ଆମର ସୁନାଦେଈର ଗୋଟିଏ ବୋଲି ପୁଅ (ଛଦ୍ମନାମ ବ୍ୟବହୃତ ହୋଇଛି) । ଗୋଟିଏ ପୁଅ ବୋଲି ବହୁତ ଗେଲବସରରେ ସୁନାଦେଈ ତାକୁ ବଢ଼ାଇଥିଲା । ଆଠବର୍ଷରୁ ତା’ ବାପା କ୍ୟାନ୍ସରରେ ଚାଲିଯାଇଥିଲେ । ଏଇ ଗୋଟିଏକୁ ଆଶ୍ରା କରି ସେ ବାକି ଜୀବନ କାଟିଦେବ ବୋଲି କେତେ ସ୍ୱପ୍ନ ଦେଖିଥିଲା । ତାକୁ ବାହା କରିବି, ବୋହୂ ଆଣି ନାତିନାତୁଣୀ ଦେଖିବ ବୋଲି ସ୍ୱପ୍ନ ଦେଖୁଥିଲା । ଅମର ବି ମା’ର କଷ୍ଟ ବୁଝେ । ତାକୁ ଭଲରେ ରଖିବ ବୋଲି ପରିଶ୍ରମ କରେ ।
ଗତ ୧୬.୧୨.୨୦୨୫ ତାରିଖରେ ମୋବାଇଲ ଦେଖି ଅମର ମା’କୁ କହିଲା- ମା’ ଜାଣିଚୁ, ଦିଲ୍ଲୀ ପାଖରେ ଯମୁନା ଏକ୍ସପ୍ରେସ ହାଇୱେରେ କୁହୁଡ଼ି ଯୋଗୁଁ ଗାଡ଼ି ଆକ୍ସିଡେଣ୍ଟରେ ୧୩ଜଣ ମରିଗଲେ । ସେମାନେ ଦୁଇଜଣ ବହୁତ ଦୁଃଖିତ ହେଲେ । ତା’ ପରେ ପରେ ଏମିତି ଆଉ କେତେ ଦୁର୍ଘଟଣା କଥା କାନକୁ ଆସିଲା । ସୁନାଦେଈ ଅମରକୁ କାମକୁ ଛାଡ଼ିବାକୁ ବି ଡରିଲା । ଆମର ବି ଏଠି ପ୍ରବଳ କୁହୁଡ଼ି । ସେଥିରେ ଲୋକେ ଦାଣ୍ଡରେ ପଡ଼ିଥିବା ନଡ଼ା, କୁଟା, ପଲିଥିନ ଆଦି ଜଳେଇ ନିଆଁ ପୁଇଁବାକୁ ସକାଳୁ ଓ ସଞ୍ଜବେଳେ ବସୁଛନ୍ତି । ଆଉ ଗୋଟିଏ କଥା ବି ହେଉଛି ଯାହା ଆଗରୁ ହେଇନଥିଲା । ମେସିନରେ ଧାନ କାଟି ଉଡ଼େଇଲା ପରେ ଧାନବିଲ ତଥା ପାଳଗଦାରେ ବି ନିଆଁ ଲଗାଉଛନ୍ତି ଯେ, ସେ ଧୂଆଁରେ ବି ଆକତାମାକତା ଲାଗୁଛି । ପଡ଼ିଶାଘର ଦୁଇ ପାଖର ଦେଠେଇ ଓ ବଡ଼ବାପା ଶଶୁର କାଶି କାଶି ଦିନରାତି ଶୋଇପାରୁ ନାହାଁନ୍ତି । ରୀନାର ପିଲାଏ ଧଇଁ ପେଲିହେଉଛନ୍ତି ଯେ ଖାଇପିଇ ପାରୁନାହାଁନ୍ତି । ସାରା ଗାଁରେ ଲୋକଙ୍କ ଅବସ୍ଥା ଖରାପ । ଆଖପାଖ ଅଞ୍ଚଳ ବି ସେମିତି ଅବସ୍ଥା ହେଇଥିବ ନିଶ୍ଚୟ । ସୁନାଦେଈ ତା’ ପିଲାକାଳେ କେବେ ଏମିତି ଅବସ୍ଥା ଦେଖିନଥିଲା । ଏ ନିଆଁଲଗା ପାଳପୋଡ଼ା ବୁଦ୍ଧି କିଏ ଚାଷୀମାନଙ୍କୁ ଶିଖାଇଲା ବୋଲି ସେ ଆଶ୍ଚର୍ଯ୍ୟ ହୁଏ । ସେ ବୁଝିପାରେନି ଯେ, ଚାଷୀ କ’ଣ ଏତେ ଅଯୋଗ୍ୟ ହେଲେ ଯେ ପାଳ କ’ଣ କାମରେ ଆସିବ ବୋଲି କାହାକୁ ବୁଦ୍ଧି ଦିଶୁନି!
ସପ୍ତାହେ ପରେ ସୁନାଦେଈକୁ କେହି ଜଣେ ଫୋନ୍ କରିଲା, ଚଞ୍ଚଳ ଡାକ୍ତରଖାନା ସାଙ୍ଗରେ କାହାକୁ ନେଇ ଆସ । ତା’ ମନରେ ଛନକା ପଶିଲା । ଗୋଡ଼ହାତ ଥରିଲା । ପାଟିରୁ କଥା ବାହାରିଲାନି । ଦେହରୁ ଝାଳ ବହିଲା । ମୁଣ୍ଡ ବୁଲେଇ ହେଲା । ଦାଣ୍ଡ ଦୁଆରକୁ କଷ୍ଟରେ ଘୋଷାଡ଼ି ହେଇ ଆସି ଖୁଣ୍ଟକୁ ଧରି ଦୁଲ୍କି ବସିପଡ଼ିଲା । ହଠାତ୍ ପଡ଼ିଶା ଘରର ନଣନ୍ଦ ଲେଖା ହେବ, ଝିଅଟି ଏପରି ଅବସ୍ଥାରେ ସୁନାଦେଈକୁ ଦେଖି ଭାବିଲା ଯେ ତାଙ୍କର ନିଶ୍ଚୟ କିଛି ଅସୁବିଧା ହେଇଛି । ପାଖକୁ ଆସି ତାଙ୍କୁ ହଲେଇ ପଚାରିଲା- କ’ଣ ହେଲା ଭାଉଜ? ଏମିତି ବସିଚ ଯେ? ସୁନାଦେଈ କିଛି କହିପାରିଲାନି । ଖାଲି ଫୋନ୍କୁ ଠାରିଲା । ଝିଅଟି ଜାଣିଲା ଯେ କେହି କିଛି ଫୋନରେ କହିଛି । ସେ ଫୋନ ଖୋଲି କଲ୍ ଆସିଥିବା ନମ୍ବରକୁ ଫୋନ୍ କଲା । ଦୁଇଥର ପରେ ଜଣେ ଫୋନ୍ ଧରିଲେ । କହିଲେ, ଅମର ଡାକ୍ତରଖାନରେ । ଶୀଘ୍ର ଆସନ୍ତୁ କାହାକୁ ସାଙ୍ଗରେ ନେଇ । ଫୋନ୍ କାଟିଦେଲେ । ସେ ବୁଝିଲା ଯେ ନିଶ୍ଚୟ କିଛି ଅଘଟଣ ଅମର ସାଙ୍ଗରେ ହେଇଚି । ଦଉଡ଼ି ଯାଇ କକା ଓ ତାଙ୍କ ପୁଅକୁ ଡାକି ଆଣିଲା । ସମସ୍ତେ ମିଶି ଅଟୋ ଭଡ଼ା କରି ଡାକ୍ତରଖାନାକୁ ଗଲେ ।
ସେତେବେଳକୁ ୪ଟା ବାଜିଲାଣି । ସେଠି ପହଞ୍ଚିଲା ପରେ ଯାହା ଦେଖିଲେ ସମସ୍ତେ ହତବାକ୍ ହେଇଗଲେ । କାହା ପାଟିରୁ କଥା ବାହାରିଲାନି । ପୋଲିସ ବାବୁ ଜଣେ ସୁନାଦେଈକୁ କ’ଣ କହିଲେ ଯେ, ସେ କିଛି ଶୁଣିଲାନି କି ବୁଝିଲାନି । ଖାଲି ଢେମା ଢେମା ଆଖିରେ ଚାହିଁରହିଲା । ଗୋଟିଏ କାଗଜରେ ଦସ୍ତଖତ କରିବାକୁ କହିଲେ । ଯାହା କହିଲେ ସେ ଆଉ ବୁଝୁନଥାଏ । ତା’ପରେ ଚେତା ବୁଡ଼ିଗଲା । ତା’ ପରର ଘଟଣା ଯାହା ହେଲା ହୃଦୟବିଦାରକ... । ସୁନାଦେଈ କୋଳ ଶୂନ୍ୟ ହେଇଗଲା । ଯେତେ ଟଙ୍କା ସୁନା ଗଦା କଲେ ବି ସୁନାଦେଈର ଶୂନ୍ୟକୋଳ କେହି ପୂର୍ଣ୍ଣ କରିପାରିବେନି । କୁହୁଡ଼ି ସିନା ଦୈବକୃତ, ପାଳପୋଡ଼ା କି ପଲିଥିନ ବା ଅଳିଆ ପୋଡ଼ା ତ ମଣିଷକୃତ । ସେ କାହାକୁ ଦୋଷ ଦେବ ଏବେ! କଥାଟାର ଗୁରୁତ୍ୱ ବୁଝିବା ଆମପାଇଁ ଜରୁରି ।
ଚାଷକାମ ପାଇଁ ଲୋକ ଆଉ ମନ କରୁନାହାଁନ୍ତି । ତେଣୁ କାମସବୁ ଯନ୍ତ୍ରଦ୍ୱାରା କରିବାକୁ ଚେଷ୍ଟା ହେଉଛି । ବିଲଚାଷ, ତଳିରୁଆ, ଘାସବଛା, ବିଷପକା, ପାଣିମଡ଼ା, ଧାନକଟା, ଧାନମଳା, ଧାନଉଡ଼ା, ଧାନଚୂରା, ବସ୍ତା ସିଲେଇ ଆଦି ସବୁ କାମ ଯନ୍ତ୍ରରେ ହେଇପାରୁଛି । ଭଲ କଥା । ଲୋକେ ଅଭାବକୁ କଷ୍ଟ କମ୍- ଏକଥା କିଏ ମନା କରିବ? କିନ୍ତୁ ଆଉ ଗୋଟିଏ କଥା ବାକି ରହିଗଲା । ବିଲରେ ଧାନକାଟି, ଧାନମଳି, ଧାନ ଉଡ଼େଇବା ଯନ୍ତ୍ର ପରେ ଆଉ ଗୋଟିଏ କାମ ଯନ୍ତ୍ରରେ ହେଇଥିଲେ କେତେ ଲୋକ ବିପଦରୁ ଓ ରୋଗରୁ ରକ୍ଷା ପାଇଯାଉଥାନ୍ତେ । ପାଳ ନପୋଡ଼ି ଛୋଟ ଛୋଟ କରି ସେଇ ଯନ୍ତ୍ର ଯଦି କାଟି ବିଲରେ ବିଛେଇ ଦିଅନ୍ତା, ବିଲରୁ ଗଛ ଯାହା ଖାଇଥିଲା ତାହା ପୁଣି ବିଲକୁ ଫେରିଯାଆନ୍ତା । ମାଟିରେ ମିଶି ମାଟିର ବଳ ବଢ଼ନ୍ତା । ନହେଲେ ପାଳଗଦାଟା ଗୋଟିଏ କୋଣରେ ପଡ଼ିରହି ଖତ ହେଇଯାଆନ୍ତା । ସେତିକି ଜମିରେ ଫସଲ ନବୁଣିଲେ ତ ବିରାଟ କ୍ଷତି ହେଇଯିବନି । ଯିଏ ଧାନ ପରେ ପୁଣି ଧାନ ବା ମୁଗ କରୁଛନ୍ତି, ସେମାନେ ତ ପାଳ ପୋଡ଼ୁଛନ୍ତି । ଯେଉଁମାନେ ଫସଲ ନକରୁଛନ୍ତି ସେମାନେ ବି ପାଳଗଦା ଓ ବିଲରେ ଥିବା ନଡ଼ାମୂଳରେ ନିଆଁ ଲଗାଉଛନ୍ତି । ସେଗୁଡ଼ା କ’ଣ ଏମିତି କ୍ଷତି କରିପକାଉଥିଲା ।
ଏ କାମଟି ଶହ ଶହ ତ ନୁହେଁ, ହଜାର ହଜାର ବିଲରେ ଏକାସାଙ୍ଗରେ ହେଲା, ତାହା ପୁଣି ଶୀତଦିନେ ଓ କୁହୁଡ଼ି ହେଉଥିବା ସମୟରେ । ବାୟୁମଣ୍ଡଳ ଥଣ୍ଡା ଥିବା ସମୟରେ ଧୂଆଁ ବେଶି ଉପରକୁ ଯାଇନପାରି ତଳଅଂଶରେ କୁହୁଡ଼ି ସହ ମିଶି ଆହୁରି ଘନବହଳିଆ ହୁଏ । ତାହା ପୁଣି ବେଶି ସମୟରୁ ସେସବୁ ଶ୍ୱାସନଳୀରୁ ଫୁସଫୁସକୁ ଯାଇ ଥଣ୍ଡା, କାଶ, ଆଜମା ବା ଶ୍ୱାସରୋଗ ଅଧିକ କରାଏ । ଶିଶୁ, ବୟସ୍କ ଲୋକ, ଅନ୍ୟ ବେମାର ଯୋଗୁଁ ଦୁର୍ବଳ ଶରୀର ଲୋକ, ଗର୍ଭବତୀ ମହିଳା ଆଦି ଏଥିରେ ବେଶି ପ୍ରଭାବିତ ହୁଅନ୍ତି । ମୋଟାମୋଟି ଭାବରେ ଏକ ଖରାପ ସ୍ୱାସ୍ଥ୍ୟପାଇଁ ଏଇ ଧୂଆଁମିଶା କୁହୁଡ଼ି ଦାୟୀ ହୁଏ । ତାଙ୍କ ଦେହ ଖରାପ ପାଇଁ ଦାୟୀ କିଏ ହେବ? ତାଙ୍କ ଖର୍ଚ୍ଚ ଓ ଯନ୍ତ୍ରଣା କଥା କ’ଣ ହେବ? ଏସବୁର ପ୍ରକୃତ ହିସାବ କିଏ କହିବ?
ଏମିତିରେ ତ ଗାଡ଼ିମଟର, କଳକାରଖାନା, ବାଣଫୁଟା ଆଦିର ପ୍ରଦୂଷଣ ଜାରି ରହିଛି । ତା’ ସାଙ୍ଗରେ ଏ ପାଳପୋଡ଼ା ନିଆଁରେ ଘିଅ ଢାଳିଲା ପରି ହୁଏ । ସ୍ୱାସ୍ଥ୍ୟ ଖରାପ ହେବା ବ୍ୟତୀତ ଆଉ ଗୋଟିଏ କଥା ମଧ୍ୟ ହେଇଥାଏ । ଯାହା ସୁନାଦେଈ ପୁଅ ଅମର ସାଥିରେ ଘଟିଲା । ସେ ସିନା ମରିଗଲା ବୋଲି ଆମକୁ ଜଣାପଡ଼ିଲା, କିନ୍ତୁ ଦୁର୍ଘଟଣା ଯୋଗୁଁ ଅନେକ ବିକଳାଙ୍ଗ ଅବସ୍ଥା ବି ହେଉଛନ୍ତି । ସେଥିପାଇଁ କିଏ ଭାବୁଛନ୍ତି କି? ଘନକୁହୁଡ଼ିରେ ରାସ୍ତା ଠିକ୍ରେ ଦେଖାଯାଏନି ବା ଶୀତଳ ପବନ ସହିତ ପାଉଁଶ ଭଳି ଆସି ଆଖିରେ ପଡ଼ିଲେ ସାଇକେଲ ବା ମଟରସାଇକେଲ ଚଲାଉଥିବା ଲୋକ ଏପାଖସେପାଖ ହେଇଯାଆନ୍ତି । ହଠାତ୍ ଏହାଫଳରେ ପଛରୁ ଆସୁଥିବା ଗାଡ଼ି ମାଡ଼ ହେଇଯାଏ । ଯାଉ ଯାଉ ହଠାତ୍ କୁକୁରଟିଏ ବା ବାଛୁରୀଟିଏ ଗାଡ଼ି ଆଗକୁ ଆସିଯାଏ । ଭଲରେ ଦେଖାଯାଉନଥିବାରୁ ଦୁର୍ଘଟଣା ହେବାର ସମ୍ଭାବନା ବଢ଼ିଯାଏ । ପରିବାରମାନଙ୍କ ଉପରେ ଏସବୁର ପ୍ରଭାବ କିଭଳି ଭାବରେ ପଡ଼େ, ନଭୋଗିଲା ଲୋକ ବୁଝିବେନି । ଅମର ମାଆର ଦୁଃଖ କେହି ନେବେନି ।
ଓଡ଼ିଶାରେ ଆଗରୁ ଏ ପ୍ରକାରର ପାଳପୋଡ଼ା ବ୍ୟାପକ ନଥିଲା । ଦୁଃଖ ଓ ବିରକ୍ତିର ବିଷୟ ଯେ ଖବରକାଗଜ, ମୋବାଇଲ ତଥା ଟିଭିରୁ ଚାରିଆଡ଼େ ପାଳପୋଡ଼ା ଯୋଗୁଁ ବିଶେଷକରି ପଞ୍ଜାବ, ହରିଆନା, ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ତାନ ଆଦିରେ କ’ଣ ଅବସ୍ଥା ହେଉଛି ଜାଣିବା ପରେ ଆମର ଏ ପ୍ରକାର କାମ ବଢ଼ିଛି ସିନା କମିନାହିଁ । ପଞ୍ଜାବ, ହରିଆନାର ପାଳପୋଡ଼ା ଯୋଗୁଁ ଦିଲ୍ଲୀ ପ୍ରଦୂଷଣ ବଢ଼ୁଛି ବୋଲି କେସ୍ ସୁପ୍ରିମକୋର୍ଟ ଯାଏଁ ଗଲା, ତାଙ୍କ ଆସେମ୍ବଲୀ, ପାର୍ଲିଆମେଣ୍ଟ, ଚାଷୀ ଆନ୍ଦୋଳନ ପର୍ଯ୍ୟନ୍ତ କଥା ଗଲା । ଚାଷୀଙ୍କୁ ବନ୍ଦୀ ମଧ୍ୟ କରାଗଲା । ୨୦୦୧ ମସିହାରେ ଯେତେବେଳେ କରୋନା ତାଣ୍ଡବରେ ସମଗ୍ର ପୃଥିବୀ ତଥା ଆମ ଦେଶ କଲବଲ ହେଉଥିଲା, ସେତେବେଳେ ପଞ୍ଜାବ, ହରିଆନାର ପାଳପୋଡ଼ା ସବୁଠୁ ଅଧିକ ସ୍ତରରେ ପହଞ୍ଚିଥିଲା । ବିଭିନ୍ନ ସଚେତନତା ତଥା ସରକାରୀ କାର୍ଯ୍ୟକ୍ରମ ଓ କାର୍ଯ୍ୟାନୁଷ୍ଠାନ ଯୋଗୁଁ ପାଳପୋଡ଼ା ଏହି ରାଜ୍ୟର ୯୦% କମିଛି । କିନ୍ତୁ ରାଜସ୍ତାନ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶରେ ଏହି ପାଳପୋଡ଼ା ସାଂଘାତିକ ଭାବରେ ବଢ଼ିଯାଇଛି । ଏହି ୩ଟି ରାଜ୍ୟରେ ଦେଶର ୭୫% ଏପରି ଘଟଣା ହେଉଛି । ଅନ୍ୟର ତ ଯାହା କ୍ଷତି ହେଲା, କିନ୍ତୁ ଚାଷୀଙ୍କର ବି କିଛି କମ୍ କ୍ଷତି ହୁଏନି । ନିଜର ଜମି ନଷ୍ଟହୁଏ । ଜମି ନଷ୍ଟହେଲେ ପୁଣି ଅଧିକା ରାସାୟନିକ ସାର ଆଣି ପକାନ୍ତି । ସେଥିରେ ମାଟିର ଅଧିକ କ୍ଷତି ହୁଏ ଓ ପକେଟରୁ ପଇସା ବି ଯାଏ । ସବସିଡି ସାର ଉପରେ ସରକାର ଦେଉଥିବାରୁ ସରକାର ଉପରେ ବୋଝ ବଢ଼େ । କିନ୍ତୁ ସେଇ ପାଳରେ ଜମିର ଉପକାର ହେଇଥାଆନ୍ତା । କିଛି ନକଲେ ମଧ୍ୟ ସେ ଖତ ହେଇଯିବ । ଗାଈଗୋରୁ ତ ମରିଗଲେ, ଚାଳଘର ରହିଲାନି, ତେଣୁ ଚାଷୀ ଏଗୁଡ଼ାକ ଅଦରକାରୀ ଭାବି ନିଆଁ ଲଗାଇଦେଲେ । ଯଦି ଧାନ ପରେ ମୁଗ ଆଦି ବୁଣିବାର ଅଛି, ବାଙ୍କ ଜାଗା ଚାଷ କରି ମୁଗ ଇତ୍ୟାଦି ବୁଣିଲା ପରେ ତା’ ଉପରେ ପାଳ ଘୋଡ଼େଇ ରଖିଲେ ମୁଗ ଭଲ ଗଜା ହେବ, ଜମିରେ ଓଦା ଅଂଶ ଅଧିକ ଦିନ ରହିବ, ଜମିର ତାପମାତ୍ରା ନିୟନ୍ତ୍ରଣରେ ରହିବ । ସେସବୁ ପରେ ମାଟିରେ ମିଶି ସଢ଼ିବ, ଜିଆ ଆଦି ଆଖିକୁ ଦିଶୁଥିବା ଓ ନଦିଶୁଥିବା ଅନେକ ଉପକାରୀ ପ୍ରାଣୀଙ୍କ ସଂଖ୍ୟା ବଢ଼ି ମାଟିର ଗୁଣ ଭଲ ହେବ । ଗୋଟିଏ କଣେ ସେସବୁ ଗଦେଇ ରଖିଲେ ବି ବର୍ଷାଦିନେ ସେଥିରେ ପାଳଛତୁ ଫୁଟିପାରେ ।
ନିଜ ବିଲ ଭିତରେ ତା’ ଉପରେ ଗୋବରପାଣି, ଅନ୍ନଦା ବା ବାୟୋଡିକମ୍ପୋଜର ଆଦି ପାଣିରେ ମିଶାଇ ଛିଞ୍ଚିଲେ ଖତ ହେଇଯାଇପାରେ । (ଅନ୍ନଦା ନିଜ ଘରେ କରିପାରିବେ । ୧ ଭାଗ ଚାଉଳଧୁଆ ପାଣି, ୧ ଭାଗ ପେଜ ଓ ୧ ଭାଗ ତୋରାଣି ସାଙ୍ଗରେ ୧ ଭାଗ ଗୁଡ଼ ମିଶାଇ ଗୋଟିଏ ପ୍ଲାଷ୍ଟିକ ବାଲଟି ବା ମାଟିହାଣ୍ଡିରେ ରଖି ତା’ ଉପରେ କନା ଘୋଡ଼େଇ ମୁହଁ ବାନ୍ଧିଦେବେ । ଏମିତି ୭ରୁ ୧୦ଦିନ ରଖିଲା ପରେ ସେଥିରେ ୧୦ରୁ ୧୫ଭାଗ ପାଣି ମିଶାଇ ଘାଣ୍ଟି ପାଳଗଦାରେ ମଝିରେ ମଝିରେ ଛିଞ୍ଚିପାରିବେ । ବାୟୋଡିକମ୍ପୋଜର ବିଷୟରେ କୃଷି ବିଭାଗ କର୍ମକର୍ତ୍ତାମାନେ ସଠିକ୍ ମାର୍ଗଦର୍ଶନ ଦେଇପାରିବେ । ଏଥିରେ ପାଳ ଚଞ୍ଚଳ ସଢ଼ିବା ବା ଗୁଣ୍ଡ ହେଇଯିବାରେ ସୁବିଧା ହୁଏ) ।
ନିଜର ଗାଈଗୋରୁ ନଥିଲେ ଅନ୍ୟମାନଙ୍କୁ ଯାହାର ଗାଈଗୋରୁ ଅଛନ୍ତି, ସେହି ପାଳ ଦାନ କରିପାରିବେ । ପାଖରେ ଗୋଶାଳା ଥିଲେ ଦାନ କରିପାରିବେ । ପରିବା ବଗିଚାରେ ମାଟିକୁ ଘୋଡ଼େଇ ରଖିବାରେ ବ୍ୟବହାର କରିପାରିବେ । ଆହୁରି ଅନେକ କଥା ହେଇପାରିବ । ଟ୍ରାକ୍ଟରରେ ‘ହାପି ସିଡର’ ଯନ୍ତ୍ର ଲଗାଇ ପାଳକୁ ଛୋଟ ଛୋଟ କାଟି ଜମିରେ ପକାଇହେବ । କିଛି ନକଲେନାହିଁ, ପୋଡ଼ିବେ କାହିଁକି? ଯଦି ବୁଦ୍ଧି ଦିଶୁନି, ବୁଦ୍ଧି ଖର୍ଚ୍ଚ କରି କିଛି କରିବା । କିନ୍ତୁ ନିର୍ବୁଦ୍ଧିଆ ହୋଇ ଶେଷରେ ପାଳ ପୋଡ଼ିବା? ଅମର ସେଥିପାଇଁ ମରିଗଲା । ସେ କ’ଣ ଭୁଲ୍ କରିଥିଲା? ବହଳିଆ କୁହୁଡ଼ି ସାଙ୍ଗରେ ପାଳପୋଡ଼ା ଧୂଆଁ । ପାଉଁଶଗୁଣ୍ଡ ଉଡ଼ିଆସି ଆଖିରେ ପଡ଼ିବାରୁ ସେ ସାଇକେଲରୁ ଏପାଖ-ସେପାଖ ହେଇଗଲା ଓ ଓହ୍ଲାଉ ଓହ୍ଲାଉ ପଛଆଡୁ ମଟରସାଇକେଲଟି ଆସି ଧକ୍କା ଲଗାଇଦେଲା । ସେ ତ କାମକୁ ଯାଉଥିଲା । ଆଣିଲେ ମା’ ପୁଅ ଚଳିଥାନ୍ତେ । ହେଲେ ଏବେ? ସୁନାଦେଈ କୋଳ ଶୂନ୍ୟ ହେଇଗଲା । ଆଉ କାହାର ନହେଉ । ଏ ଲେଖାଟି ଯିଏ ପଢ଼ିବେ ତାଙ୍କୁ ଅନୁରୋଧ ଜଣାଉଛି ଯେ, ଦୟାକରି ଚାଷୀମାନଙ୍କ ପାଖରେ ପାଳ ନପୋଡ଼ିବା ବାର୍ତ୍ତାଟି ପହଞ୍ଚାନ୍ତୁ ।