ଭୁବନେଶ୍ୱର,୦୭/୦୭: ଗତ ଶିକ୍ଷା ବର୍ଷରୁ ରାଜ୍ୟରେ ଆରମ୍ଭ ହୋଇଥିଲା ଶିଶୁ ବାଟିକା । ଅଙ୍ଗନବାଡ଼ିରୁ ସିଧା ପ୍ରଥମ ଶ୍ରେଣୀ ନୁହେଁ ଶିଶୁବାଟିକାରେ ନାମ ଲେଖାଇଥିଲେ ଛାତ୍ରଛାତ୍ରୀ । ରାଜ୍ୟର ୪୫ ହଜାର ସ୍କୁଲରେ ଆରମ୍ଭ ହୋଇଛି ଶିଶୁ ବାଟିକା ଶ୍ରେଣୀ । ପ୍ରାଥମିକ ପର୍ଯ୍ୟାୟରେ ସରକାର ଶିଶୁଙ୍କ ଯତ୍ନ ନେବାକୁ ଶିଶୁ ସେବିକା ନିଯୁକ୍ତି ଦେଇଛନ୍ତି । ମାତ୍ର ଏବେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ରାଜ୍ୟରେ ନିଯୁକ୍ତ ହେବେ ୭ ହଜାର ୨୩୪ ଜଣ ଶିକ୍ଷକ । ଏହି ପଦବି ସୃଷ୍ଟି ପାଇଁ ଅନୁମୋଦନ ଦେଇଛି ଅର୍ଥ ବିଭାଗ ।
ସୂଚନାଯୋଗ୍ୟ, ଏବେ ଶିଶୁମାନଙ୍କ ବୌଦ୍ଧିକ ବିକାଶ ସେମାନଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଜାତୀୟ ଶିକ୍ଷା ନୀତି ୨୦୨୦ ସହ ପ୍ରାରମ୍ଭିକ ଶିଶୁ ଯତ୍ନ ଓ ଶିକ୍ଷା (ଇସିସିଇ)କୁ ସୁଦୃଢ଼ କରିବା ପାଇଁ ସରକାର ଶିଶୁ ବାଟିକା ଶ୍ରେଣୀ ପାଇଁ ଶିକ୍ଷକ ପଦବି ସୃଷ୍ଟି କରିଛନ୍ତି । ଅର୍ଥ ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠିରେ ଜଣାଇଛି, ମୋଟ ୭ ହଜାର ୨୩୪ଟି ଶିକ୍ଷକ ପଦବି ପାଇଁ ଅନୁମୋଦନ ଦିଆଯାଇଛି । ପ୍ରତି ଜିଲ୍ଲାରେ ନିଯୁକ୍ତି ଦିଆଯିବ । ପ୍ରତି ଶିକ୍ଷକଙ୍କୁ ମାସିକ ୨୬ ହଜାର ୨୦୦ ଟଙ୍କା ପାରିଶ୍ରମିକ ଦିଆଯିବ । ଏଥିପାଇଁ ସମଗ୍ର ଶିକ୍ଷା ପାଣ୍ଠିରୁ ବାର୍ଷିକକ ୨୨୭ କୋଟି ୪୩ ଲକ୍ଷ ୬୯ ହଜାର ୬୦୦ ଟଙ୍କା ଖର୍ଚ୍ଚ ହେବ ।
ମାତ୍ର ଅର୍ଥ ବିଭାଗର ମାର୍ଗଦର୍ଶିକାରେ କୁହାଯାଇଛି, ଏହି ଅର୍ଥ ଖର୍ଚ୍ଚ ପାଇଁ ସମଗ୍ର ଶିକ୍ଷାର ନିୟମ ଏବଂ ବଜେଟ ଅନୁଯାୟୀ ଖର୍ଚ୍ଚ ହେବ । ସରକାରଙ୍କ ମାର୍ଗଦର୍ଶିକାକୁ ଆଧାର କରି ଶିକ୍ଷକ ପଦବିରେ ନିଯୁକ୍ତି ପ୍ରକ୍ରିୟା କରାଯିବ । ଏହି ଅର୍ଥ ବାଦ୍ ଆଉ ଅଧିକ ଖର୍ଚ୍ଚ ହୋଇପାରିବ ନାହିଁ । ଯଦି ଆବଶ୍ୟକ ହୁଏ ତେବେ ଅନୁମତି ନେବାକୁ ପଡ଼ିବ । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଏହି ପଦବିର ନିଯୁକ୍ତି, ଅର୍ଥ ଖର୍ଚ୍ଚ ଏବଂ ପାଣ୍ଠିର ବ୍ୟବହାର ଉପରେ ନଜର ରଖି ଏହାର ରିପୋର୍ଟ ପ୍ରଦାନ କରିବ । ପାଣ୍ଠି ଉପଯୋଗ ସମୟରେ ଅନୁମୋଦନ ନେବାକୁ ବାଧ୍ୟତାମୂଳକ ବୋଲି ଅର୍ଥ ବିଭାଗ ଚିଠିରେ ସ୍ପଷ୍ଟ କରିଛି ।
ଉଲ୍ଲେଖଯୋଗ୍ୟ, ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ରାଜ୍ୟର ୪୫ ହଜାର ସରକାରୀ ପ୍ରାଥମିକ ସ୍କୁଲରେ ଚଳିତ ଶିକ୍ଷାବର୍ଷରୁ ଶିଶୁ ବାଟିକା ଖୋଲାଯାଇଛି । ଏଥିରେ ୫ରୁ ୬ ବର୍ଷ ବୟସର ପିଲାଙ୍କୁ ପ୍ରାକ୍ ପ୍ରାଥମିକ ଶିକ୍ଷା ପ୍ରଦାନ କରାଯାଉଛି । ଗତ ଶିକ୍ଷାବର୍ଷରେ ୩ଲକ୍ଷ ୧୦ ହଜାର ୮୩୯ ଜଣ ଛାତ୍ରଛାତ୍ରୀ ନାମଲେଖାଇଥିଲେ । ସେମାନଙ୍କ ପାଇଁ ଯତ୍ନ ନେବା ପାଇଁ ଶିଶୁ ସେବିକା ନିଯୁକ୍ତି କରାଯାଇଛି । ଯେଉଁ ସ୍କୁଲରେ ୩୦ରୁ ୧୦୦ ପିଲା ମଧ୍ୟରେ ଥିବା ସ୍କୁଲ ପାଇଁ ଜଣେ ଏବଂ ୧୦୦ରୁ ଅଧିକ ଥିଲେ ଦୁଇଜଣ ଶିଶୁ ସେବିକା ନିଯୁକ୍ତି ଦେବାକୁ କୁହାଯାଇଛି ।