ଉତ୍ତରପ୍ରଦେଶ, ୧୯।୩: ଦୀର୍ଘ ୫୦୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି । ଅଯୋଧ୍ୟା ରାମ ମନ୍ଦିରର ଦ୍ୱିତୀୟ ମହଲାରେ ପବିତ୍ର 'ଶ୍ରୀରାମ ଯନ୍ତ୍ର' ସ୍ଥାପନ ସହ ମନ୍ଦିର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଛି । ଶାରଦୀୟ ନବରାତ୍ରୀର ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଯୋଧ୍ୟା ଗସ୍ତ କରି ପ୍ରଭୁ ରାମଲାଲାଙ୍କ ଦର୍ଶନ କରିବା ସହ ଏହି ସ୍ୱତନ୍ତ୍ର ସ୍ଥାପନା ଉତ୍ସବରେ ସାମିଲ ହୋଇଛନ୍ତି । ରାଷ୍ଟ୍ରପତି ପୂର୍ବାହ୍ନ ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ମହର୍ଷି ବାଲ୍ମୀକି ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ୱାଗତ କରିଥିଲେ । ବୈଦିକ ଆଚାର୍ଯ୍ୟଙ୍କ ମନ୍ତ୍ରୋଚାର ମଧ୍ୟରେ ରାଷ୍ଟ୍ରପତି ମନ୍ଦିରର ଦ୍ୱିତୀୟ ମହଲାରେ ଶ୍ରୀରାମ ଯନ୍ତ୍ରର ପୂଜାର୍ଚ୍ଚନା କରି ସ୍ଥାପନ କରିଥିଲେ । ଏହି ଅବସରରେ ରାମ ମନ୍ଦିର ଟ୍ରଷ୍ଟର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି ମହାରାଜ କହିଛନ୍ତି ଯେ, "ଏହି ସ୍ଥାପନା ସହ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ଏବେ ପରିପୂର୍ଣ୍ଣ ହୋଇଛି ।" କାର୍ଯ୍ୟକ୍ରମରେ ୧୯୮୪ ମସିହାରୁ ରାମ ମନ୍ଦିର ଆନ୍ଦୋଳନ ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତି ଓ କାର୍ଯ୍ୟକର୍ତ୍ତାଙ୍କୁ ନିମନ୍ତ୍ରଣ କରାଯାଇ ସମ୍ମାନିତ କରାଯାଇଛି ।
ଏହା ବି ପଢ଼ନ୍ତୁ... ଏକାଧିକ ବିବାହ କଲେ ୭ ବର୍ଷ ଜେଲ୍, ଲିଭ୍-ଇନ୍ରେ ରହିଲେ ପଞ୍ଜୀକରଣ ବାଧ୍ୟ
କ’ଣ ଏହି 'ଶ୍ରୀରାମ ଯନ୍ତ୍ର' ?
ଶାସ୍ତ୍ର ଅନୁସାରେ, ଯେପରି 'ଶ୍ରୀ ଯନ୍ତ୍ର'କୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ କୁହାଯାଏ, ସେହିପରି 'ଶ୍ରୀରାମ ଯନ୍ତ୍ର' ଭଗବାନ ବିଷ୍ଣୁଙ୍କ ଅବତାର ପ୍ରଭୁ ଶ୍ରୀରାମଙ୍କ ବିଜୟ ଏବଂ ମର୍ଯ୍ୟାଦାର ପ୍ରତୀକ । ଏହା କେବଳ ଏକ ଧାତୁ ନୁହେଁ, ବରଂ ବ୍ରହ୍ମାଣ୍ଡ ଶକ୍ତିର ଏକ ଗାଣିତିକ ଏବଂ ଆଧ୍ୟାତ୍ମିକ ସ୍ୱରୂପ । ଏହାକୁ ତାମିଲନାଡ଼ୁର କାଞ୍ଚିପୁରମ୍ ମଠରେ ପ୍ରସ୍ତୁତ କରାଯାଇଛି । ଏହି ଯନ୍ତ୍ରର ଓଜନ ପ୍ରାୟ ୧୫୦ କିଲୋଗ୍ରାମ ଏବଂ ଏହା ଉପରେ ସୁନାର ପରସ୍ତ ଚଢ଼ାଯାଇଛି । କାଞ୍ଚିପୁରମରୁ ତିରୁପତି ହୋଇ ଏକ ଭବ୍ୟ ରଥଯାତ୍ରା ମାଧ୍ୟମରେ ୧୦ ଦିନ ପୂର୍ବରୁ ଏହାକୁ ଅଯୋଧ୍ୟା ଅଣାଯାଇଥିଲା ।