ନୂଆଦିଲ୍ଲୀ : ପୁଣି ନିଜର ପାରିବା ପଣିବାଆର ଦିଣ୍ଡିମ ପିଟିଲେ ଆମେରିକୀୟ ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପ ଦାବି କରି କହିଲେ - ଯେବେ ଚାହିଁବି ଏହି ଇରାନ ସହ ଯୁଦ୍ଧ ବନ୍ଦ କରି ପାରିବି। କାରଣ ଏବେ ସେଠାରେ ଟାର୍ଗେଟ୍‌ କରିବା ପାଇଁ ଆଉ କିଛି ବି ରହିନାହିଁ। ବୁଧବାର ଆମେରିକୀୟ ମିଡ଼ିଆ ପ୍ଲାଟଫର୍ମ Axiosକୁ ଦେଇଥିବା ଏକ ସଂକ୍ଷିପ୍ତ ଫୋନ୍‌ ଇଣ୍ଟରଭ୍ୟୁରେ ଟ୍ରମ୍ପ କହିଥିଲେ - ଇରାନରେ ସାମିରକ ସ୍ଥଳୀ ଓ ଲକ୍ଷ୍ୟ ସ୍ଥଳ ଉପରେ ବଡ଼ ସ୍ତରରେ ଆକ୍ରମଣ ହୋଇ ସାରିଛି। ଆଉ କିଛି ବାକି ନାହିଁ। 

ଉକ୍ତ ପାଞ୍ଚ ମିନିଟ୍‌ ସମୟ ଅବଧିର ବାର୍ତ୍ତାଳାପରେ ଟ୍ରମ୍ପ ସଙ୍କେତ ଦେଇଥିଲେ ଯେ, ଯୁଦ୍ଧର ଅନ୍ତ ଆଉ ଅଧିକ ଦୂର ନୁହେଁ। ରିପୋର୍ଟ ମୁତାବିକ, ଟ୍ରମ୍ପ କହିଛନ୍ତି , ଏବେ ସେଠାରେ ( ଇରାନ) ଟାର୍ଗେଟ୍‌ କରିବା ପାଇଁ ପାଖାପାଖି କିଛି ବି ଆଉ ରକ୍ଷା ପାଇ ନାହିଁ। ବାସ୍‌ ଆଉ ଅଳ୍ପ କିଛି ବାକି ଅଛି। ଯେବେ ବି ମୁଁ ଚାହୁଁବି , ଏହି ଯୁଦ୍ଧ ବନ୍ଦ ହୋଇଯିବ। ହେଲେ ଟ୍ରମ୍ପ ଏହା ସ୍ପଷ୍ଟ କରିନାହିଁ ଯେ, ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକା କେଉଁ ପ୍ରକାରର ରଣନୀତି ଆପଣାଇବ କିମ୍ୱା ସଂଘର୍ଷବିରାମର କୌଣଣି ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ କରାଯିବ ନା ନାହିଁ।

ଏହାସହ ମଧ୍ୟ ପଢନ୍ତୁ : ଯୁଦ୍ଧରେ ୧୬୯ ଭାରତୀୟଙ୍କୁ ରକ୍ଷା କରିଥିଲେ ଏହି ମହିଳା ପାଇଲଟ , ରେସ୍କ୍ୟୁ ମିଶନରେ ଦେଖାଇ ଥିଲେ ଅପୂର୍ବ ସାହସ ଓ ନିଷ୍ଠା

ହେଲେ ଟ୍ରମ୍ପଙ୍କ ଏହି ବିବୃତ୍ତି ପୂର୍ବରୁ ଆମେରିକା ଓ ଇସ୍ରାଏଲର ଅଧିକାରୀମାନେ କହିଥିଲେ ଯେ, ଏବେ ଯୁଦ୍ଧ ଶେଷ କରିବାର କୌଣସି ଯୋଜନା ହିଁ ନାହିଁ। ଆମେରିକା ଓ ଇସ୍ରାଏଲୀୟ ଅଧିକାରୀଙ୍କ ଅନୁସାରେ , ଇରାନ ବିରୋଧରେ ଅତି କମ୍‌ରେ ଆଉ ଦୁଇ ସପ୍ତାହ ଯାଏ ,ସାମରିକ ଆକ୍ରମଣ ଜାରି ରଖିବାର ପ୍ରସ୍ତୁତି କରାଯାଉଛି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କହି ଥିଲେ ଯେ, ଅଭିଯାନ ବିନା କୌଣସ ସମୟ ସୀମାରେ ଜାରି ରହିବ, ଯେପର୍ଯ୍ୟନ୍ତ ସବୁ ଲକ୍ଷ୍ୟ ହାସଲ ହୋଇ ନଯାଇଛି ଏବଂ ନିର୍ଣ୍ଣାୟକ ବିଜୟ ହାସଲ ନହୋଇଛି।

ଉଲ୍ଲେଖନୀୟ ଯେ, ୨୮ ଫେବ୍ରୁଆରୀରୁ ଇରାନ ଓ ଆମେରିକା-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଏଥିରେ ଏବେସୁଦ୍ଧା ଶହ ଶହ ଲୋକଙ୍କ ମୃତ୍ୟୁ ହୋଇସାରିଛି। ନିକଟବର୍ତ୍ତୀ ଦିନ ଗୁଡ଼ିକରେ ଇରାନରେ ଆମେରିକା ଓ ଇସ୍ରାଏଲ ଅନେକ ସାମିରକ ଓ ଶକ୍ତି ଠିକଣା ଉପରେ ଟାର୍ଗେଟ୍‌ କରିଥିଲା। ପାଲଟା ଆକ୍ରଣରେ ଇରାନରେ ଆମେରିକୀୟ ସାମରିକ ଠିକଣାକୁ ଟାର୍ଗେଟ୍‌ କରୁଛି।