ନୂଆଦିଲ୍ଲୀ : ଏପଟେ ଆମେରିକା ସହ ଇରାନର ଯୁଦ୍ଧ ଜାରି ରହିଛି। ଆଉ ଗୋଟେ ପଟେ ଏହାର ଟପ୍ ଲିଡରସିପ୍ରେ କଳହର ସୂତ୍ରପାତର ଖବର ସାମ୍ନାକୁ ଆସିଛି। ଏହି କଥା ଏତେ ମାତ୍ରାରେ ବଢି ଯାଇଛି ଯେ ,ଇରାନୀ ବିଦେଶ ମନ୍ତ୍ରୀଙ୍କୁ ଖୁବ୍ ଶୀଘ୍ର ପଦରୁ ହଟାଯାଇ ପାରେ ବୋଲି କୁହାଯାଉଛି। ରିପୋର୍ଟ ମୁତାବିକ , ଇରାନର ରାଷ୍ଟ୍ରପତି ମସୁଦ ପେଜେସ୍କିୟାନ ଓ ଇରାନୀ ସଂସଦର ବାଚସ୍ପତି ମହମ୍ମଦ ବାଗେର ଗାଲିବାଫ , ବୈଦେଶିକ ମନ୍ତ୍ରୀ ଅବାସ ଅରାଘଚୀଙ୍କୁ ପଦରୁ ହଟେଇବାର ପ୍ରସ୍ତୁତି କରୁଛନ୍ତି।
ଏହି ଖବର ଏମିତି ସମୟରେ ସାମ୍ନାକୁ ଆସିଛି ଯେବେ ଆମେରିକା ଓ ଇରାନ ମଧ୍ୟରେ ଦ୍ୱିତୀୟ ସ୍ତରୀୟ ଆଲୋଚନ ଝୁଲି ରହିଛି ଏବଂ ଉଭୟ ପକ୍ଷ ଆଲୋଚନା ପାଇଁ କିଛି ଏମିତି ସର୍ତ୍ତ ରଖିଛନ୍ତି, ଯାହା ଉପରେ ସହମତି ହୋଇ ପାରି ନାହିଁ। ଅନ୍ୟପଟେ କିଛି ରିପୋର୍ଟରେ ଏହା ମଧ୍ୟ କୁହାଯାଉଛି ଯେ, ଆମେରିକା ଖୁବ୍ ଶୀଘ୍ର ଇରାନ ଉପରେ ନୂଆ ଆକ୍ରମଣ କରିପାରେ।
ଆହୁରି ମଧ୍ୟ ପଢନ୍ତୁ : ହେଗ୍ସେଥ୍ଙ୍କୁ ଆମେରିକା ସାଂସଦଙ୍କ ପ୍ରଶ୍ନ, କହିଲେ ଟ୍ରମ୍ପଙ୍କ ମାନସିକ ସ୍ଥିତି ଠିକ୍ ଅଛି ତ ?
ଇରାନ ଇଣ୍ଟରନ୍ୟାସନାଲର ଏକ ରିପୋର୍ଟ ମୁତାବିକ , ରାଷ୍ଟ୍ରପତି ପେଜେଶ୍କିଆନ ନିଜର ବୈଦେଶିକ ମନ୍ତ୍ରୀଙ୍କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ପଛରେ ଅନେକ କାରଣ ରହିଛି। ଅଭିଯୋଗ ଯେ, ଅରାଘଚୀ ଆମେରିକା ସହ ହେବାକୁ ଥିବା ଆଲୋଚନା ଓ ଅନ୍ୟ ପ୍ରମୁଖ ନୀତିଗତ ନିଷ୍ପତ୍ତିରେ ରାଷ୍ଟ୍ରପତିଙ୍କ ଆଦେଶର ଅଣଦେଖା କରିଛନ୍ତି। ସେ ଅଭିଯୋଗ ମଧ୍ୟ କରିଛନ୍ତି ଯେ, ଅରାଘଚୀ ସରକାରର ନୀତି ଗୁଡ଼ିକ ପରିବର୍ତ୍ତେ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କାପର୍ସ (ଆଇଆରଜିସି)ର ଚିଫ୍ ଅହମ୍ମଦ ୱାହିଦାଙ୍କ ଇସାରାରେ କାର୍ଯ୍ୟ କରୁଛନ୍ତି।
ଇରାନୀ ସୂତ୍ରରୁ ଦାବି କରାଯାଇଛି ଯେ,ଗତ ଦୁଇ ସପ୍ତାହରୁ ଅରାଘଚୀ ରାଷ୍ଟ୍ରପତିଙ୍କୁ ଆହୁରି ଅନେକ ପ୍ରମୁଖ ନିଷ୍ପତ୍ତି ଓ ସୂଚନା ଗୁଡ଼ିକର ପରିସର ବାହାରେ ରଖିଛନ୍ତି। ଏହି କ୍ରମରେ ଆମେରିକା ସହ ସଂଘର୍ଷ ବିରାମକୁ ସ୍ଥାୟୀ କରିବାର ଚେଷ୍ଟାରେ ଅରାଘଚୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠୁଛି। ଏହାପରେ ଏବେ ରାଷ୍ଟ୍ରପତି ପେଜେଶ୍କିଆନ ନିଜର ନିକଟତରଙ୍କୁ ସ୍ପଷ୍ଟ କହି ଦେଇଛନ୍ତି ଯେ, ଯଦି ବୈଦେଶିକ ମନ୍ତ୍ରୀ ଏହିପରି ସରକାରର ନୀତି ଗୁଡି଼କୁ ଅଣଦେଖା କରନ୍ତି , ତ ସେ ତାଙ୍କୁ ତୁରନ୍ତ ପଦରୁ ହଟେଇ ଦେବେ।
ଇରାନର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଅନେକ ଥର କଳହର ଖବର ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବିକ , ସୁପ୍ରିମ ଲିଡର ଅୟାତୁଲ୍ଲ ଅଲୀ ଖାମେନିଙ୍କ ମୃତ୍ୟୁ ଓ ନୂଆ ସୁପ୍ରିମ ଲିଡର ମୋଜତବା ଖାମେନିଙ୍କ ଅନୁପସ୍ଥିତିରେ ରାଷ୍ଟ୍ରପତି ପେଜେଶ୍କିୟାନ ଓ ଆଇଆରଜିସି ପ୍ରମୁଖ ୱାହିଦିଙ୍କ ମଧ୍ୟରେ ମତାନ୍ତର ଚାଲିଛି ଏବଂ ଉଭୟ ଅନେକ ପ୍ରସଙ୍ଗରେ ସହମତି ହୋଇ ପାରୁ ନାହାନ୍ତି। ଏହାପରେ ଏବେ ଚର୍ଚ୍ଚା ଯେ, ରାଷ୍ଟ୍ରପତି ସ୍ପିକର ଗାଲିବାଫଙ୍କୁ ହସ୍ତକ୍ଷେପ କରିବାର ଦାବି କରିଛନ୍ତି , ଯାହାକି ନିଷ୍ପତ୍ତି ସଠିକ୍ ଢଙ୍ଗରେ ନିଆଯାଇ ପାରିବ।