-ଯୁବପିଢ଼ିଙ୍କୁ କୃଷି ମନସ୍କ କରିବା ସୋଆର ଲକ୍ଷ୍ୟ: ଶାଶ୍ୱତୀ ଦାସ
-କୃଷକମାନେ ନୂଆ ଜ୍ଞାନକୌଶଳ ଆପଣାନ୍ତୁ: ସୋଆ କୁଳପତି
-କୃଷକଙ୍କୁ ସମ୍ମାନ ଦେବାକୁ ‘ପ୍ରମେୟ ଓ ନ୍ୟୁଜ-୭’ ପ୍ରତିଜ୍ଞାବଦ୍ଧ: ଗ୍ରୁପ ଏଡିଟର
ଭୁବନେଶ୍ୱର, ୨୧/୧୨: କୃଷକ ହେବା ସୌଭାଗ୍ୟର ବିଷୟ । କାରଣ କୃଷକ ଆମର ଅନ୍ନଦାତା । ବିକଶିତ ଓଡ଼ିଶାର ମୁଖ୍ୟସ୍ତମ୍ଭ ହେଉଛି କୃଷକ । ଉଭୟ କେନ୍ଦ୍ର ଓ ରାଜ୍ୟ କୃଷକମାନଙ୍କ ବିକାଶ ପାଇଁ ଯେଉଁ ଯୋଜନା କରୁଛନ୍ତି, ସେହି ଯୋଜନା ଯଦି ଠିକଣା ଢଙ୍ଗରେ କାର୍ଯ୍ୟକାରୀ କରାଯିବ ତେବେ ବିକଶିତ ଓଡ଼ିଶାର ସଫଳ ରୂପାୟନରେ କୌଣସି ସନ୍ଦେହ ରହିବନି । ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହା କହିଛନ୍ତି । ‘ପ୍ରମେୟ ଓ ନ୍ୟୁଜ-୭’ ପକ୍ଷରୁ ଆୟୋଜିତ କୃଷକରତ୍ନ ସମ୍ମାନ-୨୦୨୫ର ତୃତୀୟ ସଂସ୍କରଣ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସିଂହଦେଓ ଏହା କହିଛନ୍ତି । ଶନିବାର ‘କୃଷକରତ୍ନ ସମ୍ମାନ- ୨୦୨୫’ ସମାରୋହ ଅନୁଷ୍ଠିତ ହୋଇଥିଲା । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ)ର ଉପସଭାପତି ତଥା ସୁମା ରିଅଲ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶିକା ଶାଶ୍ୱତୀ ଦାସଙ୍କ ଦ୍ୱାରା ଉଦ୍ଘାଟିତ ଏହି ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କହିଥିଲେ, ଆମ ଦେଶର ଗୋବର, ପରିବା ଚୋପା, ଲିମ୍ବ ଭଳି ଜୈବିକ ଉପାଦାନରେ ପ୍ରସ୍ତୁତ ଖତକୁ ଆଧାର କରି ଅନେକ ବାହାର ଦେଶ ଜୈବିକ ଚାଷରେ ଅଗ୍ରଗତି କଲେଣି । ହେଲେ ଆମେ ନିଜସ୍ୱ ଜୈବିକ ଚାଷ ଧାରାରୁ ପଛେଇ ଯାଉଛେ । ଜୈବିକ ଚାଷରେ ଉତ୍ପାଦିତ ଫଳ, ପରିବା ବିଶ୍ୱ ବଜାରରେ ଆଦର ପାଉଥିବା ବେଳେ ରାସାୟନିକ ସାର ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥିବାରୁ ତାର ଆଦର କମିଛି । ତେଣୁ ଆଜିର କୃଷକ ସାର ମନସ୍କ ନହୋଇ ଏଦିଗରେ ଆଗଭର ହେବା ଉଚିତ । ଖୁସିର କଥା, ଜୈବିକ ଚାଷ ପଦ୍ଧତି ଆପଣାଇ ରାଜ୍ୟର କିଛି ଜିଲ୍ଲାରେ ଏବେ ଆମ୍ବ, ଡ୍ରାଗନ ଫ୍ରୁଟ୍, ଅମୃତଭଣ୍ଡା, ସଜନାଛୁଇଁ, ପୋଟଳ ଓ କଲରା ଭଳି ଫଳ, ପରିବା ଉତ୍ପାଦନ ହେଉଛି । ତାକୁ କେବଳ ସ୍ଥାନୀୟ ଲୋକେ ଖାଉନାହାନ୍ତି ବରଂ ଦୁବାଇ, ଆବୁଧାବି, ଲଣ୍ଡନ, ଫ୍ରାନ୍ସ, ଆୟର୍ଲାଣ୍ଡ ଭଳି ଦେଶକୁ ରପ୍ତାନି କରୁଛୁ ।
୨୧.୮୨ ମେଟ୍ରିକ ଟନ୍ ଫଳ, ପରିବା ରପ୍ତାନି:
ରିପୋର୍ଟ ଅନୁସାରେ, ଗତ ଦେଢ଼ବର୍ଷରେ ୨୧.୮୨ ମେଟ୍ରିକ ଟନ୍ ଫଳ, ପରିବା ରପ୍ତାନି ହୋଇଛି । ଏଥିପାଇଁ ସରକାର ଚାଷୀଙ୍କୁ ମାର୍କେଟ ଦରଠୁ ୩ ଗୁଣ ଅଧିକ ମୂଲ୍ୟ ଦେଉଛନ୍ତି । ବିକଳ୍ପ ଚାଷ ଉପରେ ମତ ରଖି ଉପମୁଖ୍ୟମନ୍ତ୍ରୀ କହିଲେ, ଏବେ ସରକାର ଧାନଚାଷ ସହ ଅନ୍ୟ ଫସଲର ଏମ୍ଏସ୍ପି(ସର୍ବନିମ୍ନ ସହାୟକ ଦର) ବଢ଼ାଇଛନ୍ତି । ଆମର ଏଠି ଧାନ ସହ କପାର ଦର ବଢ଼ିଛି । ତେଣୁ ଚାଷୀ କେବଳ ଧାନ ଚାଷରେ ସୀମିତ ନରହୁ । ଜମି ପଡ଼ିଆ ରଖିବା ବଦଳରେ ଅନ୍ୟ ଋତୁରେ ଡାଲି, ମକା, ଆଖୁ, କପା ଭଳି ବିକଳ୍ପ ଚାଷ କରୁ । ତେବେ ଯାଇ ଚାଷୀର ଅର୍ଥନୀତି ଉନ୍ନତ ହେବ । ପରିଶେଷରେ ସେ ‘ପ୍ରମେୟ ଓ ନ୍ୟୁଜ-୭’ର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।
'ସୋଆର ମୂଳମନ୍ତ୍ର ‘ଗିଭିଂ ବ୍ୟାକ୍ ଟୁ ଦି ସୋସାଇଟି’ :
ଏ ଅବସରରେ ଯାଜପୁରର ବଳରାମ ସାହୁ, କନ୍ଧମାଳର ବରୁଣ ମଲ୍ଲିକ, କେନ୍ଦୁଝରର ଦୟାନିଧି ମହାନ୍ତ, ବରଗଡ଼ର ଜ୍ୟୋତ୍ସ୍ନାରାଣୀ ବିଶି, କଟକର କ୍ଷେତ୍ରବାସୀ ସ୍ୱାଇଁ, ଅନୁଗୁଳର ପ୍ରବୀଣ କୁମାର ସାହୁ, ଜଗତସିଂହପୁରର ଶାରଦା ପ୍ରସାଦ ରାୟ, ଖୋର୍ଦ୍ଧାର ସର୍ବେଶ୍ୱର ମହାନ୍ତି, କୋରାପୁଟର ଶାନ୍ତି ବଡ଼ନାୟକ ଓ ଦେବଗଡ଼ର ଉପେନ୍ଦ୍ର କୁମାର ପ୍ରଧାନଙ୍କୁ ଅତିଥିମାନେ କୃଷକ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ । ପୁରସ୍କାରରେ ଉତ୍ତରୀୟ, ସ୍ମୃତିଫଳକ, ଟ୍ରଫି ସହ ୧୦ ହଜାର ଟଙ୍କାର ଅର୍ଥରାଶି ଚାଷୀଙ୍କୁ ପ୍ରଦାନ କରାଯାଇଥିଲା । ଉଦ୍ଘାଟନୀ ଭାଷଣରେ ସୋଆର ଉପସଭାପତି ତଥା ସୁମା ରିଅଲ ମିଡିଆ ନିର୍ଦ୍ଦେଶିକା ଶ୍ରୀମତୀ ଦାସ କହିଲେ, ସୋଆର ମୂଳମନ୍ତ୍ର ‘ଗିଭିଂ ବ୍ୟାକ୍ ଟୁ ଦି ସୋସାଇଟି’ ଅର୍ଥାତ୍ ସମାଜକୁ କିଛି ଦେବା ପାଇଁ ସୋଆ ଏବଂ ‘ପ୍ରମେୟ ଓ ନ୍ୟୁଜ-୭’ ବଦ୍ଧପରିକର । ସେନେଇ ପ୍ରତିଦିନ କାର୍ଯ୍ୟ ଜାରି ରହିଛି । କୃଷି ଓ କୃଷକଙ୍କ ସମ୍ମାନ ପାଇଁ କୃଷକ ରତ୍ନ ସମ୍ମାନ ଏକ ଅଂଶବିଶେଷ । ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚର ମାଧ୍ୟମରେ ଦକ୍ଷ କୃଷିବିତ୍ ସୃଷ୍ଟି ହେଉଛନ୍ତି । ଏହାଦ୍ୱାରା ଯୁବପିଢ଼ି କୃଷି ପ୍ରତି ଆଗ୍ରହୀ ହେବେ ବୋଲି ସେ ବିଶ୍ୱାସ ରଖିଛନ୍ତି । ମୁଖ୍ୟବକ୍ତା ତଥା ‘ସୋଆ’ର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ, ଆଜି ନିଜକୁ ଚାଷୀ ବୋଲି ପରିଚୟ ଦେବା ପାଇଁ ଆଉ ଲାଜ ମାଡ଼ୁନି । ଗର୍ବର ସହିତ ଉଚ୍ଚଶିକ୍ଷିତ ଯୁବକ କହୁଛି ‘ମୁଁ ଚାଷୀ’ । କୃଷିର ମାନ ବି ବଢ଼ିଛି । ନୂତନ ଜ୍ଞାନକୌଶଳ ଆସିବା ଦ୍ୱାରା କୃଷିର ପରିଭାଷା ବଦଳିଛି । ଆଇଟି ଚାକିରି ଛାଡ଼ି ଯୁବପିଢି ହାଇଟେକ୍ ଚାଷ କଲେଣି । ଆମର ସୋଆ ବିଶ୍ୱବିଦ୍ୟାଳୟ ମଧ୍ୟ ଚାଷ ଭିତ୍ତିକ ପାଠ୍ୟକ୍ରମକୁ ଗୁରୁତ୍ୱ ଦେଇଆସୁଛି । ରାଜ୍ୟରେ କୃଷିକୁ ନେଇ ଯେଉଁ ଜ୍ଞାନକୌଶଳ ଉପରେ ଗବେଷଣା ଚାଲିଛି, ସେଥିରେ ସୋଆର ଭାଗିଦାରୀ ମଧ୍ୟ ରହିଛି । ଚାଷୀମାନେ ଚାଷରେ ନୂତନ ଜ୍ଞାନକୌଶଳ ପ୍ରୟୋଗ କରିବା ଉଚିତ । କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ମତ ରଖି ‘ପ୍ରମେୟ’ ଓ ‘ନ୍ୟୁଜ-୭’ର ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର କହିଥିଲେ, କୃଷି ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ । ଯାହାର ମୋଟ ଘରୋଇ ଉତ୍ପାଦନ ପାଖାପାଖି ୨୫ ପ୍ରତିଶତ ଯୋଗଦାନ କୃଷିକ୍ଷେତ୍ର ଉପରେ ରହିଛି ।
ଓଡ଼ିଶାର ମୂଳ ସଂସ୍କୃତି ହେଉଛି କୃଷି:
ସେହିପରି ରାଜ୍ୟର ୬୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଜୀବନଜୀବିକା ନିର୍ବାହ କରିଥାନ୍ତି । ଓଡ଼ିଶାର ମୂଳ ସଂସ୍କୃତି ହେଉଛି କୃଷି । ବର୍ଷତମାମ କୃଷକ ମାଟିରେ ଝାଳ ବୁହାଇ ଆମ ପେଟକୁ ଦାନା ଯୋଗାଉଛନ୍ତି । ସେମାନଙ୍କୁ ସମ୍ମାନ ଦେବା ପାଇଁ ‘ପ୍ରମେୟ ଓ ନ୍ୟୁଜ-୭’ ପ୍ରତିଜ୍ଞାବଦ୍ଧ । ପ୍ରତିବର୍ଷ ରାଜ୍ୟର କୋଣ ଅନୁକୋଣରୁ ଖୋଜିଖୋଜି ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଉଛି, ଏପରି ଚାଲିବ । ଉତ୍ସବର ମୁଖ୍ୟ ପୃଷ୍ଠପୋଷକ ପାରାଦୀପ ଫସଫେଟ୍ସ୍ ଲିମିଟେଡ୍(ପିପିଏଲ)ର ୟୁନିଟ୍ ହେଡ୍ ପାଲାନୀସାମୀ ଭେଲୁସ୍ୱାମୀ କହିଥିଲେ, ଚାଷ ପାଇଁ ଠିକ୍ ସମୟରେ ସାର ପହଞ୍ଚାଇବା ଆମର ଦାୟିତ୍ୱ । ଏଥିପାଇଁ ପିପିଏଲ ସର୍ବଦା ପ୍ରୟାସ ଜାରି ରଖିଛି । ଉତ୍ତମ ମାନର ସାର ଯୋଗାଇବାକୁ ଆମେ ବଦ୍ଧପରିକର ବୋଲି ସେ କହିଥିଲେ । ଗ୍ରୁପ ଡାଇରେକ୍ଟର(ସେଲ୍ସ ଆଣ୍ଡ ମାର୍କେଟିଂ) ହିମାଂଶୁ ହୋତା କହିଲେ, ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ କେବଳ ପର୍ବ ନୁହେଁ ଏହା କୃଷି ପ୍ରତି ଆମର ଅଙ୍ଗୀକାରକୁ ମନେ ପକାଇଦିଏ । ଆଗରୁ ସ୍କୁଲରେ ଧାନକଟା ଛୁଟି ମିଳୁଥିଲା । ତେଣୁ କୃଷି ଓଡ଼ିଶାର ପ୍ରତି ପରିବାର ସହ ଜଡ଼ିତ । ହେଲେ ସଂପ୍ରତି ଯୁବ ସମାଜ କୃଷି ପ୍ରତି ବିମୁଖ ହୋଇଛନ୍ତି । ପନିପରିବାର ଆବଶ୍ୟକତା ବଢୁଥିଲେ ସୁଦ୍ଧା ଉତ୍ପାଦନ କମିଚାଲିଛି । ଏହା ଏକ ସାମାଜିକ ବ୍ୟତିକ୍ରମ । ତେଣୁ କୃଷିକୁ ଭଲ ପାଇବା ଦରକାର । ପରେ ପ୍ରତିଯୋଗୀଙ୍କୁ ଚୟନ କରିଥିବା ଜୁରୀ ସଦସ୍ୟ ତଥା ଇନଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲଚରର ଅଧ୍ୟାପକ ଡ. ପ୍ରଭାତ କୁମାର ଷଡ଼ଙ୍ଗୀ, ଡ. ସରୋଜ କୁମାର ମହାନ୍ତି, ଡ. ଆଲୋକ ନନ୍ଦୀ ଓ ଡ. ଅଶୋକ କୁମାର ମହାପାତ୍ରଙ୍କ ସମେତ ପୃଷ୍ଠପୋଷକମାନଙ୍କୁ ସମ୍ମାନିତ କରାଯାଇଥିଲା ।