ନୂଆଦିଲ୍ଲୀ, ୭।୭: ଅନ୍ତର୍ଜାତୀୟ ବଜାରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ତେଲ ଉତ୍ପାଦନକାରୀ ଦେଶଗୁଡ଼ିକ ମଧ୍ୟରେ ଜାରି ରହିଥିବା ପ୍ରତିଯୋଗିତା ଯୋଗୁଁ ସାଉଦି ଆରବ ଅଶୋଧିତ ତେଲ ମୂଲ୍ୟରେ ବଡ଼ ଧରଣର ହ୍ରାସ କରିଛି । ଅଗଷ୍ଟ ମାସ ପାଇଁ ସାଉଦି ଆରବ କ୍ରୁଡ୍ ଅଏଲ୍ ଦରରେ ବ୍ୟାରେଲ୍ ପିଛା ୧୧ ଡଲାର କମାଇ ଦେଇଛି, ଯାହା ଗତ ୨୬ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ହ୍ରାସ ବୋଲି କୁହାଯାଉଛି । ଏହାପୂର୍ବରୁ ଜୁଲାଇ ମାସରେ ମଧ୍ୟ ‘ଆରବ ଲାଇଟ୍ କ୍ରୁଡ୍’ ଉପରେ ବ୍ୟାରେଲ୍ ପିଛା ୬ ଡଲାର ରିହାତି ଦିଆଯାଇଥିଲା । ହୋର୍ମୁଜ୍ ଖୋଲିବା ପରେ ଜୁଲାଇରେ ଏହି ସଂଶୋଧନ କରାଯାଇଥିଲା, ଯାହାଫଳରେ ତେଲ ଦର ଫେବ୍ରୁଆରୀ ୨୮ ପୂର୍ବ ସ୍ଥିତିକୁ ଫେରିଆସିଛି । ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଏସିଆ ପାଇଁ ସାଉଦି ଆରବର ଅଶୋଧିତ ତେଲ ମୂଲ୍ୟ ଓମାନ ଦୁବାଇ ହାରାହାରି ମୂଲ୍ୟଠାରୁ ବ୍ୟାରେଲ୍ ପିଛା ୧.୫୦ ଡଲାର କମ୍ ରହିଛି ।
ବୃଦ୍ଧି ପାଉଛି ତେଲ ଯୋଗାଣ:
ପାରସ୍ୟ ଉପସାଗରର ପ୍ରମୁଖ ତେଲ ଉତ୍ପାଦନକାରୀ ଦେଶଗୁଡ଼ିକ ଏବେ ଦ୍ରୁତ ଗତିରେ ଉତ୍ପାଦନ ବୃଦ୍ଧି କରୁଛନ୍ତି । ସାଉଦି ଆରବର ରପ୍ତାନି ଏବେ ଯୁଦ୍ଧ ପୂର୍ବ ସ୍ଥିତିକୁ ଫେରିଆସିଛି ଏବଂ ସେ ନିଜର ଟ୍ୟାଙ୍କରଗୁଡ଼ିକୁ ହୋର୍ମୁଜ୍ ଦେଇ ସହଜରେ ପଠାଇପାରୁଛି । ଅନ୍ୟପଟେ ୟୁଏଇ ଯିଏକି ବିବାଦ ସମୟରେ ଓପେକ ଛାଡ଼ିଥିଲା ସେ ମଧ୍ୟ ଯୋଗାଣ ସ୍ୱାଭାବିକ କରିଛି । ଏହା ସହିତ ଓପେକ ପ୍ଲସ୍ ଏବଂ ରୁଷ ସମେତ ତାର ସହଯୋଗୀ ଦେଶଗୁଡ଼ିକ ଅଗଷ୍ଟରୁ ଦୈନିକ ତେଲ ଉତ୍ପାଦନ ଲକ୍ଷ୍ୟକୁ ଆଉ ୧୮୮,୦୦୦ ବ୍ୟାରେଲ୍ ବଢ଼ାଇବାକୁ ସହମତ ହୋଇଛନ୍ତି ।
କ୍ରୁଡ୍ ଅଏଲ୍ ଦରରେ ସାମାନ୍ୟ ସୁଧାର:
ସୋମବାର କ୍ରୁଡ୍ ଅଏଲ୍ ଦରରେ ହ୍ରାସ ରେକର୍ଡ କରାଯାଇଥିବା ବେଳେ ମଙ୍ଗଳବାର ଏଥିରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ବ୍ରେଣ୍ଟ କ୍ରୁଡ୍: ୦.୩୬% ବୃଦ୍ଧି ସହ ବ୍ୟାରେଲ୍ ପିଛା ୭୨.୨୬ ଡଲାରରେ କାରବାର କରୁଛି । ଡବ୍ଲୁଟିଆଇ କ୍ରୁଡ୍ ୦.୪୪% ବୃଦ୍ଧି ସହ ବ୍ୟାରେଲ୍ ପିଛା ୬୮.୮୫ ଡଲାରରେ ପହଞ୍ଚିଛି । ଏହି ସାମାନ୍ୟ ବୃଦ୍ଧି ସତ୍ତ୍ୱେ ତେଲ ଦର ଯୁଦ୍ଧ ପୂର୍ବ ସ୍ଥିତିରେ ହିଁ ରହିଛି । ଜୁନ୍ ମାସରେ ଅଶୋଧିତ ତେଲ ଦର ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଥିବା ବେଳେ ଜୁଲାଇରେ ଏହା ଏକ ସୀମିତ ଦରରେ ଗତି କରୁଛି ।
ଏହା ବି ପଢ଼ନ୍ତୁ... Strait of Hormuz: ହୋର୍ମୁଜରେ ଇରାନର ପୁଣି ଆକ୍ରମଣ; ୨ଟି ଜାହାଜକୁ କଲା ମିସାଇଲ ମାଡ଼, ବିପଦରେ ଶାନ୍ତିଚୁକ୍ତି
ଭାରତ ଉପରେ ଏହାର କ’ଣ ପ୍ରଭାବ ପଡ଼ିବ ?
ଅଶୋଧିତ ତେଲର କମ୍ ଦର ଏବଂ ବର୍ଦ୍ଧିତ ଯୋଗାଣ ଭାରତ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି । ତେଲ କମ୍ପାନୀଗୁଡ଼ିକ ବଜାର ମୂଲ୍ୟଠାରୁ କମ୍ ଦରରେ ପେଟ୍ରୋଲ-ଡିଜେଲ ବିକ୍ରି କରିବା ଏବଂ ଏଲପିଜି ଉପରେ ହେଉଥିବା କ୍ଷତିକୁ ଭରଣା କରିବାକୁ ଚେଷ୍ଟା କରୁଛନ୍ତି । କ୍ରୁଡ୍ ଅଏଲ୍ ଶସ୍ତା ହେବା ଦ୍ୱାରା ସରକାରଙ୍କ ସବସିଡି ବୋଝ କମିବ । ତେବେ ତେଲ ମାର୍କେଟିଂ କମ୍ପାନୀଗୁଡ଼ିକ ଏବେ ବି କିଛିଟା ଚିନ୍ତାରେ ଅଛନ୍ତି, କାରଣ ଜୁନ୍ ତ୍ରୈମାସିକରେ ସେମାନଙ୍କୁ କ୍ଷତି ସହିବାକୁ ପଡ଼ିଛି ଏବଂ ସେପ୍ଟେମ୍ବର ତ୍ରୈମାସିକରେ ମଧ୍ୟ ପୁରୁଣା ମହଜୁଦ୍ ଉପରେ ଉଚ୍ଚ ମୂଲ୍ୟର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ଅନ୍ୟପଟେ, ଶସ୍ତା ତେଲ ଯୋଗୁଁ ଭାରତୀୟ ଶିଳ୍ପ ଜଗତର ଶକ୍ତି ଖର୍ଚ୍ଚ କମିବ, ଯାହା ମୁଦ୍ରାସ୍ଫୀତି ବା ମହଙ୍ଗା ମାଡ଼କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ ।
ଦେଶର ପ୍ରମୁଖ ସହରରେ ଆଜିର ପେଟ୍ରୋଲ-ଡିଜେଲ ଦର:
ଭାରତରେ ଦୀର୍ଘ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ରହିଛି । ଗତ ମେ' ୨୫ ତାରିଖରେ ଶେଷ ଥର ପାଇଁ ଦର ବୃଦ୍ଧି ହୋଇଥିଲା । ବର୍ତ୍ତମାନର ପ୍ରମୁଖ ମେଟ୍ରୋ ସହରଗୁଡ଼ିକର ଦର ଏହିଭଳି ରହିଛି:
|
ସହର |
ପେଟ୍ରୋଲ |
ଡିଜେଲ |
|
ଦିଲ୍ଲୀ |
୧୦୨.୧୨ |
୯୫.୨୦ |
|
ମୁମ୍ୱାଇ |
୧୧୧.୨୧ |
୯୭.୮୩ |
|
କୋଲକାତା |
୧୧୩.୫୧ |
୯୯.୮୨ |
|
ଚେନ୍ନାଇ |
୧୦୭.୭୭ |
୯୯.୫୫ |
ଗ୍ଲୋବାଲ୍ ମାର୍କେଟରେ କ୍ରୁଡ୍ ଅଏଲ୍ ଦର ହ୍ରାସ ପାଇବା ପରେ ଏବେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ୍ ଦର କେବେ ଶସ୍ତା ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।