଛନ୍ତି । କିଏ ଯଦି ଭାବୁଥିବ ଯେ, ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ, ଇଜ୍ରାଏଲ ଏବଂ ପାଲେଷ୍ଟାଇନ ଯୁଦ୍ଧ କେବଳ ସେହି ଦେଶ ଲଢୁଛନ୍ତି ବୋଲି ତାହେଲେ ଏହା ମୂର୍ଖାମି । ୟୁକ୍ରେନ ସହିତ ପୂରା ନାଟୋ, ପାଲେଷ୍ଟାଇନ ସହ ମୁସଲିମ ଦେଶମାନେ ଠିଆ ହୋଇଛନ୍ତି । ବିଶ୍ୱର କିଛି ଦେଶ ଚାହୁଁଥିଲେ ଯେ ଭାରତ ମଧ୍ୟ ରୁଷିଆ ବା ଇଜ୍ରାଏଲ ଭଳିଆ ଯୁଦ୍ଧରେ ଫସିଯାଉ । ଆମେ ଯାହା କରିବାର ଥିଲା ତାହା କରିଲେ, ଯେତିକି ଲୋକଙ୍କୁ ମାରିବାର ଥିଲା ପାକିସ୍ତାନର ଘର ଭିତରେ ପଶିକି ମାରିଲେ । ପ୍ରଥମ ଥର ପାଇଁ ପାକିସ୍ତାନ ଉପରେ ଭାରତ ବ୍ରହ୍ମୋସ ଭଳି ସୁପରସୋନିକ କ୍ରୁଜ ମିଜାଇଲ ମାଡ଼ କରିଛି, ପ୍ରଥମ ଥର ପାଇଁ ପାକିସ୍ତାନର ପଞ୍ଜାବ ଭିତରେ ଆକ୍ରମଣ ହୋଇଛି, ଯେଉଁ ପଞ୍ଜାବ ହେଉଛି ତାଙ୍କର ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଅଞ୍ଚଳ । ଅପରେସନ ସିନ୍ଦୂର ବନ୍ଦ ହୋଇନାହିଁ ବୋଲି ସେନା ସ୍ପଷ୍ଟ କରିଛି । ଏବେ ପୁଣି କେବେ ମାରିବା ତାହା ଆମେ ନିଷ୍ପତ୍ତି ନେବା । ପାକିସ୍ତାନକୁ ଉଚିତ ଶିକ୍ଷା ଦେବାକୁ ହେଲେ ଆମକୁ ଆମ ଶତ୍ରୁବୋଧକୁ ସେମିତି କରିବାକୁ ପଡ଼ିବ, ଯେମିତି ଆମେ ‘ଅପରେସନ ସିନ୍ଦୂର’ରେ କରିକି ଦେଖାଇଛେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.