ଭୁବନେଶ୍ୱର,୦୩/୧୨: ମଙ୍ଗଳବାରଠାରୁ  ୫ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ଅପରାହ୍ନ ୫ଟାରେ ସେ ଭୁବନେଶ୍ୱର  ବିମାନବନ୍ଦରରେ ପହଞ୍ଚିବେ । ୭ ତାରିଖ ଯାଏ ସେ ଓଡ଼ିଶାରେ ରହିବେ । ପୁରୀରେ ଜଗନ୍ନାଥଙ୍କ ଦର୍ଶନ ପରେ  ସମୁଦ୍ର ବେଳାଭୂମିରେ ହେବାକୁ ଥିବା  ଭାରତୀୟ ନୌସେନା ଦିବସରେ  ମୁଖ୍ୟ ଅତିଥି ଭାବେ ଯୋଗଦେବେ । ରାଜଧାନୀରେ ଓୟୁଏଟିର ସମାବର୍ତ୍ତନ  ଉତ୍ସବ, ନୂଆ ଜୁଡିସିଆଲ୍‌ କମ୍ପେ୍ଲକ୍ସର  ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହିତ ରାଜଧାନୀ ଓ ମୟୂରଭଞ୍ଜର ଏକାଧିକ  କାର୍ଯ୍ୟକ୍ରମରେ ସେ ଯୋଗଦେବେ । 

ଡିସେମ୍ବର ୩ ତାରିଖରେ ରାଷ୍ଟ୍ରପତି  ରାଜଧାନୀର ନୀଳାଦ୍ରିବିହାରରେ ପଣ୍ଡିତ  ରଘୁନାଥ ମୁର୍ମୁଙ୍କ ନୂଆ ପ୍ରତିମୂର୍ତ୍ତି  ଅନାବରଣ କରିବେ । ସେଠାରେ ଥିବା  ଆଦିବାସୀଙ୍କ ଇଷ୍ଟଦେବ ମାରାଂ ବୁରୁଙ୍କ  ସ୍ଥାନ ‘ଆଦିମ ଓୱାର ଜାର୍ପା ଜାହେର’  ପରିଦର୍ଶନ କରିବେ । ୪ ତାରିଖରେ ସେ ପୁରୀ ଯାଇ ଜଗନ୍ନାଥ ମନ୍ଦିରରେ ଦର୍ଶନ  ଓ ପୂଜାର୍ଚ୍ଚନା କରିବେ । ପରେ ଗୋପବନ୍ଧୁ  ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ  ବାର୍ଷିକ ଉତ୍ସବରେ ଯୋଗଦେବେ । ଅପରାହ୍ନରେ ପୁରୀ ବ୍ଲୁ ଫ୍ଲାଗ୍‌  ବେଳାଭୂମିରେ ଆୟୋଜିତ ନୌସେନା ଦିବସ ସମାରୋହ ଓ ସମର କୌଶଳ ପ୍ରଦର୍ଶନରେ ଯୋଗଦେବେ। ନୌସେନା  ଦିବସ ଅବସରରେ ଆୟୋଜିତ ଏହି  କାର୍ଯ୍ୟକ୍ରମ ଦେଖିବାକୁ ସମସ୍ତ ବିଧାୟକ  ପୁରୀ ଯିବେ । ଏକ ସ୍ୱତନ୍ତ୍ର ବସ୍‌ରେ  ସମସ୍ତଙ୍କୁ ପୁରୀ ନିଆଯିବ । ପୁରୀରେ  ନୌସେନା ସମରାଭ୍ୟାସ ଦେଖିବା ପରେ  ସେମାନଙ୍କୁ କୋଣାର୍କ ନୃତ୍ୟ ମହୋତ୍ସବକୁ  ନିଆଯିବ । ଏହାକୁ ଦେଖବା ପରେ  ସମସ୍ତେ ରାଜଧାନୀ ଫେରିବେ ବୋଲି  ବାଚସ୍ପତି ସୁରମା ପାଢ଼ୀ ଆଜି ଗୃହରେ  ସୂଚନା ଦେଇଛନ୍ତି । 

୫ ତାରିଖରେ ସେ ଓଡ଼ିଶା କୃଷି  ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୪୦ତମ  ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ।  ସେଦିନ ଭୁବନେଶ୍ୱର କୋର୍ଟ ପାଖରେ  ଥିବା ଜୁଡିସିଆଲ୍‌ କମ୍ପେ୍ଲକ୍ସକୁ ସେ  ଉଦ୍‌ଘାଟନ କରିବେ । 

୬ ତାରିଖରେ ରାଷ୍ଟ୍ରପତି ମୟୂରଭଞ୍ଜ ଉପରବେଡ଼ାଠାରେ  ଛାତ୍ରଛାତ୍ରୀ ଓ ଗାଁ ଲୋକଙ୍କ ସହ ମତବିନିମୟ କରିବେ ।  ସେଦିନ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର  ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀଙ୍କ ସହ କଥା ହେବେ । 

୭ରେ ରାଷ୍ଟ୍ରପତି ବାଙ୍ଗିରିପାଷି-ଗୋରୁମହିଷାଣୀ,  ବୁରମରା-ଚକୁଳିଆ ଏବଂ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳଲାଇନ୍‌, ଆଦିବାସୀ ଗବେଷଣା ଓ  ବିକାଶ କେନ୍ଦ୍ର, ରାଇରଙ୍ଗପୁର-ଦାଣ୍ଡପୋଷ ବିମାନବନ୍ଦର  ଓ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମେତ  ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ।