ଭୁବନେଶ୍ୱର,୦୮/୦୨; ନାରୀ ସଶକ୍ତୀକରଣ ଶ୍ରେଷ୍ଠ ଉଦାହରଣ ‘ପ୍ରମେୟ ଓଜସ୍ୱିନୀ ସମ୍ମାନ’ । ମହିଳାଙ୍କୁ ପ୍ରୋତ୍ସାହିତ କରିବା ଦ୍ୱାରା ଅନ୍ୟ ମହିଳା ଏହି ରାସ୍ତାରେ ଆସିବେ । ଏହା ତୃଣମୂଳ ସ୍ତରରେ ମହିଳା ସଶକ୍ତୀକରଣକୁ ନୂଆ ଦିଗ ଦେବ । ସାମାଜିକ ସୁରକ୍ଷା ବୃଦ୍ଧି ପାଇବ । ଏଥିପାଇଁ ଏକ ମଞ୍ଚ ସୃଷ୍ଟି କରିବା ଓ ସେମାନଙ୍କୁ ଉତ୍ସାହିତ କରିବା ନିଶ୍ଚିତ ଭାବେ ଗୌରବର କଥା । କୌଣସି ଏକ ଖବରକାଗଜ ଏଭଳି ନାରୀ କୈନ୍ଦ୍ରିକ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ସାରା ଦେଶରେ ବିରଳ । "ପ୍ରମେୟ ଓଜସ୍ୱିନୀ ସମ୍ମାନ ସମାରୋହରେ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଆଇଆଇଏମ ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ ।
"ପ୍ରମେୟ' ଏବଂ "ନ୍ୟୁଜ୍-୭' ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାର ମହିଳା ଚାଷୀ ଯମୁନା ମଲ୍ଲିକ ୨୦୨୫ର ଓଜସ୍ୱିନୀ ଭାବେ ବିଜୟିନୀ ହୋଇଛନ୍ତି । ପ୍ରଥମ ଉପବିଜେତା ଶିକ୍ଷୟିତ୍ରୀ ତଥା ସଫଳ ଔଷଧୀୟ ବୃକ୍ଷ ଚାଷୀ ସ୍ନିଗ୍ଧା ଦାସ ଏବଂ ଦ୍ୱିତୀୟ ଉପବିଜେତା ହୋଇଛନ୍ତି ପଦ୍ମିନୀ ରଣା । ସ୍ଥାନୀୟ ଗଙ୍ଗାଧର ମଣ୍ଡପରେ "ପ୍ରମେୟ'ର ସମ୍ବଲପୁର ସଂସ୍କରଣ ମୁଖ୍ୟ ଶ୍ୱେତକୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର କହିଛନ୍ତି, ‘ପ୍ରମେୟ’ ପ୍ରତିବର୍ଷ ମହିଳା ସଶକ୍ତୀକରଣ ଉପରେ ଭଲ କାମ କରୁଛି । ‘ପ୍ରମେୟ’ ଟିମ୍ ଗ୍ରାଉଣ୍ଡ୍କୁ ଯାଇ ପ୍ରକୃତ ଖବରକୁ ସାମ୍ନାକୁ ଆଣୁଛନ୍ତି । ଏମାନେ ସମସ୍ତଙ୍କ ପାଇଁ ରୋଲ ମଡେଲ୍ ସାଜିଛନ୍ତି । ବାସ୍ତବରେ ଏହି ପ୍ରୟାସ ପ୍ରଶଂସନୀୟ । ଏହି ସମ୍ମାନ ଲାଗି ସମ୍ବଲପୁରକୁ ବାଛିଥିବାରୁ ‘ପ୍ରମେୟ’ ପରିବାରକୁ ଶ୍ରୀ ବୋନ୍ଦର ଧନ୍ୟବାଦ ଦେଇଛନ୍ତି । ଗ୍ରୁପ୍ ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର ବକ୍ତବ୍ୟରେ କହିଲେ, ଏହାର ପ୍ରତିଷ୍ଠାତା ପ୍ରଫେସର ଡ. ମନୋଜରଞ୍ଜନ ନାୟକଙ୍କ ଏକ ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ଥିଲା । ଲୋକଙ୍କ ସମସ୍ୟା ପ୍ରତି ଯଦି ଆମର ସମ୍ବେଦନଶୀଳତା ରହେ, ତେବେ ତାହାଠାରୁ ବଡ଼ କଥା କିଛି ନୁହେଁ । ଏହାକୁ ଆମେ ଖବର କାଗଜ ମାଧ୍ୟମରେ ପ୍ରଶାସନ ଦୃଷ୍ଟିକୁ ଆଣିପାରିବା ସବୁଠୁ ବଡ଼ ଅବଦାନ ହେବ । ‘ପ୍ରମେୟ’ ସେହି ଲକ୍ଷ୍ୟ ସହ କାମ କରିଆସିଛି । ପ୍ରମେୟ ଓଜସ୍ୱିନୀର ସମ୍ମାନ କାର୍ଯ୍ୟକ୍ରମ କିଛିବର୍ଷ ମଧ୍ୟରେ ସାରା ପଶ୍ଚିମ ଓଡି଼ଶାରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ନ୍ୟୁଜ-୭ର କାର୍ଯ୍ୟକାରୀ ସମ୍ପାଦକ ଦେବରଞ୍ଜନ ସେଠୀ କହିଛନ୍ତି, ‘ପ୍ରମେୟ’ ଓ ନ୍ୟୁଜ-୭ର ପୂରା ପରିବାର ଲୋକଙ୍କ ସମସ୍ୟାକୁ ଖବରରେ ପ୍ରାଧାନ୍ୟ ଦେଇଆସିଛି । ସବୁ ଘଟଣା ପ୍ରଶାସନ ଦୃଷ୍ଟିକୁ ଆସିପାରେନାହିଁ । ଏହାକୁ ଆମ ପ୍ରତିନିଧିମାନେ ପ୍ରାଥମିକତାର ସହ ପ୍ରଶାସନ ଦୃଷ୍ଟିକୁ ଆଣିବାକୁ କାମ କରୁଛନ୍ତି ।
ଏହା ବି ପଢନ୍ତୁ...ଖୁବ୍ ଶୀଘ୍ର ଆରମ୍ଭ ହେବ ବେଙ୍ଗାଲୁରୁ-ମୁମ୍ୱାଇ ପ୍ରିମିୟମ ଟ୍ରେନ୍ ସେବା : ରେଳ ମନ୍ତ୍ରୀଙ୍କ ବଡ଼ ଅପଡେଟ୍
ପ୍ରମେୟ ଗ୍ରୁପ୍ର ନିର୍ଦ୍ଦେଶକ (ସେଲ୍ସ ଆଣ୍ଡ୍ ମାର୍କେଟିଂ) ହିମାଂଶୁ ହୋତା କହିଲେ, ସାଧାରଣ ଲୋକଙ୍କ ଭଲପାଇବା ପାଇଁ ‘ପ୍ରମେୟ’ର ଇତିହାସ ଓ ଭବିଷ୍ୟତ ସମୃଦ୍ଧ । ପ୍ରତି ବର୍ଷ ଆମେ ଏହିପରି ପ୍ରାୟ ୨୪ଟି କାର୍ଯ୍ୟକ୍ରମ କରୁଛି । ସମାଜକୁ ସହଯୋଗ କରିବା ଅନୁଚିନ୍ତା ନେଇ ‘ପ୍ରମେୟ’ ଆତ୍ମପ୍ରକାଶ କରିଥିଲା । ପ୍ରତିଭାକୁ ସମ୍ମାନ ଓ ବିକାଶ ସହ ଯୋଗଦାନ । ଯାହା ଏବେ ସଫଳ ହୋଇଛି । ସମ୍ବଲପୁର ସଂସ୍କରଣ ମୁଖ୍ୟ ଶ୍ୱେତକୁମାର ପ୍ରଧାନ ସ୍ୱାଗତ ଭାଷଣ ରଖି କହିଥିଲେ, ‘ପ୍ରମେୟ’ ଖବର କାଗଜ ପ୍ରତିଷ୍ଠା ପଛରେ କୌଣସି ରାଜନୈତିକ ପୃଷ୍ଠପୋଷକତା ନୁହେଁ³ ବରଂ ଏକ ଶୈକ୍ଷିକ ପୃଷ୍ଠଭୂମି ରହିଛି । ତେଣୁ କିଛି ବର୍ଷ ମଧ୍ୟରେ ପାଠକୀୟ ଆଦୃତି ହାସଲ କରିପାରିଛି । ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର, ଡିଜିଏମ୍ (ପ୍ରସାର) ଗଜେନ୍ଦ୍ର ଦାସ, ସହକାରୀ ମହାପ୍ରବନ୍ଧକ (ବିଜ୍ଞାପନ) ବିଶ୍ୱରୂପ ପରିଡ଼ା ମଞ୍ଚରେ ଉପସ୍ଥିତ ଥିଲେ । ଏହି ଅବସରରେ ଓଜସ୍ୱିନୀ ବିଜେତା ବରଗଡ଼ର ଚାଷୀ ଯମୁନା ମଲ୍ଲିକଙ୍କୁ ଉତ୍ତରୀୟ, ଟ୍ରଫି ଓ ମାନପତ୍ର ସହ ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଛି ।
ପରିବେଶ ସୁରକ୍ଷା ଓ ଔଷଧୀୟ ବୃକ୍ଷରୋପଣ ନୂଆ ବାର୍ତ୍ତା ଦେଇଥିବା ବରଗଡ଼ ଗାଇସିଲେଟ୍ ହାଇସ୍କୁଲର ବିଜ୍ଞାନ ଶିକ୍ଷୟତ୍ରୀ ସ୍ନିଗ୍ଧା ଦାସ ଏବଂ ପୁରୁଷ ପ୍ରାଧାନ୍ୟ ଜୀବିକାରେ ନିୟୋଜିତ ହୋଇ ପରିବାର ଚଳାଉଥିବା ନୂଆପଡ଼ା ଜିଲ୍ଲାର ପଦ୍ମିନୀ ରଣାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ସେହିପରି ଭାସ୍କର୍ଯ୍ୟ ଶିଳ୍ପୀ ବରଗଡ଼ର ଅମୂଲ୍ୟ ଭୋଇ ଓ ଅନ୍ତର୍ଜାତୀୟ କବାଡ଼ି ଖେଳାଳି ପ୍ରିୟଙ୍କା ପ୍ରଧାନଙ୍କୁ ‘ପ୍ରମେୟ ସମ୍ମାନ’ରେ ସମ୍ମାନିତ କରାଯାଇଛି । ଉତ୍ସବ ଆରମ୍ଭରେ ମଞ୍ଚ ଦୁଲୁକାଇଥିଲେ ‘କହର୍’ କଳାକାର । ଡାଲଖାଇ ନୃତ୍ୟର ତାଳେତାଳେ ଦର୍ଶକଙ୍କୁ ନଚାଇଥିଲେ । ହେଲେ ଆକର୍ଷଣର କେନ୍ଦ୍ର ଥିଲେ ସମ୍ବଲପୁରୀ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଉମାକାନ୍ତ ବାରିକ ଓ ଗ୍ରୁପ । ଉମାକାନ୍ତଙ୍କ ଫ୍ୟାନ୍ ବିଭୋର ହୋଇ ନୃତ୍ୟ କରିଥିଲେ ।
କାର୍ଯ୍ୟକ୍ରମ ସହଯୋଗିତାରେ ସକ୍ରିୟ ଅଂଶଗ୍ରହଣ କରିଥିବା ପୃଷ୍ଠପୋଷକଙ୍କ ମଧ୍ୟରୁ ବେଦାନ୍ତ ଲିମିଟେଡ୍ର ବରଦା ପ୍ରସନ୍ନ ବିଶ୍ୱାଳ, କୌଳାସ ଚନ୍ଦ୍ର ସାହୁ, ଆଦିତ୍ୟ ଆଲୁମିନିୟମର ପୀୟୂଷ ରାଜଗୁରୁ, ଜେଏସଡବ୍ଲ୍ୟୁ-ଭୂଷଣର ଜନସମ୍ପର୍କ ଅଧିକାରୀ ପ୍ରମୋଦ ପାତ୍ର, ଆର୍ୟନ ଇସ୍ପାତ ଓ ପାୱାର ପ୍ରାଇଭେଟ୍ ଲିମିଟେଡର ଜନସମ୍ପର୍କ ଅଧିକାରୀ ମହାବୀର ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା । ମହାନଦୀ କୋଲ୍ଫିଲ୍ଡ୍ ଲିମିଟେଡ୍, ଶ୍ୟାମ ମେଟାଲିକ୍ସ ଓ ଏନର୍ଜି ଲିମିଟେଡ୍, ହିଣ୍ଡାଲକୋ ପକ୍ଷରୁ ମଧ୍ୟ ସହଯୋଗ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ତର୍ପଣ ପ୍ରଧାନ ଓ ସୀମନ୍ତିକା ଦାସ । ‘ଡ୍ରିମ୍ ମେକର୍’ ମଞ୍ଚ ସାଜସଜ୍ଜା ପରିଚାଳନା ଦାୟିତ୍ୱ ତୁଲାଇଥିଲା । ‘ପ୍ରମେୟ’ ସମ୍ବଲପୁର ସଂସ୍କରଣରେ କାର୍ଯ୍ୟରତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।