- ପିକେ –ପ୍ରିୟଙ୍କାଙ୍କ ସାକ୍ଷାତ୍କୁ ନେଇ ଚର୍ଚ୍ଚା
- କଂଗ୍ରେସକୁ ଫେରିବେ କି ପ୍ରଶାନ୍ତ କିଶୋର
- କଂଗ୍ରେସ ସହ ପିକେଙ୍କ ପୁରୁଣା ସଂପର୍କ ରହିଛି
- ୨୦୨୨ରେ କଂଗ୍ରେସ ପାଇଁ ବ୍ଲୁ ପ୍ରିଣ୍ଟ ରଚିଥିଲେ
ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନରେ ପରାଜୟର ଗୋଟେ ମାସ ପରେ ଜନ ସୁରାଜ ପାର୍ଟିର ନେତା ପ୍ରଶାନ୍ତ କିଶୋରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଖବର ଅନୁସାରେ , ସେ ନିକଟରେ କଂଗ୍ରେସ ସାଂସଦ ଓ ପାର୍ଟି ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସାକ୍ଷାତ୍ କରିଛନ୍ତି। ହେଲେ ଉଭୟ ଦଳର ସୂତ୍ର ଏହି ସାକ୍ଷାତକାରକୁ ସେତେ ମହତ୍ତ୍ୱ ଦେଇ ନାହାନ୍ତି। ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସଂସଦ ପରିସରରେ ଏହି ସାକ୍ଷାତକାର ଉପରେ ପଚରା ଯାଇଥିବା ପ୍ରଶ୍ନର ଜବାବ ଦେଇଛନ୍ତି ଯେ, ଏହା କଣ କୌଣସି ନ୍ୟୁଜ୍ କି ? ହେଲେ , ଏହି ସାକ୍ଷାତକାରରେ ରାଜନୈତିକ ମାହୋଲ ସରଗରମ୍ ହୋଇ ଉଠିଛି। ଏନଡିଟିଭି ସୂତ୍ରାନୁସାରେ କହିଛି , ଗତ ସପ୍ତାହରେ ଦୁଇ ଜଣଙ୍କ ସାକ୍ଷାତକାର ୧୦ ଜନପଥ ସ୍ଥିତ ସୋନିଆ ଗାନ୍ଧୀଙ୍କ ବାସଭବନରେ ହୋଇଥିଲା। ଉଭୟଙ୍କ ମଧ୍ୟରେ ପାଖାପାଖି ଘଣ୍ଟାଏ ଯାଏ କଥାବାର୍ତ୍ତା ହୋଇଥିଲା।
ଏହାସହ ମଧ୍ୟ ପଢନ୍ତୁ : ଶେଷ ହେଲା ପ୍ରତୀକ୍ଷା ; BMC ନିର୍ବାଚନର ତାରିଖ ଘୋଷଣା
ଉଭୟ ନେତାଙ୍କ ସାକ୍ଷାତ୍ ଏଥିପାଇଁ ପ୍ରମୁଖ , କାରଣ ପ୍ରଶାନ୍ତ କିଶୋରଙ୍କ କଂଗ୍ରେସ ସହ ପୁରୁଣା ସଂପର୍କ ରହିଛି। ୨୦୨୧ରେ ନୀତୀଶ କୁମାରଙ୍କର ଦଳ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଛାଡ଼ିବା ପରେ ପ୍ରଶାନ୍ତ କିଶୋର କଂଗ୍ରେସ ସହ ଯୋଡ଼ି ହୋଇଥିଲେ। ସେ ୨୦୨୪ର ଲୋକସଭା ନିର୍ବାଚନ ପୂର୍ବରୁ ୨୦୨୨ରେ କଂଗ୍ରେସକୁ ପୁନର୍ଜୀବିତ କରିବା ପାଇଁ ଏକ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରିଥିଲେ , କିନ୍ତୁ ପାର୍ଟି ଭିତରେ ପଦ ଓ ଅଧିକାରକୁ ନେଇ ସଂପର୍କର ଡୋର ଏମିତି ଛିଣ୍ଡିଗଲା ଯେ, ଦୁହେଁ ପରସ୍ପର ଠାରୁ ଦୂରେଇ ଗଲେ।
ଏହି ସମୟରେ , କଂଗ୍ରେସରୁ ପିକେ କଡ଼ ଲେଉଟେଇବା ସହ ସଂପର୍କ ତୁଟାଇ ଦେଇଥିଲେ। ସେବେଠାରୁ , ସେ କଂଗ୍ରେସର ସମାଲୋଚକ ହୋଇ ରହିଛନ୍ତି। ବିହାର ନିର୍ବାଚନ ପ୍ରଚାର ବେଳେ ମଧ୍ୟ ସେ ଯୁକ୍ତି ଦେଇଥିଲେ ଯେ, ଭୋଟର ତାଲିକାର ସ୍ୱତନ୍ତ୍ର ଗହନ ସଂଶୋଧନ(ଏସଆଇଆର) ଓ ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ଅଭିଯାନ ରାଜ୍ୟରେ ନିର୍ବାଚନୀ ପ୍ରସଙ୍ଗ ନୁହେଁ। ହେଲେ ନିର୍ବାଚନକୁ ତ୍ରିକୋଣାତ୍ମକ କରିବାର ଦାବି କରିଥିବା ପ୍ରଶାନ୍ତ କିଶୋରଙ୍କ ଦଳ , ବିହାର ନିର୍ବାଚନରେ ଦୃଢ ଭାବେ ପରାଜିତ ହୋଇ ଥିଲା। ତାଙ୍କର ଦଳ ଜନ ସୁରାଜ ପାର୍ଟିକୁ ଗୋଟିଏ ବି ଆସନ ମିଳି ନଥିଲା। ତାଙ୍କର ମୋଟ ୨୩୮ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୩୬(ଅର୍ଥାତ୍ ୯୯.୧୬%)ଙ୍କର ଜମା ଜବତ ହୋଇଥିଲା।
ଏହାସହ ମଧ୍ୟ ପଢନ୍ତୁ : ଅଭିନେତାରୁ ନେତା ହୋଇଥିବା ବିଜୟଙ୍କ ସାମ୍ନାରେ ରହିଛି ଅନେକ କଣ୍ଡିସନ୍ସ ?
ଅନ୍ୟପଟେ କଂଗ୍ରେସର ପ୍ରଦର୍ଶନ ମଧ୍ୟ ନୈରାଶ୍ୟଜନକ ରହିଛି। କଂଗ୍ରେସ ୨୪୩ରୁ ୬୧ଟି ଆସନରେ ନିର୍ବାଚନ ଲଢୁ ଥିଲା , କିନ୍ତୁ ତାକୁ କେବଳ ଛଅଟି ସିଟ୍ରେ ହିଁ ବିଜୟ ମିଳିଥିଲା, ଯାହାକି ୨୦୨୦ରେ କଂଗ୍ରେସ ୧୯ଟି ଆସନ ଜିତି ଥିଲା। ଏଥିରେ ଅନୁମାନ କରାଯାଉଛି ଯେ, ଏବେ ପରିବର୍ତ୍ତିତ ରାଜନୀତିକ ସ୍ଥିତି ପରେ ପିକେ ପୁଣିଥରେ କଂଗ୍ରେସର ନିକଟତର ହେବାକୁ ଚାହାନ୍ତି। ହେଲେ , ଏହି ସାକ୍ଷାତକାରର ସ୍ପଷ୍ଟତା ନା କଂଗ୍ରେସ କି ନା ପିକେଙ୍କର ଦଳ ପକ୍ଷରୁ ହୋଇଛି। କିନ୍ତୁ ସୂତ୍ର କହୁଛି ଯେ, ଉଭୟଙ୍କ ମଧ୍ୟରେ ସାକ୍ଷାତ୍ ହୋଇଛି ଏବଂ ନୂଆ ରାଜନୀତିକ ରଣନୀତି ଚାଲିଛି। ସେ ରଣନୀତି କଣ ,ଏହା ବର୍ତ୍ତମାନ କେବଳ ଅନ୍ଦାଜ ହିଁ ଲଗାଯାଇ ପାରିବ।