ଭୁବନେଶ୍ୱର, ୭/୭ : ‘ପ୍ରମେୟ’ ବିଦ୍ୟାଳୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ପ୍ରଥମ ପର୍ଯ୍ୟାୟରେ ସଫଳତା ପାଇବା ପରେ ଏଥିପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ିଚାଲିଛି। ସୋମବାର ବଡ଼ଗଡ଼ ବ୍ରିଟ କଲୋନୀସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଏହାକୁ ନେଇ ଉତ୍ସାହ ଦେଖିବାକୁ ମିଳିଥିଲା । ପଞ୍ଚମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୫୫ ଜଣ ଛାତ୍ରଛାତ୍ରୀ ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପଞ୍ଚମରୁ ସପ୍ତମ ପର୍ଯ୍ୟନ୍ତ ପ୍ରତିଯୋଗୀଙ୍କ ପାଇଁ ‘ମୋ ସ୍ୱପ୍ନର ବିଦ୍ୟାଳୟ’ ଓ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏ ପ୍ରତିଯୋଗୀଙ୍କ ପାଇଁ ‘ମୋ ସ୍ୱପ୍ନର ସବୁଜ ସହର’ ଶୀର୍ଷକ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଥିଲା । ନିର୍ଦ୍ଧାରିତ ସମୟରେ ସମସ୍ତେ ଚିତ୍ର ଆଙ୍କିବାରେ ଲାଗି ପଡ଼ିଥିଲେ । କିଏ ଚକାଚକ୍‌ ରାସ୍ତା, ଆପାର୍ଟମେଣ୍ଟ, ଗଛ, ଜଳାଶୟ, ପରିବା ଦୋକାନ, ମାଛ ଦୋକାନ ଆଙ୍କି ତାକୁ ସ୍ୱପ୍ନର ସହର କହୁଥିଲା ତ ଆଉ କିଏ ଚାରିପଟେ ଗଛ, ମଝିରେ ସ୍କୁଲ, ଖେଳ ପଡ଼ିଆଠୁ ନେଇ ଶୌଚାଳୟ, ସ୍ୱଚ୍ଛ ପାନୀୟ ଜଳ, ଛୋଟ କ୍ୟାଣ୍ଟିନ, ପୋଷଣଯୁକ୍ତ ଖାଦ୍ୟ ଆଦିର ସୁବିଧା ଥିବା ସ୍ୱପ୍ନର ସ୍କୁଲ ବନାଉଥିଲା । ଶେଷରେ ଉଭୟ ଗ୍ରୁପରୁ ୬ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

କନିଷ୍ଠ ବର୍ଗରେ ଅର୍ପିତା ଜେନା ପ୍ରଥମ, ସାଇଶ୍ରଦ୍ଧା ବେହେରା ଦ୍ୱିତୀୟ, ସାଇ ପ୍ରକାଶ ନନ୍ଦୀ ତୃତୀୟ ସ୍ଥାନରେ ରହି ଟ୍ରଫି, ମାନପତ୍ର ପାଇ ପୁରସ୍କୃତ ହୋଇଥିଲେ । ବରିଷ୍ଠ ବର୍ଗରେ ଛାତ୍ରୀ ସ୍ମୃତିଶିକ୍ତା କର ପ୍ରଥମ, ସୂର୍ଯ୍ୟନାରାୟଣ ରଥ ଦ୍ୱିତୀୟ ଓ ଶୁଭଶ୍ରୀ ସାହୁ ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ‘ପ୍ରମେୟ’ ଓ ‘ନ୍ୟୁଜ୭’ର ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉତ୍ସାହକୁ ପ୍ରଶଂସା କରି କହିଲେ, ସଫଳତା ପାଇଁ ସେଲିବ୍ରେସନ କରିବା । ହେଲେ କେବେବି ଅନ୍ୟକୁ ହତୋତ୍ସାହିତ କରିବାନି କି ପ୍ରତିଭାକୁ ନଷ୍ଟ କରିଦେବାନି । ସର୍ବଦା ପ୍ରତିଭାକୁ ସମ୍ମାନ ଜଣାଇବା । 

ସମ୍ମାନିତ ଅତିଥି ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର କହିଲେ, ଏହି ପ୍ରତିଯୋଗୀମାନେ ହେଲେ ନମ୍ବର-୧ ପିଲା । ସେମାନଙ୍କ ମୁଣ୍ଡରେ ଏକ ନମ୍ବର ପରିକଳ୍ପନା ଜାଗି ଉଠିଲା । ସ୍ୱପ୍ନର ସହର କେମିତି ହେବ ତାକୁ ନେଇ ସେ କାଗଜରେ ସୁନ୍ଦର ଚିତ୍ର ଆଙ୍କିଲେ । ଏହାଠୁ ବଳି ଆଉ ବଡ଼ କ’ଣ ହୋଇପାରେ । ବିଶ୍ୱବିଖ୍ୟାତ ବୈଜ୍ଞାନିକ ତଥା ବିଜୁଳି ଶକ୍ତିର ସ୍ରଷ୍ଟା ଥୋମାସ ଏଡିସନଙ୍କ ଉଦାହରଣ ସେ ଦେଇଥିଲେ । ପ୍ରଧାନାଚାର୍ଯ୍ୟ ପ୍ରଭାସ ଚନ୍ଦ୍ର ବେଜ୍‌ କହିଲେ, ଛାତ୍ର ସମାଜ ହେଉଛି ରାଷ୍ଟ୍ର ଶକ୍ତି । ଛାତ୍ର ଯଦି ଜାଗ୍ରତ ହେବେ ଦେଶ ଜାଗ୍ରତ ହେବ । ସେମାନଙ୍କୁ ଠିକ ଦିଗ୍‌ଦର୍ଶନ ଦେବା ପାଇଁ ‘ପ୍ରମେୟ’ର ଏହି ପ୍ରୟାସ ପ୍ରଶଂସନୀୟ । ପ୍ରସାର ବିଭାଗ ଡିଜିଏମ ଗଜେନ୍ଦ୍ର ଦାସ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କହିଥିଲେ । ଜ୍ୟୋତିର୍ମୟ ରଥ ମଞ୍ଚ ପରିଚାଳନା କରିଥିଲେ । ଶ୍ୟାମ ସୁନ୍ଦର ଦାଶ, ଶରତ ଚିନ୍ନରା, ଅପୂର୍ବ ରଂଜନ ଦାଶ, ସୁଲୋଚନା ପଣ୍ଡା, ରାଜଶ୍ରୀ ମିଶ୍ର, ବନଲତା ଶତପଥୀ, ପ୍ରଫୁଲ୍ଲ ପ୍ରଧାନ, ପ୍ରଶାନ୍ତ ସାହୁ ପ୍ରମୁଖ ଗୁରୁଜୀ-ଗୁରୁମା ଉପସ୍ଥିତ ଥିଲେ । ସ୍ଥାନୀୟ ପ୍ରତିନିଧି ଲିଙ୍ଗରାଜ ମହାପାତ୍ର, ପ୍ରସାର ବିଭାଗର ସୁକାନ୍ତ ସାମନ୍ତରା, ଦେବାଶିଷ ଚିନକାୟ, ସୌମ୍ୟରଞ୍ଜନ ମୁଦୁଲି, ସରୋଜ ସାହୁ, ପ୍ରମୋଦ ନାୟକ, ସିଦ୍ଧାର୍ଥ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଆହୁରି ପଢନ୍ତୁ- ଶିଶୁ ବାଟିକାରେ ନିଯୁକ୍ତ ହେବେ ୭୨୩୪ ଶିକ୍ଷକ, ମାସିକ ୨୬,୨୦୦ ଦରମା

Mangal Arati | ପଟିଦିଅଁଙ୍କ ଦିବ୍ୟ ଆଳତୀ ..ଜୟ ଜଗନ୍ନାଥ ..​​​​​​​