ଭୁବନେଶ୍ୱର ୧୦/୦୨: ରାଜନୀତି ପାଣି ଚହଲା । ରାଜନୀତିରେ ପ୍ରତିଶ୍ରୁତି ପାଣିର ଗାର, ସଂକଳ୍ପର ଭାଗ୍ୟ ସୂତା ଖିଅରେ । ନେତାମାନେ ଭାଷଣ ଦେଲାବେଳେ ସବୁକିଛି ସମ୍ଭବ କରିବାକୁ କହନ୍ତି, ସଭା ସରିଲା ବେଳକୁ ସେସବୁ ଅନାୟାସରେ ପାସୋରି ଯାଆନ୍ତି । ଏମିତି ବି ନେତା ଅଛନ୍ତି, ଲୋକଙ୍କ କାମ କଥା ଛାଡ଼, ନିଜ ପାଇଁ କହିଥିବା କଥାକୁ ମଧ୍ୟ ଅତି ସହଜରେ ଭୁଲିଯାଆନ୍ତି ।
ନେତାଙ୍କ ବୟସ ଓ ଅବସରକୁ ନେଇ ଗତ କିଛିବର୍ଷ ହେଲା ବିତର୍କ ଚାଲିଛି । ଜାତୀୟ ସ୍ତରରେ କଂଗ୍ରେସରେ ରାହୁଲ ଗାନ୍ଧୀ ଯୁବବର୍ଗଙ୍କୁ ପ୍ରାଧାନ୍ୟ ଦେଉଛନ୍ତି । ମାତ୍ର ୪୫ ବର୍ଷ ବୟସରେ ନୀତିନ ନବିନ ବିଶ୍ୱର ବୃହତ୍ତମ ରାଜନୈତିକ ଦଳ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି । ରାଜନୀତିରେ ପରବର୍ତ୍ତୀ ପିଢ଼ିଙ୍କୁ ସୁଯୋଗ ଦେବା ପାଇଁ ୬୦ ବର୍ଷ ବୟସ ଟପିଥିବା ନେତାମାନେ ଅବସର ନିଅନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ହୋଇଆସୁଛି । ଏପରି ସ୍ଥଳେ ଗତ ୩ ଦିନ ମଧ୍ୟରେ ରାଜ୍ୟର ଦୁଇ ବରିଷ୍ଠ ନେତାଙ୍କ ନିଷ୍ପତ୍ତି ରାଜନୈତିକ ମହଲରେ ବେଶ୍ ରୋଚକ ବିଷୟ ପାଲଟିଛି ।
ଆହୁରି ପଢ଼ନ୍ତୁ :- ରୋଗୀ ସେବାରେ ସାମିଲ ହେଲା ଆଉ ୨୫୦ ନୂଆ ଆମ୍ବୁଲାନ୍ସ, ରାଜ୍ୟବାସୀଙ୍କ ସେବାରେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ
ଗତ ୭ ତାରିଖରେ ଗୋପାଳପୁର ବିଧାୟକ ତଥା ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସମସ୍ତଙ୍କୁ ଚମକାଇ ଘୋଷଣା କରିଛନ୍ତି ଯେ ସେ ଆଉ ନିର୍ବାଚନ ଲଢ଼ିବେନି । ଶ୍ରୀ ଜେନା କହିଛନ୍ତି ରାଜନୀତିରେ ଯୁବକମାନେ ଆଗକୁ ଆସିବା ଦରକାର । ଯୁବବର୍ଗଙ୍କୁ ସୁଯୋଗ ଦେବା ପାଇଁ ମୁଁ ମାନସିକ ପ୍ରସ୍ତୁତି କରିସାରିଛି । ଆସନ୍ତା ବର୍ଷ ମୋତେ ୬୦ ବର୍ଷ ହେବ । ତେଣୁ ଆଉ ନିର୍ବାଚନ ଲଢ଼ିବାର ଇଚ୍ଛା ନାହିଁ । ଦୀର୍ଘ ୨୭ ବର୍ଷର ରାଜନୈତିକ ଅଭିଜ୍ଞତା ରଖିଥିବା ବିଭୂତିଙ୍କ ଅଚାନକ ସନ୍ନ୍ୟାସ ଘୋଷଣାକୁ ତାଙ୍କ କର୍ମୀ ଓ ସମର୍ଥକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ।
ଅନ୍ୟପକ୍ଷରେ ପୁଣି ଭୋଟ ରାଜନୀତିକୁ ଓହ୍ଲାଇବେ ବୋଲି ସୋମବାର ସଗର୍ବେ ଘୋଷଣା କରିଛନ୍ତି ଜଟଣୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ । ସୁର କହିଛନ୍ତି ଯେ ଲୋକେ ଚାହିଁଲେ ସେ କଂଗ୍ରେସ ଟିକଟରୁ ଜଟଣୀରୁ ବିଧାୟକ ପ୍ରାର୍ଥୀ ହେବେ । ମୁଁ ଛାଡ଼ି ଦେଇଥିଲି ବୋଲି ୨୦୨୪ରେ କଂଗ୍ରେସ ଜଟଣୀରେ ହାରିଲା । ଆମ ପାଖରେ ଶକ୍ତି, ସଙ୍ଗଠନ ଓ ପଇସା ଅଛି । ଆଗାମୀ ନିର୍ବାଚନରେ ଜଟଣୀରେ ପୁଣି କଂଗ୍ରେସ ଜିତିବ ବୋଲି ସୁର ଦୃଢ଼ୋକ୍ତି । ଉଲ୍ଲେଖଯୋଗ୍ୟ ଯେ ଗତ ବିଧାନସଭା ନିର୍ବାଚନ ବେଳେ ସୁର ଭୋଟ ରାଜନୀତିରୁ ଦୂରେଇ ରହିଥିଲେ ଏବଂ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ।