ଭୁବନେଶ୍ୱର,୨୪/୧୧: ‘ପ୍ରମେୟ’ ପକ୍ଷରୁ ‘ଗୃହଲକ୍ଷ୍ମୀ ୨୦୨୫’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆଇଟିଇଆର୍ କ୍ୟାମ୍ପସ୍ ସ୍ଥିତ ବାଂଶୁରୀ ଗୁରୁ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଦଶମ ବର୍ଷରେ ବିଜୟିନୀ ହୋଇଛନ୍ତି ବିତରକ ପ୍ରସନ୍ନ ସାହୁଙ୍କ ଧର୍ମପତ୍ନୀ ମିତାରାଣୀ ସାହୁ ।
ଭୁବନେଶ୍ୱର ଖବରକାଗଜ ବିତରକଙ୍କ ସହଧର୍ମିଣୀମାନଙ୍କ ପାଇଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶଙ୍ଖ ଫୁଙ୍କା ଓ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ ୨ଟି ବିଭାଗରେ ୬ ଜଣଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାବେ ଚୟନ କରାଯାଇଥିଲା । ପରେ ସମସ୍ତ କୃତି ପ୍ରତିଯୋଗୀମାନଙ୍କ ମଧ୍ୟରେ ଏକ ଲିଖିତ କୁଇଜ୍ ପ୍ରତିଯୋଗିତା ହୋଇଥିଲା। ସେଥିରେ ଶ୍ରେଷ୍ଠ ବିବେଚିତ ପ୍ରଥମ ପ୍ରତିଯୋଗୀଙ୍କୁ ‘ଗୃହଲକ୍ଷ୍ମୀ ୨୦୨୫’ ଭାବେ ଘୋଷଣା କରାଯାଇଥିଲା । ଚଳିତ ବର୍ଷ ବିଜୟିନୀ ହୋଇଛନ୍ତି ବିତରକ ପ୍ରସନ୍ନ ସାହୁଙ୍କ ଧର୍ମପତ୍ନୀ ମିତାରାଣୀ ସାହୁ । ସୁମା ରିୟଲ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶିକା ଶାଶ୍ୱତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିତାରାଣୀଙ୍କୁ ‘ଗୃହଲକ୍ଷ୍ମୀ ୨୦୨୫’ର ମୁକୁଟ ପିନ୍ଧାଇବା ସହ ଟ୍ରଫି ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏଥିସହିତ ମଞ୍ଚରେ ସ୍ୱାମୀ ପ୍ରସନ୍ନ ସାହୁଙ୍କ ହାତରୁ ବିଜୟିନୀ ଶ୍ରୀମତୀ ସାହୁ ସିନ୍ଥିରେ ସିନ୍ଦୂର ପିନ୍ଧିଥିଲେ ।
ଏହି ଅବସରରେ ଶ୍ରୀମତୀ ଦାସ କହିଛନ୍ତି, ବିତରକ ଭାଇମାନଙ୍କ ମନୋବଳ ବଢ଼ାଇବାରେ ଆପଣଙ୍କ ଭଳି ଲଷ୍ମୀମାନଙ୍କର ବଡ଼ ଭୂମିକା ଅଛି। ପ୍ରତିବର୍ଷ ମୁଁ ଏହି ଦିନକୁ ଅନେଇ ରହିଥାଏ । ଆପଣମାନେ ‘ପ୍ରମେୟ’ ପରିବାରର ସଦସ୍ୟ । ଆପଣମାନଙ୍କ ସହିତ କିଛିକ୍ଷଣ ବିତାଇବା ଓ ଭାବର ଆଦାନପ୍ରଦାନ କରିବା ପାଇଁ, ‘ପ୍ରମେୟ’ ପକ୍ଷରୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆମେ ଆୟୋଜନ କରିଆସୁଛୁ । ବିତରକ ବନ୍ଧୁମାନଙ୍କର ଉଦ୍ୟମ ଓ ସହଯୋଗରେ ‘ପ୍ରମେୟ’ ଖୁବ୍ କମ୍ ସମୟରେ ଓଡ଼ିଶାର ଏକ ନମ୍ବର ଖବରକାଗଜ ହୋଇପାରିଛି । ଆପଣମାନଙ୍କ ପରିବାରର ସୁଖ, ଶାନ୍ତି, ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ଶ୍ରୀମତୀ ଦାସ କହିଥିଲେ ।
ପ୍ରସାର ବିଭାଗର ଡିଜିଏମ୍ ଗଜେନ୍ଦ୍ର ଦାସ କହିଥିଲେ, ଆମ ପ୍ରିୟ ବିତରକ ବନ୍ଧୁମାନେ । ବିତରକ ବନ୍ଧୁମାନଙ୍କ ବିନା ଖବରକାଗଜର ପରିକଳ୍ପନା କରିବା ଅସମ୍ଭବ । ସେମାନେ ଏକ ସେତୁ ଭଳି କାର୍ଯ୍ୟ କରୁଛନ୍ତି। ସେମାନଙ୍କ ସହଯୋଗରୁ ଆମେ ଆଜି ୧ ନଂ ଖବରକାଗଜ। କାର୍ଯ୍ୟକ୍ରମରେ ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ଗ୍ରୁପ୍ ସିଇଓ ସୁନିଲ ଦାସ, ଗ୍ରୁପ୍ ନିର୍ଦ୍ଦେଶକ (ସେଲ୍ସ ଆଣ୍ଡ୍ ମାର୍କେଟିଙ୍ଗ୍) ହିମାଂଶୁ ହୋତା, ନ୍ୟୁଜ୍-୭ କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ, ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର, ଆଇଟିଇଆର୍ ନିର୍ଦ୍ଦେଶକ ମାନସ ରଞ୍ଜନ ମଲ୍ଲିକ, ସୋଆ ହୋଟେଲ ମ୍ୟାନେଜ୍ମେଣ୍ଟ ଡିନ୍ ସୁଶାନ୍ତ ରଞ୍ଜନ ଚଇନି, ସୋଆ ବିଶ୍ୱବିଦ୍ୟାଳୟର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ, ପ୍ରଫେସର ରେଣୁ ଶର୍ମା ପ୍ରମୁଖ ଯୋଗଦେଇଥିଲେ ।
ମୁରୁଜ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ ବିତରକ ନାରାୟଣ ପୃଷ୍ଟିଙ୍କ ଧର୍ମପତ୍ନୀ ଗୌରୀ ପୃଷ୍ଟି, ଦ୍ୱିତୀୟ ସ୍ଥାନରେ ବିତରକ ଅଶୋକ କୁମାର ପାଣ୍ଡବଙ୍କ ଧର୍ମପତ୍ନୀ ଅର୍ପିତା ପାଣ୍ଡବ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ବିତରକ ପ୍ରସନ୍ନ ସାହୁଙ୍କ ଧର୍ମପତ୍ନୀ ମୀତାରାଣୀ ସାହୁ । ଶଙ୍ଖନାଦ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ ବିତରକ ଶିବ ପୃଷ୍ଟିଙ୍କ ଧର୍ମପତ୍ନୀ ଲକ୍ଷ୍ମୀ ପୃଷ୍ଟି, ଦ୍ୱିତୀୟ ସ୍ଥାନରେ ବିତରକ ଶଙ୍କର ମୁଦୁଲିଙ୍କ ଧର୍ମପତ୍ନୀ ଝରଣା ମୁଦୁଲି ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ ବିତରକ ଅରୁଣ କୁମାର ଦେଙ୍କ ଧର୍ମପତ୍ନୀ ମଞ୍ଜୁଲତା ଦେ ।
୬ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ସ୍ୱରୂପ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା ।ବେଶ୍ ଉତ୍ସାହର ସହିତ ୨୩୪ରୁ ଅଧିକ ବିତରକଙ୍କ ପତ୍ନୀ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ଗୃହିଣୀମାନଙ୍କୁ ଉପହାର ସ୍ୱରୂପ ଶାଢ଼ି ପ୍ରଦାନ କରାଯାଇଥିଲା । କାର୍ଟୁନିଷ୍ଟ୍ ଟି. ନନ୍ଦେଶୁ ରାଓ, ଚିତ୍ରଶିଳ୍ପୀ ଜସ୍ମିନ ସାହୁ, କଣ୍ଠଶିଳ୍ପୀ ତଥା ସ୍ତମ୍ଭକାର ଛନ୍ଦା ମିଶ୍ର, ସମାଜସେବୀ ତଥା ସ୍ତମ୍ଭକାର ଚିନ୍ମୟୀ ପଣ୍ଡା ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ‘ପ୍ରମେୟ’ ଫଟୋ ସାମ୍ବାଦିକ ତଥା କଣ୍ଠଶିଳ୍ପୀ ସ୍ୱଦେଶ ମହାନ୍ତି ଭଜନ ପରିବେଷଣ କରିଥିଲେ । କୁନି ନୃତ୍ୟ ଶିଳ୍ପୀ ହର୍ଷାଲି ଦୋରା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ପ୍ରସାର ବିଭାଗ ପରିଚାଳକ ଚନ୍ଦ୍ରକାନ୍ତ ନନ୍ଦ ମଞ୍ଚ ସଂଯୋଜନା କରିଥିଲେ । ଧନ୍ୟବାଦ ପ୍ରଦାନ କରିଥିଲେ ପ୍ରସାର ବିଭାଗ ଏଜିଏମ୍ ରମାକାନ୍ତ ମଲ୍ଲିକ।