ରାଉରକେଲା, ୦୯/୦୨ : ରାଉରକେଲାସ୍ଥିତ ଆର୍ଏସ୍ପି ସିଭିକ୍ ସେଣ୍ଟରରେ ରବିବାର ‘ପ୍ରମେୟ’ ଓ ନ୍ୟୁଜ୍ ୭ ପକ୍ଷରୁ ‘ଆମ ସଂକଳ୍ପ’ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ର ଭାରପ୍ରାପ୍ତ ନିର୍ଦ୍ଦେଶକ ଡା. ଜୟନ୍ତ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜର ବିଭିନ୍ନ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିବା ୧୫ଜଣ ବ୍ୟକ୍ତିତ୍ୱଙ୍କୁ ‘ଆମ ସଂକଳ୍ପ’ ସମ୍ମାନରେ ସମ୍ମାନିତ କରିଥିଲେ। ଏହି ଅବସରରେ ସେ ଗଣମାଧ୍ୟମର ଗୁରୁତ୍ୱ ସମ୍ପର୍କରେ ଅନୁଭୂତି ବଖାଣିଥିଲେ। ସେ କହିଥିଲେ ଯେ, ସରକାର ଏବଂ ପ୍ରଶାସନର କଲ୍ୟାଣକାରୀ ଯୋଜନା, ସମାଜରେ ଘଟୁଥିବା ଘଟଣାବଳୀ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାର ପ୍ରକୃତ ମାଧ୍ୟମ ହେଉଛି ଗଣମାଧ୍ୟମ । ଛାପା ଗଣମାଧ୍ୟମ ବର୍ଷବର୍ଷ ଧରି ଏହି ଗୁରୁଦାୟିତ୍ୱ ତୁଲାଇ ଆସୁଛି । ଖବର କାଗଜରେ ପ୍ରକାଶିତ ଖବର ପ୍ରମାଣପତ୍ର ଭାବେ ବ୍ୟବହାର ହୋଇପାରୁଛି । ଡିଜିଟାଲ ମିଡିଆ ଯୁଗରେ ଛାପା ଗଣମାଧ୍ୟମର ଉତ୍ତରଦାୟିତ୍ୱ ଏବେ ବି ଉଦାହରଣ ସାଜିଛି।
ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଗ୍ରୁପ ଡାଇରେକ୍ଟର (ସେଲ୍ସ ଆଣ୍ଡ ମାର୍କେଟିଂ) ହିମାଂଶୁ ହୋତା କହିଛନ୍ତି ଯେ, ‘ପ୍ରମେୟ’ ଏଭଳି ଏକ ମିଡିଆ ଅନୁଷ୍ଠାନ ଯାହା କମ୍ପାନି ବଦଳରେ ଜିଲ୍ଲାର କୋଣ ଅନୁକୋଣରୁ ପ୍ରତିଭାଙ୍କୁ ଚିହ୍ନଟ କରି ସମ୍ମାନିତ କରୁଛି । ଅନୁଷ୍ଠାନର ମାଲିକ ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି । ସମାଜସେବା କାର୍ଯ୍ୟକୁ ଗୁରୁତ୍ୱ ଦେଇ ‘ପ୍ରମେୟ’ ଓ ‘ନ୍ୟୁଜ ୭’ ଅନୁଷ୍ଠାନ ଗଢ଼ିଛନ୍ତି । ରାଉରକେଲା ବ୍ୟୁରୋ ମୁଖ୍ୟ ମନୋରଞ୍ଜନ ଦାଶ ସ୍ୱାଗତ ଭାଷଣ ଓ ରାଉରକେଲା ନ୍ୟୁଜ୍ ୭ ବ୍ୟୁରୋ ଅଶୋକ ଦାସ ଧନ୍ୟବାଦ ଦେଇଥିଲେ । ଏଜିଏମ୍ ବିଶ୍ୱରୂପ ପରିଡ଼ା, ରାଉରକେଲା ବିଜ୍ଞାପନ ମୁଖ୍ୟ ନୀଳାଚଳ ଖଣ୍ଡୁଆଳ, ସମ୍ବଲପୁର ଆର୍ଏମ୍ ଆଲୋକ ଗୁରୁ ଉପସ୍ଥିତ ଥିଲେ ।
ବିଭିନ୍ନ କ୍ଷେତ୍ରରେ ୧୫ ବ୍ୟକ୍ତିତ୍ୱ ହୋମଗାର୍ଡ ଆଶା ତିଗା, ଇନଫ୍ଲ୍ୟୁଏନ୍ସର ଡା. ରୁପାଲି ପଣ୍ଡା, ପ୍ରକୃତିପ୍ରେମୀ ଗୋବିନ୍ଦଚନ୍ଦ୍ର ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନୀଳମଣି ମହାନ୍ତ, ସମାଜସେବୀ ସୁରଜ ନାୟକ, କ୍ରୀଡ଼ାବିତ୍ ଆଶିଷ ଶାହା, ଅନମୋଲ ଏକ୍କା, ନୃତ୍ୟଶିଳ୍ପୀ ସାଇନି ସିଲ୍କି, ଇଣ୍ଡିଆ ବୁକ୍ ରେକର୍ଡଧାରୀ ସ୍ୱରିତ ଉପାଧ୍ୟୟ, ଏସ୍ଆଇ ସିନ୍ମୟ ବଳ, ଲୋକନାଥ ସିଂ, ପ୍ରମୋଦ ସିଂ, ଏଏସ୍ଆଇ ଧ୍ୟାନଚାନ୍ଦ ଖିଲାର ଏବଂ ବିକ୍ରମ ଭୂୟାଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୟୁନିଟେକ ମୁଖ୍ୟ ନରେଶ ଆର୍ୟ୍ୟା, ଗୃହସ୍ଥୀ ମୁଖ୍ୟ ଗଣେଶ ବାଗାଡିଆ, ଆର୍ଏସ୍ପି ପିଆର୍ ବିଭାଗ ମୁଖ୍ୟ ଅର୍ଚ୍ଚନା ଶତପଥୀ, ଜିନ୍ଦଲର ଚୌଧୁରୀ ପ୍ରଣବାନନ୍ଦ ଦାସଙ୍କୁ ସମ୍ମାନିତ କରାଯାଇଛି । ପୂର୍ବରୁ ହୋଇଥିବା ବକ୍ତୃତା ପ୍ରତିଯୋଗିତାର ଶ୍ରେଷ୍ଠ ତିନି ପ୍ରତିଯୋଗୀ କୁମାର କୁଲଦୀପ ରାଉତ, ଶୁଭଶ୍ରୀ ଜେନା ଓ ପ୍ରିୟଙ୍କା ପ୍ରିୟଦର୍ଶନୀଙ୍କୁ ସମ୍ମାନିତ କରାଯାଇଥିଲା । ଶୁଭଶ୍ରୀ ଦାଶଙ୍କ ସଂଯୋଜନା କରିଥିଲେ । ଶ୍ରୀଜଗନ୍ନାଥ କଳା ପରିଷଦ ଦେବନୃତ୍ୟମ୍ ଓ କଲ୍ୟାଣୀ କଳାକେନ୍ଦ୍ରର ଶିଳ୍ପୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମନୋଜ ନାୟକଙ୍କ ନେତୃତ୍ୱରେ ମନୋଜ ସେଠୀ, କିଶୋର ଜୟସିଂ, ସନ୍ତୋଷ ଦାସ ଓ ଅନ୍ୟମାନେ ସଙ୍ଗୀତ ପରିବେଷଣ କରିଥିଲେ।
ଏହି ଖବରଟିକୁ ପଢନ୍ତୁ- ଯମୁନା ମଲ୍ଲିକ ପ୍ରମେୟ ଓଜସ୍ୱିନୀ-୨୦୨୫, ପ୍ରିୟଙ୍କା ପ୍ରଧାନ ଓ ଅମୂଲ୍ୟ ଭୋଇଙ୍କୁ ‘ପ୍ରମେୟ ସମ୍ମାନ’