ୱାଶିଂଟନ ଡିସି, ୦୧/୦୫ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ନେଇ ଡେମୋକ୍ରାଟ ସାଂସଦ ସାରା ଜେକବ୍ସଙ୍କ ବିବାଦୀୟ ବୟାନ। ଟ୍ରମ୍ପ୍‌ଙ୍କ ମାନସିକ ସ୍ଥିତି ଠିକ୍‌ ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ପ୍ରତିରକ୍ଷା ସଚିବ ପିଟ୍‌ ହେଗ୍‌ସେଥ୍‌ଙ୍କ ସହ ତାଙ୍କର ଜୋରଦାର ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଛି।

ଇରାନ ଯୁଦ୍ଧ ପରେ ପ୍ରତିରକ୍ଷା ସଚିବ ହେଗ୍‌ସେଥ୍‌ ପ୍ରଥମ ଥର ପାଇଁ ସଂସଦରେ ଡେମୋକ୍ରାଟିକ୍‌ ସାଂସଦମାନଙ୍କର ସାମ୍ନା କରିଥିଲେ । ହାଉସ୍‌ ଆର୍ମଡ ସର୍ଭିସେସ କମିଟି ସମ୍ମୁଖରେ ସେ ହାଜର ହୋଇଥିଲେ । ବିତର୍କ ପ୍ରାରମ୍ଭରେ ହେଗ୍‌ସେଥ୍‌ ଡେମୋକ୍ରାଟ୍‌ ଏବଂ କିଛି ରିପବ୍ଲିକାନ୍‌ଙ୍କ ବୟାନକୁ ‘ନିରାଶାବାଦୀ’ ଦର୍ଶାଇଥିଲେ । ଏଭଳି ସମାଲୋଚନା ଆମେରିକାର ସବୁଠୁ ବଡ଼ ଶତ୍ରୁ ବୋଲି କହିଥିଲେ। ଡେମୋକ୍ରାଟ୍ ସାଂସଦମାନେ ଯୁଦ୍ଧରେ ସରକାରୀ ଅର୍ଥକୁ ମନମୁଖୀ ଭାବେ ଖର୍ଚ୍ଚ କରିବାକୁ ନେଇ ପ୍ରଶ୍ନ କରିଥିଲେ। ଅଦ୍ୟାବଧି ଯୁଦ୍ଧରେ ୨୫ ବିଲିୟନ ଡଲାର ଖର୍ଚ୍ଚ ହୋଇଥିବା କହିଥିଲେ। ଏହାପରେ ଟ୍ରମ୍ପଙ୍କ ବିଭିନ୍ନ ବୟାନକୁ ନେଇ ସାଂସଦମାନେ ହେଗସେଥ୍‌ ଙ୍କୁ ଘେରିଥିଲେ। ତାଙ୍କୁ ସିଧାସଳଖ ପ୍ରଶ୍ନ କରି ସାରା ଜେକବ୍ସ କହିଥିଲେ, ଆପଣଙ୍କୁ ଲାଗୁଛି ଯେ ଆମ ରାଷ୍ଟ୍ରପତିଙ୍କ ମାନସିକ ଅବସ୍ଥା ଠିକ୍ ଅଛି ? କମାଣ୍ଡର-ଇନ୍-ଚିଫ୍ ଦାୟିତ୍ଵ ପୂରଣ ଲାଗି ସେ ସ୍ଥିର ଅଛନ୍ତି କି? 

ଏହି ପ୍ରଶ୍ନରେ ହେଗସେଥ୍ କ୍ଷୁବ୍ଧ ହୋଇଯାଇଥିଲେ। ଜୋ ବାଇଡେନଙ୍କୁ ଏଭଳି ପ୍ରଶ୍ନ କରିଥିଲେ କି ବୋଲି ପାଲଟା ପ୍ରଶ୍ନ କରିଥିଲେ। ତାଙ୍କ ଅନୁସାରେ ବାଇଡେନ୍ ଠିକ୍ ଭାବେ କହିପାରୁ ନଥିଲେ, ହେଲେ ତାଙ୍କୁ କେହି କିଛି କହୁନଥିଲେ। ପୁଣି ଜବାବ ଦେଇ ସାରା କହିଥିଲେ ଯେ, ୨୦୨୪ ନିର୍ବାଚନରେ ବାଇଡେନ୍ ଆମର ରାଷ୍ଟ୍ରପତି ପ୍ରାର୍ଥୀ ନଥିଲେ। ଏହାପରେ ହେଗେସେଥ୍ ଏଭଳି ଯୁକ୍ତିତର୍କ କରିବାକୁ ଚାହୁଁନଥିବା କହିଥିଲେ। 

ଉଲ୍ଲେଖଯୋଗ୍ୟ, ଯୁଦ୍ଧ ଆରମ୍ଭରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନକୁ ବାରମ୍ଵାର ଧମକ ଦେଉଛନ୍ତି। କେତେବେଳେ ଯୀଶୁ ଖ୍ରୀଷ୍ଟଙ୍କ ଭଳି ଏଆଇ ଫଟୋ ତ ଆଉ କେତେବେଳେ ହାତରେ ରାଇଫଲ୍ ଧରି ଧମକ ଦେଉଛନ୍ତି। ଇରାନକୁ ମାନଚିତ୍ରରୁ ହଟାଇଦେବାକୁ କହିଛନ୍ତି। ସେ ପୋପଙ୍କ ବିରୋଧରେ ବି ବୟାନବାଜି କରିଥିଲେ। କାଲିଫର୍ଣ୍ଣିଆର ଡେମୋକ୍ରାଟ୍ ସାଂସଦ ଜନ୍ ଗରାମେଣ୍ଡି କହିଛନ୍ତି ଯେ, ହେଗସେଥ୍ ଓ ରାଷ୍ଟ୍ରପତି ଆରମ୍ଭରୁ ହିଁ ଯୁଦ୍ଧକୁ ନେଇ ଦେଶର ଜନତାଙ୍କୁ ମିଛ କହି ଆସୁଛନ୍ତି। ଡୋନାଲ୍ଡ ଟ୍ରମ୍ପ ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧର ପଙ୍କ କାଦୁଅରେ ଫଶି ଯାଇଛନ୍ତି। 

ଏହି ଖବରଟିକୁ ପଢନ୍ତୁMojtaba Warns US: ଆମେରିକାକୁ ମୋଜତବାଙ୍କ ଚେତାବନୀ, ‘ପରମାଣୁ ଓ ମିସାଇଲ କ୍ଷମତା’ ଆମ ଦେଶର ସମ୍ପତ୍ତି, ଲକ୍ଷ୍ୟରୁ ହଟିବା ପ୍ରଶ୍ନ ଉଠୁନି...